
ଭୁବନେଶ୍ୱର, ୨୫ ନଭେମ୍ବର (ହି.ସ.)। ହୋମିଓପାଥି କ୍ଷେତ୍ରରେ ଏକ ସୁଦୃଢ଼ ଗବେଷଣା ସଂସ୍କୃତି ବିକଶିତ କରିବା ପାଇଁ ଗବେଷଣା ସଂସ୍ଥାନ, ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ ଏବଂ ବୃତ୍ତିଗତ ସଂଗଠନଗୁଡ଼ିକ ପରସ୍ପର ସହଯୋଗ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ, ହୋମିଓପାଥିର ଭବିଷ୍ୟତର ବିଶ୍ୱସନୀୟତା ଏବଂ ଶିକ୍ଷାଗତ ମର୍ଯ୍ୟାଦା ଅନେକାଂଶରେ ଏହାର ଗବେଷଣାର ବୈଜ୍ଞାନିକ ସତ୍ୟନିଷ୍ଠା ଓ ଏଥିରୁ ମିଳୁଥିବା ଚିକିତ୍ସା ସମ୍ବନ୍ଧୀୟ ପ୍ରମାଣର ଗୁଣବତ୍ତା ଉପରେ ନିର୍ଭର କରିବ।
ବୁଧବାର ଭୁବନେଶ୍ୱରରେ ଆୟୋଜିତ ଜାତୀୟ ହୋମିଓପାଥି ବୈଜ୍ଞାନିକ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଭାରତର ବିବିଧ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ହୋମିଓପାଥି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଲଭ, ସମତାଭିତ୍ତିକ, ବୈଜ୍ଞାନିକ ଦୃଷ୍ଟିକୋଣରୁ ଦାୟିତ୍ୱପୂର୍ଣ୍ଣ ଏବଂ ଜନସ୍ୱାର୍ଥ ପ୍ରତି ସମ୍ବେଦନଶୀଳ କରିବାରେ ଅନୁଷ୍ଠାନ, ଗବେଷକ, ଶିକ୍ଷକ ତଥା ସ୍ୱାସ୍ଥ୍ୟସେବା ସହ ଜଡ଼ିତ ବୃତ୍ତିଗତ ବ୍ୟକ୍ତିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ରାଷ୍ଟ୍ରପତି କହିଛନ୍ତି ଯେ, ଚିକିତ୍ସା ସହ ଜଡ଼ିତ ପ୍ରତ୍ୟେକ ନିଷ୍ପତ୍ତି ନେବା ସମୟରେ ରୋଗୀଙ୍କ ମର୍ଯ୍ୟାଦା, ସୁରକ୍ଷା ଏବଂ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବା ଉଚିତ। ସ୍ୱାସ୍ଥ୍ୟସେବାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଯନ୍ତ୍ରଣା ହ୍ରାସ କରିବା ଏବଂ ସେମାନଙ୍କ ଜୀବନର ଗୁଣବତ୍ତାରେ ଉନ୍ନତି ଆଣିବା। ତେଣୁ ଚିକିତ୍ସାର ପ୍ରତ୍ୟେକ କ୍ଷେତ୍ରରେ ରୋଗୀଙ୍କ ସ୍ୱାର୍ଥକୁ ସର୍ବୋପରି ରଖିବା ଆବଶ୍ୟକ।
ହୋମିଓପାଥିର ବିକାଶ ପାଇଁ ବୈଜ୍ଞାନିକ ଗବେଷଣା ଏବଂ ଉଚ୍ଚମାନର ଚିକିତ୍ସା ସମ୍ବନ୍ଧୀୟ ପ୍ରମାଣର ଆବଶ୍ୟକତା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ରାଷ୍ଟ୍ରପତି କହିଥିଲେ ଯେ, ହୋମିଓପାଥିର ବିଶ୍ୱସନୀୟତା ଏବଂ ଶୈକ୍ଷିକ ମର୍ଯ୍ୟାଦାକୁ ସୁଦୃଢ଼ କରିବା ପାଇଁ ଗବେଷଣାରେ ବୈଜ୍ଞାନିକ ସଚ୍ଚୋଟତା ଓ ପ୍ରମାଣଭିତ୍ତିକ ଦୃଷ୍ଟିକୋଣ ଅପରିହାର୍ଯ୍ୟ। ଏହି ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ସହ ଗବେଷଣାର ଏକ ସୁଦୃଢ଼ ପରମ୍ପରା ବିକଶିତ କରିବାକୁ ସେ ଗବେଷଣା ସଂସ୍ଥାନ, ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ ଏବଂ ବୃତ୍ତିଗତ ସଂଗଠନଗୁଡ଼ିକୁ ଆହ୍ୱାନ ଦେଇଥିଲେ।
ରାଷ୍ଟ୍ରପତି କହିଥିଲେ ଯେ, ଏଭଳି ଏକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଗଠନ କରିବା ଆବଶ୍ୟକ, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ସମାନ ସୁଯୋଗ ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ। ଏଥିପାଇଁ ଚିକିତ୍ସା କ୍ଷେତ୍ର ସହ ଜଡ଼ିତ ସମସ୍ତ ପକ୍ଷ ବୈଜ୍ଞାନିକ ଦୃଷ୍ଟିକୋଣ, ସମ୍ବେଦନଶୀଳତା ଏବଂ ରୋଗୀଙ୍କ ସ୍ୱାର୍ଥକୁ ଧ୍ୟାନରେ ରଖି ନିଜ ନିଜ ଦାୟିତ୍ୱ ନିର୍ବାହ କରିବା ଉଚିତ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା