
ଉଜ୍ଜୟିନୀ (ମଧ୍ୟପ୍ରଦେଶ), ୧୫ ଫେବୃଆରୀ (ହି.ସ.)- ଆଜି ମହାଶିବରାତ୍ରି ଦେଶରେ ପ୍ରଥମେ ଏଠାକାର ମହାକାଳ ମନ୍ଦିରରେ ଆରମ୍ଭ ହୋଇଛି । ମନ୍ଦିରର ଦ୍ୱାର ରାତି ୨ଟା ୩୦ ରେ ଖୋଲାଯାଇଥିଲା । ପରମ୍ପରା ଅନୁଯାୟୀ, ଏହି ମହାନ ଉତ୍ସବ ଉଜ୍ଜୟିନୀର ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ପ୍ରଭୁ ମହାକାଳେଶ୍ୱର ମନ୍ଦିରରେ ଆରମ୍ଭ ହୋଇଥିଲା । ଦ୍ୱାର ଖୋଲିବା ପରେ, ପୂଜା ଏବଂ ପ୍ରାର୍ଥନା ପରେ, ଭଷ୍ମ ଆରତୀ ସମୟରେ ବାବା ମହାକାଳଙ୍କୁ ଭାଙ୍ଗ, ଚନ୍ଦନ ଏବଂ ତ୍ରିପୁଣ୍ଡରେ ରାଜା ରୂପରେ ଦିବ୍ୟ ଭାବରେ ସଜ୍ଜିତ କରାଯାଇଥିଲା ।
ବର୍ଷ ବର୍ଷ ଧରି, ଏହା ଏକ ପରମ୍ପରା ରହିଆସିଛି ଯେ, ଦେଶର ସମସ୍ତ ପର୍ବ ପ୍ରଥମେ ପ୍ରଭୁ ମହାକାଳ ମନ୍ଦିରରେ ପାଳନ କରାଯାଏ । ଭଷ୍ମ ଆରତୀ ପରେ, ବାବା ମହାକାଳଙ୍କ ଦର୍ଶନ ଆରମ୍ଭ ହୋଇଛି । ଭକ୍ତମାନେ ୪୪ ଘଂଟା ପାଇଁ ଦର୍ଶନ କରିପାରିବେ । ସକାଳ ୯ଟା ସୁଦ୍ଧା ୧ ଲକ୍ଷ ୩୫ ହଜାର ଶ୍ରଦ୍ଧାଳୁ ପ୍ରଭୁ ମହାକାଳଙ୍କ ଦର୍ଶନ କରିସାରିଛନ୍ତି । ରବିବାର ହୋଇଥିବାରୁ ଭିଡ଼ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପ୍ରାୟ ୧୦ ଲକ୍ଷ ଭକ୍ତ ଆସିବାର ଆଶା କରାଯାଉଛି ।
ମନ୍ଦିର ପ୍ରବେଶ ପାଇଁ ରାତି ୨ଟା ୩୦ ରେ ପ୍ରଥମ ଘଂଟି ବାଜିଥିଲା । ଗର୍ଭଗୃହରେ ଥିବା ସମସ୍ତ ପ୍ରତିମାଙ୍କୁ ମନ୍ତ୍ର ଜପ ସହିତ ପୂଜା କରାଯାଇଥିଲା ଏବଂ ହରି ଓମ୍ ଜଳ ଅର୍ପଣ କରାଯାଇଥିଲା । କର୍ପୂର ଆରତୀ ପରେ, ପୁରୋହିତମାନେ ଜଳାଭିଷେକ କରିଥିଲେ । ତା'ପରେ, ପଂଚାମୃତ (ଦୁଗ୍ଧ, ଦହି, ଘିଅ, ଚିନି ଏବଂ ଫଳ ରସର ମିଶ୍ରଣ) ସହିତ ପୂଜା କରିବା ପରେ, ବାବା ମହାକାଳଙ୍କୁ ଭାଙ୍ଗ, ଚନ୍ଦନ ଏବଂ ତ୍ରିପୁଣ୍ଡ ଅର୍ପଣ ପୂର୍ବକ ରାଜା ସ୍ୱରୂପ ସଜ୍ଜିତ କରାଯାଇଥିଲା । ତା'ପରେ ଜ୍ୟୋତିର୍ଲିଙ୍ଗକୁ ଏକ କପଡାରେ ଘୋଡାଇ ଭସ୍ମ ଲେପନ କରାଯାଇଥିଲା । ଶେଷନାଗର ରୂପା ମୁକୁଟ, ରୂପାର ମୁଣ୍ଡମାଳ ଏବଂ ରୁଦ୍ରାକ୍ଷ ମାଳ ସହିତ ଚମେଲି ଏବଂ ଗୋଲାପ ଫୁଲର ମାଳା ଅର୍ପଣ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ