
ମୁମ୍ବାଇ, ୦୩ ନଭେମ୍ବର (ହି.ସ.)। ଚାଷୀଙ୍କ ପାଇଁ ମହାରାଷ୍ଟ୍ର ସରକାର ଘୋଷଣା କରିଥିବା ଅଗ୍ରିମ ଆର୍ଥିକ ସହାୟତାକୁ ନେଇ ବିରୋଧୀ ଦଳର ସମାଲୋଚନାର କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ। ସେ କହିଛନ୍ତି ଯେ ଚାଷୀଙ୍କୁ ସବୁଠାରୁ ଅଧିକ ଆର୍ଥିକ ସହାୟତା ମହାୟୁତି ସରକାର ପ୍ରଦାନ କରିଛି। ପୂର୍ବ ସରକାରଗୁଡ଼ିକ କେବଳ ପ୍ରତିଶ୍ରୁତି ଦେଇ ଚାଷୀଙ୍କ ସହ ଅନ୍ୟାୟ କରିଥିଲେ।
ବିରୋଧୀଙ୍କୁ ଟାର୍ଗେଟ କରି ଫଡଣବିସ କହିଛନ୍ତି ଯେ ପୂର୍ବ ସରକାରଗୁଡ଼ିକ ଚାଷୀଙ୍କ ପାଇଁ ବିଶେଷ କିଛି କରିନଥିଲେ। ଏବେ ସେହି ଲୋକମାନେ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଉଛନ୍ତି। ବିରୋଧୀ ଯାହା କହିଲେ ମଧ୍ୟ ତାଙ୍କ ସରକାର ଚାଷୀଙ୍କୁ ସହାୟତା ଜାରି ରଖିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ହିଞ୍ଜେୱାଡ଼ି-ଶିବାଜୀନଗର ମେଟ୍ରୋ ଉଦ୍ଘାଟନୀ ସମାରୋହ ପରେ ସାମ୍ବାଦିକଙ୍କ ସହ କଥା ହୋଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଅଗ୍ରିମ ସହାୟତା ରାଶି ଜମା ହେବା ଆରମ୍ଭ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଚାଷୀଙ୍କ ସହ ଦୃଢ଼ତାର ସହ ଠିଆ ହୋଇଛନ୍ତି।
ଆର୍ଥିକ ସହାୟତାକୁ ନେଇ ବିରୋଧୀଙ୍କ ସମାଲୋଚନାର ଜବାବରେ ଫଡଣବିସ କଟାକ୍ଷ କରି କହିଛନ୍ତି ଯେ ବଡ଼ ବଡ଼ ଗାଡ଼ିରେ ବୁଲିବା ଓ ବିଳାସପୂର୍ଣ୍ଣ ଘରେ ରହିବାରେ ଅଭ୍ୟସ୍ତ ଲୋକମାନେ ୫ ହଜାର ଟଙ୍କାର ମୂଲ୍ୟ ବୁଝିପାରିବେ ନାହିଁ। ଏହି ରାଶିର ପ୍ରକୃତ ମହତ୍ତ୍ୱ କେବଳ ଜଣେ ଚାଷୀ ହିଁ ବୁଝିପାରିବେ। କଷ୍ଟକର ସମୟରେ ଚାଷୀଙ୍କ ପାଇଁ ଏହି ଅର୍ଥ ବଡ଼ ଆଶ୍ୱସ୍ତି ଆଣିପାରିବ ବୋଲି ସେ କହିଛନ୍ତି।
ଚାଷୀଙ୍କ ସ୍ୱାର୍ଥକୁ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି ଏବଂ ଆର୍ଥିକ ସଙ୍କଟ ସମୟରେ ସେମାନଙ୍କୁ ସମସ୍ତ ପ୍ରକାର ସମ୍ଭବ ସହାୟତା ଯୋଗାଇବାକୁ ସରକାର ପ୍ରତିବଦ୍ଧ ବୋଲି ଫଡଣବିସ ସ୍ପଷ୍ଟ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ