ତୃତୀୟ ସାଳନ୍ଦୀ ସାହିତ୍ୟ ସଙ୍ଗମ ଉଦ୍‌ଘାଟିତ, ରାଜ୍ୟର ବହୁ ସୁନାମଧନ୍ୟ ସାହିତ୍ୟିକ ଓ କଳାକାରଙ୍କ ଅଭୂତପୂର୍ବ ମିଳନ
ଭଦ୍ରକ, ୧୪ ଫେବୃୟାରୀ (ହି.ସ.) - ଭୁବନେଶ୍ୱରର ସ୍ୱନାମଧନ୍ୟ ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ’ ପକ୍ଷରୁ ଭଦ୍ରକଠାରେ ବିଗତ ଦୁଇବର୍ଷ ଧରି ଅନୁଷ୍ଠିତ ଉତରପୂର୍ବ ଓଡ଼ିଶାର ସର୍ବବୃହତ ସାହିତ୍ୟ ଉତ୍ସବ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ର ତୃତୀୟ ସଂସ୍କରଣ ଆଜି ଭଦ୍ରକ ବାଇପାସ ସ୍ଥିତ ‘ସଙ୍ଗମ କନ୍‌ଭେନ୍‌ସନ୍‌’ ଠାରେ
SALANDI SAHITYA SANGAM INAUGURATION


ଭଦ୍ରକ, ୧୪ ଫେବୃୟାରୀ (ହି.ସ.) - ଭୁବନେଶ୍ୱରର ସ୍ୱନାମଧନ୍ୟ ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ’ ପକ୍ଷରୁ ଭଦ୍ରକଠାରେ ବିଗତ ଦୁଇବର୍ଷ ଧରି ଅନୁଷ୍ଠିତ ଉତରପୂର୍ବ ଓଡ଼ିଶାର ସର୍ବବୃହତ ସାହିତ୍ୟ ଉତ୍ସବ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ର ତୃତୀୟ ସଂସ୍କରଣ ଆଜି ଭଦ୍ରକ ବାଇପାସ ସ୍ଥିତ ‘ସଙ୍ଗମ କନ୍‌ଭେନ୍‌ସନ୍‌’ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ସଭାରେ, ଭଦ୍ରକ ଜିଲ୍ଲାପଳ ଦିଲ୍ଲୀପ ରାଉତରାୟ ଉଦ୍‌ଘାଟକ ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ବିଶିଷ୍ଟ କଥାଶିଳ୍ପୀ ଅଜୟ ସ୍ୱାଇଁ, ସଙ୍ଗମର ସଭାପତି ପବିତ୍ର ପାଣିଗ୍ରାହୀ, ନିର୍ଦ୍ଦେଶକ ସରୋଜ ବଳ ଓ ସଂଯୋଜକ ବିଜୟ ମଲ୍ଲ ଉପସ୍ଥିତ ଥିଲେ । ପାଳୁଅ ଲଡ଼ୁକୁ ଜିଆଇn ଟ୍ୟାଗ୍ ମାନ୍ୟତା ଦାବି ଉପରେ ଜିଲ୍ଲା ପ୍ରଶାସନ ତରଫରୁ ଆଉ ପାଦେ ଆଗକୁ ଯିବାକୁ, ଟାଇମ୍‌ପାସ୍ ପ୍ରକାଶିତ ପବିତ୍ର ପାଣିଗ୍ରାହୀଙ୍କ ପ୍ରସ୍ତୁତ ଏକ କ୍ଷୁଦ୍ର ପୁସ୍ତିକା ଉନ୍ମୋଚନ ହେବା ସହ ଉପସ୍ଥିତ ଅତିଥିମାନଙ୍କୁ ପାଳୁଅ ଲଡ଼ୁ ଓ ପୁସ୍ତିକା ବଂଟନ କରାଯାଇଥିଲା । ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଏହିଭଳି କାର୍ଯ୍ୟକ୍ରମର ଆୟୋଜକମାନଙ୍କୁ ଧନ୍ୟବାଦ ଦେଇଥିଲେ । ସ୍ତମ୍ଭକାର ତଥା କାର୍ଯ୍ୟକ୍ରମର ପରିଚାଳନା ସମ୍ପାଦକ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ରଚିତ ‘ଯାହା କେହି କହନ୍ତିନି’ ଶୀର୍ଷକ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହାପରେ, ସଭାପତି ପବିତ୍ର ପାଣିଗ୍ରାହୀ ସ୍ୱାଗତ ସମ୍ଭାଷଣରେ ଭଦ୍ରକ ମାଟି ଓ ପାଳୁଅ ଲଡ଼ୁ ବିଷୟରେ ଉଲ୍ଲେଖ କରିବା ସହିତ ଜିଲ୍ଲା ପ୍ରସାଶନର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ ଏବଂ ନିର୍ଦ୍ଦେଶକ ସରୋଜ ବଳ ଏହି କାର୍ଯ୍ୟକ୍ରମ ବିଷୟରେ ସଂକ୍ଷେପରେ ସୂଚନା ଦେବା ସହିତ ଭଦ୍ରକର ହଜିଯାଉଥିବା ମାଟିଘୋଡ଼ା ପରମ୍ପରାକୁ ଆଗକୁ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଭଦ୍ରକ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ମଂଚରେ ଏକ ସୃଜନ ଆଳାପ କରିଥିଲେ ମିହିର କୁମାର ସାହୁ । ବିଶିଷ୍ଟ ନାଟ୍ୟକାର ଲାଲା ବୀରେନ ରାୟଙ୍କୁ ବଂଶୀବଲ୍ଲଭ ଗୋସ୍ୱାମୀ ନାଟକ ପୁରସ୍କାର ଓ ଅନୁବାଦକ ପ୍ରଦୀପ କୁମାର ରାୟଙ୍କୁ ଲକ୍ଷ୍ମୀ ନାରାୟଣ ମହାନ୍ତି ଅନୁବାଦ ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ଉତରୀୟ, ସମ୍ମାନ ଫଳକ ସହିତ ଦଶ ହଜାର ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଥିଲା । ସେହିଭଳି ବିଶିଷ୍ଟ ଚିତ୍ରଶିଳ୍ପୀ ଚୂଡ଼ାମଣି ଦାସ, ସମାଜସେବୀ ଅଜୟ ନାୟକ, ପକ୍ଷୀଘର ପ୍ରକାଶନୀର ପ୍ରତିଷ୍ଠାତା ବନୋଜ ତ୍ରିପାଠୀ ଓ କଥାକାର ସୁରେଶ ନାୟକଙ୍କୁ ସାହିତ୍ୟ ସଖା ସମ୍ମାନ ପ୍ରଦାନ କରାଯାଇଛି । ବିଗତ ବର୍ଷର ପ୍ରବନ୍ଧ ପୁରସ୍କାର ସ୍ୱରୂପ ଅର୍ଥରାଶି ଓ ଉପଢୌକନ ସାହିତ୍ୟିକ ବିବୁଧ ରଞ୍ଜନଙ୍କୁ ପ୍ରଦାନ କରାଯାଇଥିଲା । ପୂର୍ବାହ୍ଣରେ, ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ନିର୍ଦ୍ଦେଶିତ ଚୁଇଁ ଚଳଚ୍ଚିତ୍ର ‘ଘୁଙ୍ଗୁର’ ଏବଂ ଅର୍ଜୁନ ସାମନ୍ତରାୟଙ୍କ ନିର୍ଦ୍ଦେଶିତ ‘ବୁଢ଼ିମାଆର ହାତ’ ପ୍ରଦର୍ଶିତ ହୋଇଥିଲା । ଉଭୟ କଳାକାର ଓ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରାଯିବା ସହ ସମ୍ମାନିତ କରାଯାଇଥିଲା । ମଧ୍ୟାହ୍ନ ଭୋଜନ ବିରତି ପରେ, କବି ଚିତରଞ୍ଜନ ନାୟକଙ୍କ ସଂଚାଳନରେ ଅତିଥି କବି ସଞ୍ଜିତ ବଳ, ସୁରେଶ ନାୟକ, ପ୍ରଜ୍ଞାଶ୍ରୀ ରଥ ଓ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ସହ ‘ପ୍ରେମ କବିତା ଚର୍ଚ୍ଚା’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରତିଭା ଖିଲାରଙ୍କ ସଂଯୋଜନାରେ ଆୟୋଜିତ ‘ଗଳ୍ପ ଆସର’ରେ ନିଜ ନିଜର ଗପ ଉପସ୍ଥାପନ କରିଥିଲେ ଅତିଥି ଗାଳ୍ପିକ ବିପ୍ଳବ ପତି, ଲୋପାମୁଦ୍ରା ମୈକାପ ଓ କୈଳାଶ ବେହେରା । ଗୌରହରି ଦାସଙ୍କ ଗପ ‘ଚିତ୍ର ପ୍ରତିମା’ର ନାଟ୍ୟରୂପର ପ୍ରଦର୍ଶନ କରିଥିଲେ ଲେଖିକା, ଗାୟିକା ତଥା ସଂଗଠିକା ମମତା ତ୍ରିପାଠୀ। ଅପରାହ୍ମରେ, ସ୍ତମ୍ଭକାର ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ସଂଚାଳନାରେ ‘ପାଠ୍ୟପୁସ୍ତକରେ ସାହିତ୍ୟ’ ଶୀର୍ଷକ ଆଲୋଚନା ଚକ୍ରରେ କବି ତଥା ଅଧ୍ୟାପକ କିଶୋର ପାଣିଗ୍ରାହୀ, ପ୍ରଶାସନିକ ଅଧିକାରୀ ସମରେନ୍ଦ୍ର ଭୂତିଆ ଓ କଳିଙ୍ଗ ଆଇଏସ୍‌ର ନିର୍ଦ୍ଦେଶକ ଦୀପକ ରାଉତ ଆଲୋଚନା କରିଥିଲେ । ପ୍ରବୀଣ କୁମାର କବିଙ୍କ ସଂଚାଳନାରେ ଆୟୋଜିତ ‘କବିତା ଉଚ୍ଚାରଣ’ କାର୍ଯ୍ୟକ୍ରମରେ କବିତା ପାଠ କରିଥିଲେ ଅତିଥି କବି ସ୍ୱୟଂପ୍ରଭା ରଥ, ବିସ୍ମୟ ବିହାରୀ ସାହୁ, ନିରଞ୍ଜନ ବାରିକ, ଅମୂଲ୍ୟ ସେନାପତି, ସୁବ୍ରତ ମିଶ୍ର, ରୀତାଞ୍ଜଳି ମହାରାଣା ଓ ଉମାକାନ୍ତ ରାଉତ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande