
- ଡ. ମୟଙ୍କ ଚତୁର୍ବେଦୀ
ସମ୍ବିଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆମ ସମ୍ବିଧାନକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧତା’ ଶୀର୍ଷକ ଲେଖା ଭାରତୀୟ ଗଣତନ୍ତ୍ରର ସେହି ଅସାଧାରଣ ଶକ୍ତିକୁ ରେଖାଙ୍କିତ କରିଛି, ଯାହା ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଦାୟିତ୍ୱ ପର୍ଯ୍ୟନ୍ତ ପହଞ୍ଚିବାର ସୁଯୋଗ ପ୍ରଦାନ କରେ।
ବାସ୍ତବରେ, ପ୍ରଧାନମନ୍ତ୍ରୀ ନିଜ ଜୀବନଯାତ୍ରାକୁ ସମ୍ବିଧାନର ଶକ୍ତି ସହ ଯୋଡ଼ି ଏହା ଜଣାଇବାକୁ ଚେଷ୍ଟା କରିଛନ୍ତି ଯେ, ଭାରତୀୟ ସମ୍ବିଧାନ କୋଟି କୋଟି ଲୋକଙ୍କ ସ୍ୱପ୍ନ, ଆକାଂକ୍ଷା ଓ ସାମାଜିକ ପରିବର୍ତ୍ତନର ଆଧାର। ଏହି ଲେଖାର ବିଶେଷତ୍ୱ ହେଉଛି, ଏଥିରେ ସମ୍ବିଧାନ ସମ୍ପର୍କିତ ଆଲୋଚନାକୁ ସଂସଦ, ନ୍ୟାୟପାଳିକା ଓ ସାମ୍ବିଧାନିକ ସଂସ୍ଥାଗୁଡ଼ିକର ପରିସରରୁ ବାହାର କରି ସାଧାରଣ ନାଗରିକଙ୍କ ଜୀବନ ସହ ଯୋଡ଼ିବାର ପ୍ରୟାସ କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଲେଖା ପଢ଼ିବାବେଳେ ସର୍ବପ୍ରଥମେ ଏକ ପ୍ରଶ୍ନ ମନକୁ ଆସେ ଯେ, ଶେଷରେ ସମ୍ବିଧାନ ଜଣେ ନାଗରିକଙ୍କ ଜୀବନରେ କି ପରିବର୍ତ୍ତନ ଆଣିପାରେ? ଏହା କେବଳ ଅଧିକାରଗୁଡ଼ିକର ଏକ ତାଲିକା ନା ଜଣେ ବ୍ୟକ୍ତିଙ୍କ ପରିସ୍ଥିତିକୁ ବଦଳାଇବା ସହ ତାଙ୍କ ସମ୍ଭାବନାର ପରିସରକୁ ବିସ୍ତାର କରିବାର ଏକ ବ୍ୟବସ୍ଥା ମଧ୍ୟ? ନରେନ୍ଦ୍ର ମୋଦୀ ନିଜ ଜୀବନଯାତ୍ରାର ଉଲ୍ଲେଖ କରି ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି।
ସେ କହିଛନ୍ତି ଯେ, ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିବା, ଅଭାବ ଅନଟନ ମଧ୍ୟରେ ପିଲାଦିନ ବିତାଇବା ଏବଂ କୌଣସି ବିଶେଷ ପାରିବାରିକ ସୁବିଧା ନଥାଇ ମଧ୍ୟ ଦେଶର ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ପହଞ୍ଚିବା ଭାରତୀୟ ସମ୍ବିଧାନର ଗଣତାନ୍ତ୍ରିକ ଶକ୍ତିର ପ୍ରମାଣ। ଏହି ପ୍ରସଙ୍ଗ ତାଙ୍କ ଲେଖାକୁ ବ୍ୟକ୍ତିଗତ ଅନୁଭୂତି ସହ ଯୋଡ଼ିଥାଏ। ଏହା ଦର୍ଶାଏ ଯେ, ଭାରତୀୟ ଗଣତନ୍ତ୍ରରେ ଜଣେ ବ୍ୟକ୍ତିଙ୍କ ଜନ୍ମଗତ ପରିସ୍ଥିତି ତାଙ୍କ ଭବିଷ୍ୟତର ସୀମା ନିର୍ଦ୍ଧାରଣ କରିପାରେ ନାହିଁ। ତାଙ୍କ ପରିଶ୍ରମ, ପ୍ରତିଭା ଓ ସଂକଳ୍ପ ପାଇଁ ଆଗକୁ ବଢ଼ିବାର ସୁଯୋଗ ଉପଲବ୍ଧ ରହିଛି। ଏକ ଗରିବ ପରିବାରର ପିଲା ମଧ୍ୟ ବଡ଼ ସ୍ୱପ୍ନ ଦେଖିପାରିବ ଏବଂ ତାହାକୁ ପୂରଣ କରିବା ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସୁଯୋଗ ପାଇପାରିବ।
ପ୍ରଧାନମନ୍ତ୍ରୀଙ୍କ ଏହି ଲେଖା ସମ୍ବିଧାନକୁ ସାମାଜିକ ଓ ଆର୍ଥିକ ନ୍ୟାୟର ଏକ ଦସ୍ତାବିଜ୍ ଭାବେ ମଧ୍ୟ ଉପସ୍ଥାପନ କରିଛି। ସେ ଜଣାଶୁଣା ସମ୍ବିଧାନ ବିଶେଷଜ୍ଞ ଗ୍ରାନଭିଲ୍ ଅଷ୍ଟିନଙ୍କ ମତର ଉଲ୍ଲେଖ କରିଛନ୍ତି। ସେ ଭାରତୀୟ ସମ୍ବିଧାନକୁ ମୂଳତଃ ଏକ ସାମାଜିକ ଦସ୍ତାବିଜ୍ ବୋଲି କହିଥିଲେ। ଏହି ଉଲ୍ଲେଖ ଗୁରୁତ୍ୱପୂର୍ଣ୍ଣ, କାରଣ ଭାରତୀୟ ସମ୍ବିଧାନର ମୂଳ ଭାବନା ହେଉଛି ଏଭଳି ଏକ ସମାଜ ଗଠନ କରିବା, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମର୍ଯ୍ୟାଦା, ସମାନ ସୁଯୋଗ ଓ ନ୍ୟାୟ ମିଳିପାରିବ। ସମ୍ବିଧାନ ପ୍ରଣେତାମାନେ ସ୍ୱାଧୀନ ଭାରତକୁ ଏଭଳି ଏକ ରାଷ୍ଟ୍ର ଭାବେ କଳ୍ପନା କରିଥିଲେ, ଯେଉଁଠାରେ ଶତାବ୍ଦୀ ଧରି ଚାଲିଆସୁଥିବା ସାମାଜିକ ଓ ଆର୍ଥିକ ଅସମାନତାକୁ ଦୂର କରିବାର ପ୍ରୟାସ କରାଯିବ।
ଏହି ଚିନ୍ତାଧାରାକୁ ପ୍ରଧାନମନ୍ତ୍ରୀ ନିଜ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସହ ଯୋଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଜଣେ ଗରିବ ପରିବାରକୁ ପକ୍କା ଘର ମିଳିବା ତାଙ୍କ ପାଇଁ ସମ୍ମାନର ସାମ୍ବିଧାନିକ ପ୍ରତିଶ୍ରୁତି ପୂରଣ ହେବା ସହ ସମାନ। ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଜଣେ ମାଆ ଧୂଆଁଭରା ରୋଷେଇ ଘରରୁ ମୁକ୍ତି ପାଇବା ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଓ ସମାନତା ଦିଗରେ ଏକ ପଦକ୍ଷେପ। ଆୟୁଷ୍ମାନ ଭାରତ ଯୋଜନା ଗରିବ ପରିବାରକୁ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନ କରି ସାମାଜିକ ନ୍ୟାୟକୁ ବାସ୍ତବ ରୂପ ଦେବାର ମାଧ୍ୟମ ପାଲଟିଛି। ମୁଦ୍ରା ଯୋଜନା ଏବଂ ପିଏମ୍ ସ୍ୱନିଧି ମାଧ୍ୟମରେ କ୍ଷୁଦ୍ର ବ୍ୟବସାୟୀ ଓ ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଉଠାଦୋକାନୀଙ୍କୁ ଋଣ ସୁବିଧା ମିଳିବା ଆର୍ଥିକ ସୁଯୋଗର ବିସ୍ତାରର ଏକ ଉଦାହରଣ। ଏହିପରି ଭାବେ ପ୍ରଧାନମନ୍ତ୍ରୀ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ, ସମ୍ବିଧାନର ପ୍ରକୃତ ସାର୍ଥକତା ସେତେବେଳେ ଅଧିକ ପରିଲକ୍ଷିତ ହୁଏ, ଯେତେବେଳେ ଏହାର ଆଦର୍ଶ ସାଧାରଣ ନାଗରିକଙ୍କ ଜୀବନରେ ବାସ୍ତବ ପରିବର୍ତ୍ତନ ଆଣିଥାଏ। ଡିଜିଟାଲ୍ ଟେକ୍ନୋଲୋଜି ଏବଂ ୟୁପିଆଇର ଉଲ୍ଲେଖ ମଧ୍ୟ ଏହି ଦୃଷ୍ଟିକୋଣର ଏକ ବିସ୍ତାର। ତାଙ୍କର ଉଦ୍ଦେଶ୍ୟ ହେଉଛି, ଯେତେବେଳେ ସମାଜର ପ୍ରତ୍ୟେକ ବର୍ଗ ପାଖରେ ଏହାର ଲାଭ ପହଞ୍ଚିବ ଏବଂ ସୁଯୋଗର ପରିସର ବ୍ୟାପକ ହେବ, ସେତେବେଳେ ହିଁ ପ୍ରଯୁକ୍ତିବିଦ୍ୟାର ପ୍ରକୃତ ଗଣତାନ୍ତ୍ରିକୀକରଣ ସମ୍ଭବ ହେବ।
ସମ୍ବିଧାନର ବିକାଶଶୀଳ ସ୍ୱଭାବକୁ ସ୍ପଷ୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀ ୧୦୧ତମ, ୧୦୨ତମ ଏବଂ ୧୦୩ତମ ସମ୍ବିଧାନ ସଂଶୋଧନର ଉଲ୍ଲେଖ କରିଛନ୍ତି। ସାମଗ୍ରୀ ଓ ସେବା କର (ଜିଏସ୍ଟି) ଲାଗୁ କରିବା ପାଇଁ ୧୦୧ତମ ସଂଶୋଧନ, ଜାତୀୟ ପଛୁଆ ବର୍ଗ ଆୟୋଗକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିଥିବା ୧୦୨ତମ ସଂଶୋଧନ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଥିବା ୧୦୩ତମ ସଂଶୋଧନ ଭାରତୀୟ ସମ୍ବିଧାନର ପରିବର୍ତ୍ତନଶୀଳ କ୍ଷମତାର ଉଦାହରଣ। ଏହାର ଉଲ୍ଲେଖ କରି ସେ ଏହି ବାର୍ତ୍ତା ଦେଇଛନ୍ତି ଯେ, ସମ୍ବିଧାନ ନିଜର ମୂଳ ଆଦର୍ଶକୁ ସୁରକ୍ଷିତ ରଖିବା ସହ ସମୟର ଆବଶ୍ୟକତା ଅନୁସାରେ ଆଗକୁ ବଢ଼ିବାର ବ୍ୟବସ୍ଥା ମଧ୍ୟ ପ୍ରଦାନ କରେ।
ଏହି କ୍ରମରେ ସମ୍ବିଧାନର ଅଦ୍ୟତନ ସଂସ୍କରଣକୁ ଅଷ୍ଟମ ଅନୁସୂଚୀର ସମସ୍ତ ୨୨ଟି ଭାଷାରେ ଉପଲବ୍ଧ କରାଇବାର କଥା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଯେଉଁ ସମ୍ବିଧାନ ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟର ସୁରକ୍ଷା କରେ, ସେହି ନାଗରିକଙ୍କୁ ନିଜ ଭାଷାରେ ଏହାକୁ ପଢ଼ିବା ଓ ବୁଝିବାର ସୁଯୋଗ ମିଳିବା ଉଚିତ। ସମ୍ବିଧାନର ଭାଷାଗତ ପରିସର ବୃଦ୍ଧି କରିବା ପ୍ରକୃତରେ ଏହାକୁ ସାଧାରଣ ଜନତାଙ୍କ ଆହୁରି ନିକଟତର କରିବାର ଏକ ପ୍ରୟାସ।
ପ୍ରଧାନମନ୍ତ୍ରୀ ଭାରତୀୟ ନ୍ୟାୟ ସଂହିତାକୁ ମଧ୍ୟ ଏହି ସାମ୍ବିଧାନିକ ପରିବର୍ତ୍ତନ ପ୍ରକ୍ରିୟା ସହ ଯୋଡ଼ିଛନ୍ତି। ତାଙ୍କ କହିବା ଅନୁଯାୟୀ, ସ୍ୱାଧୀନତା ପରେ ମଧ୍ୟ ଭାରତୀୟ ଅପରାଧିକ ନ୍ୟାୟ ବ୍ୟବସ୍ଥା ଦୀର୍ଘ ସମୟ ଧରି ଔପନିବେଶିକ ଶାସନ କାଳର ଆଇନ ଉପରେ ଆଧାରିତ ରହିଥିଲା। ଭାରତୀୟ ନ୍ୟାୟ ସଂହିତା ମାଧ୍ୟମରେ ଦଣ୍ଡକେନ୍ଦ୍ରିକ ଔପନିବେଶିକ ଦୃଷ୍ଟିକୋଣରୁ ନାଗରିକକେନ୍ଦ୍ରିକ ନ୍ୟାୟ ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେବାର ପ୍ରୟାସ କରାଯାଇଛି। ଏହି ଚିନ୍ତାଧାରାର ବ୍ୟାପକ ଅର୍ଥ ହେଉଛି, ସ୍ୱାଧୀନ ଭାରତର ନ୍ୟାୟ ବ୍ୟବସ୍ଥାରେ ନାଗରିକଙ୍କ ମର୍ଯ୍ୟାଦା, ପୀଡ଼ିତଙ୍କ ଅଧିକାର ଏବଂ ନ୍ୟାୟର ଉପଲବ୍ଧତାକୁ କେନ୍ଦ୍ରୀୟ ଗୁରୁତ୍ୱ ଦିଆଯିବା ଉଚିତ।
ଏହି ଲେଖାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ଅଧିକାର ସହିତ ନାଗରିକଙ୍କ କର୍ତ୍ତବ୍ୟ ଉପରେ ଦିଆଯାଇଥିବା ଗୁରୁତ୍ୱ। ପ୍ରଧାନମନ୍ତ୍ରୀଙ୍କ ମତରେ, ଗଣତନ୍ତ୍ରର ସୁଦୃଢ଼ତା ପାଇଁ ନାଗରିକମାନେ ନିଜ ଅଧିକାର ପ୍ରତି ସଚେତନ ହେବା ସହ ନିଜ ଦାୟିତ୍ୱର ମଧ୍ୟ ଉଚିତ୍ ନିର୍ବାହ କରିବା ଆବଶ୍ୟକ। ଭାରତୀୟ ସଭ୍ୟତାରେ କର୍ତ୍ତବ୍ୟବୋଧର ପରମ୍ପରାର ଉଲ୍ଲେଖ କରି ସେ ସ୍ୱଚ୍ଛ ଭାରତ ଅଭିଯାନ, ଜଳ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ଭଳି ପ୍ରୟାସକୁ ନାଗରିକ ଦାୟିତ୍ୱ ସହ ଯୋଡ଼ିଛନ୍ତି। ଏହି ଚିନ୍ତାଧାରା ପ୍ରାସଙ୍ଗିକ, କାରଣ ସ୍ୱଚ୍ଛତା, ପ୍ରାକୃତିକ ସମ୍ପଦର ସଂରକ୍ଷଣ ଓ ସାର୍ବଜନୀନ ସମ୍ପତ୍ତିର ସୁରକ୍ଷା କେବଳ ଗୋଟିଏ ସରକାରର ଦାୟିତ୍ୱ ହୋଇପାରିବ ନାହିଁ। ଏହି କାର୍ଯ୍ୟଗୁଡ଼ିକରେ ନାଗରିକଙ୍କ ସକ୍ରିୟ ଭାଗୀଦାରି ଅତ୍ୟନ୍ତ ଆବଶ୍ୟକ। ଅଧିକାର ଓ କର୍ତ୍ତବ୍ୟ ମଧ୍ୟରେ ଏହି ସନ୍ତୁଳନ ଗଣତାନ୍ତ୍ରିକ ସମାଜକୁ ଅଧିକ ଦାୟିତ୍ୱବାନ କରିଥାଏ।
ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ନିଜ ଲେଖାରେ ସମ୍ବିଧାନର ଇତିହାସର କେତେକ ବିବାଦୀୟ ଅଧ୍ୟାୟ ପ୍ରତି ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି। ୧୯୫୧ ମସିହାର ପ୍ରଥମ ସମ୍ବିଧାନ ସଂଶୋଧନ, ଜରୁରୀକାଳୀନ ପରିସ୍ଥିତି ସମୟରେ କରାଯାଇଥିବା ୪୨ତମ ସଂଶୋଧନ ଏବଂ ଧାରା ୩୫୬ର କଥିତ ଦୁରୁପଯୋଗର ଉଲ୍ଲେଖ କରି ସେ ପୂର୍ବବର୍ତ୍ତୀ ସରକାରମାନଙ୍କ ସାମ୍ବିଧାନିକ ଆଚରଣ ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କର ଆହ୍ୱାନ ହେଉଛି, ନୂତନ ପିଢ଼ି ଏହି ଐତିହାସିକ ଘଟଣାଗୁଡ଼ିକର ଅଧ୍ୟୟନ କରିବା ସହ କ୍ଷମତାରେ ଥିବା ବ୍ୟକ୍ତିମାନଙ୍କ ନିଷ୍ପତ୍ତି କିପରି ସାମ୍ବିଧାନିକ ସଂସ୍ଥା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରଭାବିତ କରିପାରେ, ତାହା ବୁଝିବା ଉଚିତ। ବିଶେଷକରି ଜରୁରୀକାଳୀନ ପରିସ୍ଥିତି ସମୟରେ ହୋଇଥିବା ସାମ୍ବିଧାନିକ ପରିବର୍ତ୍ତନର ଉଲ୍ଲେଖ କରି ସେ ନ୍ୟାୟିକ ସମୀକ୍ଷା, ସଂସ୍ଥାଗତ ସନ୍ତୁଳନ ଏବଂ ନାଗରିକ ସ୍ୱାଧୀନତାର ଗୁରୁତ୍ୱକୁ ରେଖାଙ୍କିତ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ହେଉଛି, ସମ୍ବିଧାନର ସୁରକ୍ଷା କରିବାର ଦାୟିତ୍ୱ କେବଳ ସମ୍ବିଧାନ ସଭାର ସଦସ୍ୟ, ନ୍ୟାୟପାଳିକା କିମ୍ବା ସଂସଦ ମଧ୍ୟରେ ସୀମିତ ନୁହେଁ। ପ୍ରତ୍ୟେକ ସରକାର ଏବଂ ପ୍ରତ୍ୟେକ ନାଗରିକ ସାମ୍ବିଧାନିକ ମର୍ଯ୍ୟାଦାକୁ ସମ୍ମାନ ଦେବା ଉଚିତ। ଜମ୍ମୁ-କଶ୍ମୀରରେ ଧାରା ୩୭୦ ଏବଂ ୩୫ଏର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ୨୦୧୯ରେ କରାଯାଇଥିବା ପରିବର୍ତ୍ତନକୁ ଏକ ଐତିହାସିକ ସଂସ୍କାର ଭାବେ ଉପସ୍ଥାପନ କରିଛନ୍ତି। ସେହିପରି ନକ୍ସଲବାଦ ପ୍ରସଙ୍ଗରେ ସେ କହିଛନ୍ତି ଯେ, ହିଂସା ଓ ଭୟ କାରଣରୁ ଦେଶର ଅନେକ ଅଞ୍ଚଳରେ ଗରିବ ଏବଂ ଆଦିବାସୀ ସମୁଦାୟ ନିଜର ସାମ୍ବିଧାନିକ ଅଧିକାରର ଉପଯୋଗ କରିପାରୁନଥିଲେ। ତାଙ୍କର ଗୁରୁତ୍ୱ ଏହି କଥା ଉପରେ ରହିଛି ଯେ, ଦେଶର ଦୂରଦୂରାନ୍ତ ଓ ପଛୁଆ ଅଞ୍ଚଳରେ ରହୁଥିବା ନାଗରିକ ମଧ୍ୟ ଯେତେବେଳେ ନିର୍ଭୟରେ ନିଜ ଅଧିକାରର ଉପଯୋଗ କରିପାରିବେ, ସେତେବେଳେ ହିଁ ଗଣତନ୍ତ୍ରର ସଫଳତା ସୁନିଶ୍ଚିତ ହେବ।
ମହିଳାଙ୍କ ଭାଗୀଦାରିର ପ୍ରଶ୍ନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଲେଖାରେ ପ୍ରମୁଖତାର ସହ ସ୍ଥାନ ପାଇଛି। ସମ୍ବିଧାନ ନିର୍ମାଣରେ ଅବଦାନ ରଖିଥିବା ମହିଳା ସଦସ୍ୟମାନଙ୍କୁ ସ୍ମରଣ କରି ସେ ବିଧାନ ପ୍ରତିଷ୍ଠାନଗୁଡ଼ିକରେ ମହିଳାଙ୍କ ଯଥେଷ୍ଟ ପ୍ରତିନିଧିତ୍ୱର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ଏହା ସ୍ୱାଭାବିକ ଯେ, ଯେତେବେଳେ ଦେଶର ଅଧା ଜନସଂଖ୍ୟାକୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଉପଯୁକ୍ତ ଭାଗୀଦାରି ମିଳେ, ସେତେବେଳେ ଗଣତାନ୍ତ୍ରିକ ପ୍ରତିନିଧିତ୍ୱ ଅଧିକ ବ୍ୟାପକ ଓ ସମାବେଶୀ ହୋଇଥାଏ। ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଛନ୍ତି ଯେ, ନାରୀଶକ୍ତିକୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଉପଯୁକ୍ତ ସ୍ଥାନ ଦେବା ସାମ୍ବିଧାନିକ ସମାନତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଲେଖାର ଶେଷ ଭାଗରେ ପ୍ରଧାନମନ୍ତ୍ରୀ ବିରୋଧୀ ଦଳର ଭୂମିକା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏହାର ଦାୟିତ୍ୱ ସମ୍ପର୍କରେ ମତ ରଖିଛନ୍ତି। ତାଙ୍କ କହିବା ଅନୁଯାୟୀ, ବିରୋଧୀ ଦଳର ଦାୟିତ୍ୱ କେବଳ ବିରୋଧ କରିବା ନୁହେଁ, ବରଂ ଗଠନମୂଳକ ପରାମର୍ଶ ଦେବା ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ମଧ୍ୟ। ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ନିଜ ଲେଖାର ସମାପନ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସଂକଳ୍ପ ସହ କରିଛନ୍ତି।
ବାସ୍ତବରେ, ସେ ଏହି ଯାତ୍ରାର ମାର୍ଗଦର୍ଶକ ଭାବେ ଦୁଇଟି ସିଦ୍ଧାନ୍ତକୁ ଉଲ୍ଲେଖ କରିଛନ୍ତି। ଚିନ୍ତାଧାରାରେ ‘ଇଣ୍ଡିଆ ଫାଷ୍ଟ’ ଏବଂ କାର୍ଯ୍ୟରେ ‘କର୍ତ୍ତବ୍ୟ’। ଏହି ବାର୍ତ୍ତା ଭାରତର ଯୁବପିଢ଼ି ଓ ନାଗରିକ ସମାଜ ପାଇଁ ବିଶେଷ ମହତ୍ତ୍ୱ ରଖେ। ବିକଶିତ ଭାରତ ଗଠନ ପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କ ଭାଗୀଦାରି, ଜାତୀୟ ସ୍ୱାର୍ଥ ପ୍ରତି ପ୍ରତିବଦ୍ଧତା ଏବଂ ନିଜ ଦାୟିତ୍ୱ ପ୍ରତି ସଚେତନତା ଅତ୍ୟନ୍ତ ଆବଶ୍ୟକ।
ଏହି ଲେଖାର ସବୁଠାରୁ ପ୍ରେରଣାଦାୟକ ଦିଗ ହେଉଛି, ଏହା ସମ୍ବିଧାନକୁ ସାଧାରଣ ଭାରତୀୟଙ୍କ ଆକାଂକ୍ଷା ସହ ଯୋଡ଼ିଛି। ଏକ ସାଧାରଣ ପରିବାରରେ ଜନ୍ମିତ ପିଲା ଦେଶର ପ୍ରଧାନମନ୍ତ୍ରୀ ହୋଇପାରେ, ଗରିବ ପରିବାର ସମ୍ମାନଜନକ ଜୀବନ ବଞ୍ଚିବାର ସ୍ୱପ୍ନ ଦେଖିପାରେ, ମହିଳାମାନେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ନିଜର ଭାଗୀଦାରି ବଢ଼ାଇପାରନ୍ତି ଏବଂ ସମାଜର ବଞ୍ଚିତ ବର୍ଗର ବ୍ୟକ୍ତି ମଧ୍ୟ ନ୍ୟାୟ ଓ ସମାନ ସୁଯୋଗର ଆଶା ରଖିପାରନ୍ତି। ଏହା ହିଁ ଭାରତୀୟ ସମ୍ବିଧାନର ପ୍ରକୃତ ଗଣତାନ୍ତ୍ରିକ ଶକ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା