
କେନ୍ଦ୍ରାପଡା, ୧୨ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ, ମହାକାଳପଡା ପାଟକୁରା ଥାନା ଅନ୍ତର୍ଗତରେ ଦୀର୍ଘ ୧୦ ବର୍ଷ ହେଲା ପାଇକା ମହୋତ୍ସବ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇ ଆସୁଛି । ଚଳିତ ବର୍ଷ ସମସ୍ତ ପ୍ରଶାସନିକ ଏବଂ ପାଇକା ମହୋତ୍ସବ ସମିତି ପକ୍ଷରୁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଥିବା ବେଳେ ୨ ଦିନ ମହୋତ୍ସବ ଚାଲିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ, ଥାନା ଅଧିକାରୀ, ତହସିଲଦାର ପ୍ରମୁଖ ଘଟଣାସ୍ଥଳକୁ ଯାଇ ଏହାକୁ ବନ୍ଦ କରିଥିବାରୁ ଏହାର ତୀବ୍ର ବିରୋଧ କରି ଶତାଧିକ ମହିଳା ଜିଲ୍ଲା କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ରହିଛନ୍ତି । ମାର୍ଶାଘାଇ, ମହାକାଳପଡା ତଥା ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ତିର୍ତୋଲ ଅଧିନସ୍ଥ ପ୍ରାୟ ୧୦୦ ଗୋଟି ଗ୍ରାମର ଜନ ସାଧାରଣ ଏହି ମହୋତ୍ସବରେ ଅଂଶଗ୍ରହଣ କରିଥାନ୍ତି । ଉପ ଜିଲ୍ଲାପାଳଙ୍କ ଠାରୁ ସ୍ୱୀକୃତି ମିଳିବା ପରେ ଜିଲ୍ଲା ଏବଂ ଜିଲ୍ଲା ବାହାର ବିଭିନ୍ନ ଅଂଚଳରୁ ଶତାଧିକ ଦୋକାନୀ ନିଜର ବ୍ୟବସାୟ ଅନୁଷ୍ଠାନ ମେଲାଇବା ପରେ ହଠାତ୍ ଏହି ମହୋତ୍ସବକୁ ବନ୍ଦ କରିବା ଫଳରେ ସ୍ଥାନୀୟ ଅଂଚଳରେ ତୀବ୍ର ଉତେଜନା ପ୍ରକାଶ ପାଇଛି ।
ତୁରନ୍ତ ଏହି ମହୋତ୍ସବକୁ ଚାଲୁ କରିବା ପାଇଁ ରଂଜନ କୁମାର ସୁତାର, କୁନମୁନ ନାୟକ, ଜ୍ୟୋତି ପ୍ରସନ୍ନ ନାୟକ, ଜଗନ୍ନାଥ ନାୟକ, ହିମାଂଶୁ ନାୟକ, ତ୍ରିଲୋଚନ ଦାସ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି