
ଜୟପୁର,୧୪ ଫେବ୍ରୁଆରି (ହି.ସ.) - ନବରଙ୍ଗପୁର ଜିଲ୍ଲା ସଦର ମହକୁମାରୁ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରରୁ ଖାଲିପାଦରେ ଚାଲି ଚାଲି ଯାଉଥିବା ଯୁବକଙ୍କୁ କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ଅଧିନସ୍ଥ ରଣ୍ଡାପାଲ୍ଲୀ ଗ୍ରାମ ନିକଟସ୍ଥ ୨୬ ନମ୍ବର ଜାତୀୟ ରାଜପଥରେ ଦୁଇଜଣ ଅଜଣା ଦୁର୍ବୃତଙ୍କ ଛୁରା ମାଡରେ ପୀଡିତ ଯୁବକ ଗୁରୁତର ଭାବେ ଆହତ ହୋଇ କୋରାପୁଟ ମେଡିକାଲ କଲେଜରେ ଭର୍ତି ହୋଇଛନ୍ତି । ପୁଲିସ ସୂଚନା ଅନୁଯାୟୀ ନବରଙ୍ଗପୁର ସହର ଲୋହରା ସାହିର ଯୁବକ ହୁସେନ ହରିଜନ (୨୧) ନିଜ ସାଙ୍ଗ ସାଥିଙ୍କ ସହିତ ଶିବରାତ୍ରୀ ଅବସରରେ ନବରଙ୍ଗପୁରରୁ ଖାଲିପାଦରେ ଚାଲି ଚାଲି ଯାଉଥିବା ବେଳେ ଗତ ୧୧ ତାରିଖ ଅପରାହ୍ନ ୨ଟାରୁ ୩ ଟା ମଧ୍ୟାରେ ରଣ୍ଡାପାଲ୍ଲୀ ଗ୍ରାମ ଜାତୀୟ ରାଜପଥରେ ଏକ ବାଇକରେ ଦୁଇଜଣ ଅଜଣା ଦୁର୍ବୃତ ପହଂଚି କୌଣସି କଥା ହେବା ପୂର୍ବରୁ ଏକ ଛୁରାରେ ପୀଡିତ ଯୁବକଙ୍କୁ ୫ରୁ ୬ ଥର ଭୁଷିଦେଇଥିଲେ । ଏହିପରି ପୀଡିତଙ୍କ ପେଟର ଅନ୍ତବୁଜୁଲା ବାହାରି ଆସିଥିଲା । ତାଙ୍କୁ ତୁରନ୍ତ ଆମ୍ବୁଲେନ୍ସ ଯୋଗେ ପ୍ରଥମେ ଜୟପୁର ଜିଲ୍ଲା ଚିକିତ୍ସାଳୟକୁ ଏବଂ ସେଠାରୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲ କଲେଜକୁ ନିଆଯାଇଥିଲା । ଡାକ୍ତର ମାନେ ତୁରନ୍ତ ଅସ୍ତ୍ରପୋଚାର ମାଧ୍ୟମରେ ତାଙ୍କୁ ଚିକିତ୍ସା କରିଥିଲେ କିନ୍ତୁ ବର୍ତମାନ ସୁଦ୍ଧା ତାଙ୍କ ଅବସ୍ଥା ଗୁରୁତର ରହିଥିବା ନେଇ ଅଭିଯୋଗକାରୀ ପୀଡିତ ବଡଭାଇ ଟୁକୁନା ହରିଜନ ଥାନାରେ ଏତଲା କ୍ରମେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି