
ଚେନ୍ନାଇ (ତାମିଲନାଡୁ), ୨୫ ନଭେମ୍ବର (ହି.ସ.)। ମଦୁରାଇର ତିରୁପରଙ୍କୁନ୍ଦ୍ରମ କାର୍ତ୍ତିଗାଇ ଦୀପମ ବିବାଦକୁ ନେଇ ହିନ୍ଦୁ ସଂଗଠନଗୁଡ଼ିକ ପୁଣିଥରେ ଅଦାଲତର ଦ୍ୱାରସ୍ଥ ହୋଇପାରନ୍ତି। ପଥର ସ୍ତମ୍ଭ ଉପରେ କାର୍ତ୍ତିଗାଇ ଦୀପମ ଜଳାଇବା ଦାବିରେ ପ୍ରଦର୍ଶନ କରିଥିବା ବିଜେପି ଓ ହିନ୍ଦୁ ସଂଗଠନର କର୍ମୀମାନଙ୍କ ବିରୋଧରେ ମଦୁରାଇ ପୁଲିସ ମାମଲା ରୁଜୁ କରିଛି। ତିରୁପରଙ୍କୁନ୍ଦ୍ରମରେ ତାମିଲନାଡୁ ସରକାରଙ୍କ ବିରୋଧରେ ପ୍ରଦର୍ଶନରେ ସାମିଲ ହୋଇଥିବା ୩୦୦ରୁ ଅଧିକ ହିନ୍ଦୁ ସଂଗଠନର କର୍ମୀଙ୍କୁ ପୁଲିସ ଗିରଫ କରିବା ପରେ ଆଜି ସକାଳେ ମୁକ୍ତ କରିଦେଇଛି।
ମୋଟ ୩୦୦ରୁ ଅଧିକ ଲୋକଙ୍କ ବିରୋଧରେ ୬ଟି ଧାରାରେ ମାମଲା ରୁଜୁ ହୋଇଛି। ବିନା ଅନୁମତିରେ ଏକାଠି ହେବା, ସର୍ବସାଧାରଣ ସ୍ଥାନରେ ଶାନ୍ତି ଭଙ୍ଗ କରିବା, ବିବାଦୀୟ ବୟାନ ଦେବା ଏବଂ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ କର୍ତ୍ତବ୍ୟ ପାଳନରେ ବାଧା ଦେବା ଭଳି ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଛି।
ଏହି ମଧ୍ୟରେ ତିରୁପରଙ୍କୁନ୍ଦ୍ରମ କାର୍ତ୍ତିଗାଇ ଦୀପମ ବିବାଦକୁ ନେଇ ହିନ୍ଦୁ କର୍ମୀମାନେ ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପ୍ରସ୍ତୁତି କରୁଛନ୍ତି। ଅଦାଲତଙ୍କ ଆଦେଶର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରି କର୍ମୀମାନେ ପୁନର୍ବାର ଯାଚିକା ଦାଖଲ କରିବାକୁ ଯୋଜନା କରୁଛନ୍ତି।
ସୁପ୍ରିମକୋର୍ଟ ପବିତ୍ର ବୋଲି ବିବେଚିତ ପଥର ସ୍ତମ୍ଭ ଉପରେ ହିଁ କାର୍ତ୍ତିଗାଇ ଦୀପମ ଜଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଜୟଙ୍କ ନେତୃତ୍ୱାଧୀନ ସରକାର ପଥର ସ୍ତମ୍ଭ ପରିବର୍ତ୍ତେ ସେହି ପାହାଡ଼ରେ ଥିବା ପାରମ୍ପରିକ ନୁହେଁ ଏପରି ଉଚ୍ଚିପିଲ୍ଲାୟାର ମଣ୍ଡପରେ କାର୍ତ୍ତିଗାଇ ଦୀପମ ଜଳାଇଥିବା ହିନ୍ଦୁ କର୍ମୀମାନେ ଅଭିଯୋଗ କରିଛନ୍ତି।
ପାହାଡ଼ ଶିଖରରେ ଥିବା ବିବାଦୀୟ ପଥର ସ୍ତମ୍ଭ ଉପରେ ଦୀପ ଜଳାଯିବାକୁ ଅପେକ୍ଷା କରିଥିବା ହିନ୍ଦୁ ସଂଗଠନର ନେତା ଓ ସ୍ୱେଚ୍ଛାସେବୀମାନେ କେବଳ ପାରମ୍ପରିକ ଦୀପ ମଣ୍ଡପରେ ଦୀପ ଜଳାଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ନେଇ ତାମିଲନାଡୁ ସରକାରଙ୍କ କାର୍ଯ୍ୟକୁ ନିନ୍ଦା କରି ହିନ୍ଦୁ ସଂଗଠନଗୁଡ଼ିକ ତିରୁପରଙ୍କୁନ୍ଦ୍ରମର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପୁଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ତୀବ୍ର ବଚସା ଓ ଧସ୍ତାଧସ୍ତି ହୋଇଥିଲା। ଏହାପରେ ପ୍ରଦର୍ଶନକାରୀମାନେ ରାସ୍ତାରେ ବସି ପ୍ରତିବାଦ କରିବା ସହ ତାମିଲନାଡୁ ସରକାର ଓ ପୁଲିସ ବିରୋଧରେ ସ୍ଲୋଗାନ ଦେଇଥିଲେ।
ଏହାପରେ ପୁଲିସ ପ୍ରଦର୍ଶନକାରୀଙ୍କ ଉପରେ ଲାଠିଚାଳନା କରି ସେମାନଙ୍କୁ ଗିରଫ କରିଥିଲା। ପୁଲିସ ୬ଟି ଧାରାରେ ମାମଲା ରୁଜୁ କରି ୩୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଥିଲା। ପରେ ସେମାନଙ୍କୁ ଆଜି ସକାଳେ ମୁକ୍ତ କରିଦିଆଯାଇଛି। ବିଜେପି ସଦସ୍ୟ ପୋନ୍. ରାଧାକୃଷ୍ଣନ, ଏସ୍.ଜି. ସୂର୍ଯ୍ୟଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା