

ବାରାଣସୀ, ୦୩ ନଭେମ୍ବର (ହି.ସ.)- କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍ୟୁ)ରେ କର୍ଣ୍ଣାଟକ ଶାସ୍ତ୍ରୀୟ ସଙ୍ଗୀତର ମହାନ ସଙ୍ଗୀତକାର ମୁତୁସ୍ୱାମୀ ଦୀକ୍ଷିତରଙ୍କ ୨୫୦ତମ ଜୟନ୍ତୀ ଅବସରରେ ୨୫୦ ଟଙ୍କିଆ ସ୍ମାରକୀ ମୁଦ୍ରାର ଉନ୍ମୋଚନ କରିଥିଲେ। ବିଏଚ୍ୟୁର ସ୍ୱାଧୀନତା ଭବନ ସଭାଗୃହରେ ଆଇଆଇଟି ବିଏଚ୍ୟୁର ଭାରତୀୟ ଜ୍ଞାନ ପରମ୍ପରା ଉତ୍କର୍ଷ କେନ୍ଦ୍ର (ସିଓଇ-ଆଇକେଏସ୍) ପକ୍ଷରୁ ଆୟୋଜିତ ସମାରୋହରେ ଅର୍ଥମନ୍ତ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଜିତ କୁମାର ଚତୁର୍ବେଦୀଙ୍କ ସହ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଅର୍ଥମନ୍ତ୍ରୀ ମୁତୁସ୍ୱାମୀ ଦୀକ୍ଷିତରଙ୍କ ଜୀବନ, ତାଙ୍କ ସଙ୍ଗୀତ ସାଧନା ଏବଂ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ତାଙ୍କର ଅତୁଳନୀୟ ଅବଦାନକୁ ସ୍ମରଣ କରିଥିଲେ। ୧୭୭୫ ମସିହାରେ ଜନ୍ମଗ୍ରହଣ କରିଥିବା ଦୀକ୍ଷିତରଙ୍କୁ କର୍ଣ୍ଣାଟକ ସଙ୍ଗୀତର ମହାନ ତ୍ରିମୂର୍ତିଙ୍କ ମଧ୍ୟରେ ଜଣେ ପ୍ରମୁଖ ସଙ୍ଗୀତକାର ଭାବେ ଗଣାଯାଏ। ତ୍ୟାଗରାଜ ଓ ଶ୍ୟାମା ଶାସ୍ତ୍ରୀଙ୍କ ସହ ତାଙ୍କୁ କର୍ଣ୍ଣାଟକ ସଙ୍ଗୀତର ତିନି ମହାନ ସ୍ତମ୍ଭ ମଧ୍ୟରେ ସ୍ଥାନ ମିଳିଛି।
ମୁତୁସ୍ୱାମୀ ଦୀକ୍ଷିତରଙ୍କ ରଚନାରେ ବିଭିନ୍ନ ରାଗର ଅନନ୍ୟ ବିସ୍ତାର ଦେଖିବାକୁ ମିଳେ। ତାଙ୍କ କୃତିଗୁଡ଼ିକରେ ମନ୍ଦିର, ଦେବଦେବୀ ଏବଂ ଭାରତୀୟ ଆଧ୍ୟାତ୍ମିକ ଓ ଧାର୍ମିକ ପରମ୍ପରାର ଗଭୀର ଚିତ୍ରଣ ରହିଛି। ସଙ୍ଗୀତକାର, ଗାୟକ ଓ ବୀଣାବାଦକ ଭାବେ ସେ ନିଜର କାଳଜୟୀ ରଚନା ଦ୍ୱାରା କର୍ଣ୍ଣାଟକ ଶାସ୍ତ୍ରୀୟ ସଙ୍ଗୀତକୁ ସମୃଦ୍ଧ କରିଥିଲେ। ତାଙ୍କର ସଙ୍ଗୀତ ଐତିହ୍ୟ ଆଜି ମଧ୍ୟ ଭାରତୀୟ ସାଂସ୍କୃତିକ ପରମ୍ପରାର ଏକ ମହତ୍ୱପୂର୍ଣ୍ଣ ସମ୍ପଦ।
ବିଏଚ୍ୟୁର ସଙ୍ଗୀତ ଓ ମଂଚକଳା ସଂକାୟର ପୂର୍ବତନ ମୁଖ୍ୟ ପ୍ରଫେସର ରାଜେଶ ଶାହ କହିଥିଲେ ଯେ, ମୁତୁସ୍ୱାମୀ ଦୀକ୍ଷିତର ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଜଣେ ଅତ୍ୟନ୍ତ ପ୍ରତିଷ୍ଠିତ ସଙ୍ଗୀତକାର ଥିଲେ। ନିଜର ଅସାଧାରଣ ପ୍ରତିଭା ଓ ସୃଜନଶୀଳତା ଦ୍ୱାରା ସେ କର୍ଣ୍ଣାଟକ ସଙ୍ଗୀତକୁ ନୂତନ ଉଚ୍ଚତାରେ ପହଂଚାଇଥିଲେ। ତ୍ୟାଗରାଜ ଓ ଶ୍ୟାମା ଶାସ୍ତ୍ରୀଙ୍କ ସହ ତାଙ୍କ ରଚନାଗୁଡ଼ିକ ଆଜି ମଧ୍ୟ ସଙ୍ଗୀତ ଜଗତ ପାଇଁ ପ୍ରେରଣାର ଉତ୍ସ।
ସମାରୋହରେ ମୁଦ୍ରାଶାସ୍ତ୍ରୀ ସୁଧୀର ଲୁଣାୱତ ସ୍ମାରକୀ ମୁଦ୍ରାର ବିଶେଷତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ୨୫୦ ଟଙ୍କା ମୂଲ୍ୟବର୍ଗର ଏହି ମୁଦ୍ରାର ଓଜନ ୩୫ ଗ୍ରାମ ହେବ। ଏହାକୁ ଚାରିଟି ଧାତୁର ମିଶ୍ରଣରେ ପ୍ରସ୍ତୁତ କରାଯାଇଛି। ଏଥିରେ ୫୦ ପ୍ରତିଶତ ରୁପା, ୪୦ ପ୍ରତିଶତ ତମ୍ବା ଏବଂ ୫-୫ ପ୍ରତିଶତ ନିକେଲ୍ ଓ ଜିଙ୍କ୍ ରହିଛି। ସେ ସ୍ପଷ୍ଟ କରିଥିଲେ ଯେ, ଏହି ମୁଦ୍ରା ସାଧାରଣ ଲେନଦେନ ପାଇଁ ଜାରି କରାଯାଇନାହିଁ। ମହାନ ସଙ୍ଗୀତକାରଙ୍କ ୨୫୦ତମ ଜୟନ୍ତୀର ସ୍ମୃତିରେ ଏହାକୁ ଏକ ସ୍ୱତନ୍ତ୍ର ସ୍ମାରକୀ ଭାବେ ପ୍ରସ୍ତୁତ କରାଯାଇଛି।
ମୁତୁସ୍ୱାମୀ ଦୀକ୍ଷିତରଙ୍କ ବ୍ୟକ୍ତିତ୍ୱ, କୃତିତ୍ୱ, ସଙ୍ଗୀତ ଐତିହ୍ୟ ଓ ଭାରତୀୟ ସଂସ୍କୃତିରେ ତାଙ୍କର ଅବଦାନକୁ ନୂତନ ପିଢ଼ି ପର୍ଯ୍ୟନ୍ତ ପହଂଚାଇବା ଏବଂ ଭାରତୀୟ ଜ୍ଞାନ ପରମ୍ପରାର ସମୃଦ୍ଧ ଐତିହ୍ୟକୁ ସମ୍ମାନ ଜଣାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହାପୂର୍ବରୁ ବାବତପୁରସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚବା ପରେ ବିଜେପି ନେତାମାନେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସ୍ୱାଗତ କରିଥିଲେ। ସ୍ୱାଗତ କରିଥିବା ନେତାମାନଙ୍କ ମଧ୍ୟରେ ବିଜେପି କୃଷକ ମୋର୍ଚ୍ଚାର ପ୍ରଦେଶ ମନ୍ତ୍ରୀ ତଥା ଦଳର ପ୍ରୋଟୋକଲ୍ ପ୍ରଭାରୀ ଶୈଳେଶ ପାଣ୍ଡେୟଙ୍କ ସମେତ ଅନ୍ୟ ନେତାମାନେ ସାମିଲ ଥିଲେ।
-----------
ହିନ୍ଦୁସ୍ଥାନ ସମାଚାର / ଗଗନ