
ଖୋର୍ଦ୍ଧା, ୧୫ ମାର୍ଚ୍ଚ (ହି.ସ.)- ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଧୀନ ସାନପଦର ଠାରେ ଶନିବାର ବିଳମ୍ବିତ ରାତିରେ ଘଟିଛି ଅଘଟଣ। ଦୋକାନରେ ଶୋଇଥିବା ବେଳେ ନିଆଁରେ ଜଳି ପ୍ରାଣ ହରାଇଛନ୍ତି ବାପ ପୁଅ। ମୃତକ ହେଲେ ରାଜେଶ କୁମାର ସାହୁ (୫୭) ଓ ତାଙ୍କ ଦିବ୍ୟାଙ୍ଗ ପୁଅ ଲକ୍ଷ୍ମୀଧର ସାହୁ(୨୭)। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବେଗୁନିଆ ଥାନା ଅଧୀନ ସାନପଦରରେ।
ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ସାନପଦର ଗାଁ ମୁଣ୍ଡରେ ଏକ ତେଜରାତି ଓ ଚା' ଦୋକାନ କରି ପରିବାର ଚଳାଉଥିଲେ ରାଜେଶ ଓ ତାଙ୍କ ଦିବ୍ୟାଙ୍ଗ ପୁଅ ଲକ୍ଷ୍ମୀଧର। ପ୍ରତ୍ୟେକ ଦିନ ଭଳି ଆଜି ଭୋର୍ ସମୟରୁ ଦୋକାନ ଖୋଲାଯାଇ ନଥିବା କାରଣରୁ ପରିବାର ସଦସ୍ୟଙ୍କ ସନ୍ଦେହ ହୋଇଥିଲା । ପରେ ଭିତରୁ କବାଟ ବନ୍ଦ ଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। କୌଣସି ଅଘଟଣ ସନ୍ଦେହରେ ଦୋକାନ ଘର ଆଜବେଷ୍ଟସ ଖୋଲିବାରେ ରାଜେଶ କୁମାର ସାହୁ, ପୁଅ ଲକ୍ଷ୍ମୀଧର ସାହୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଦୋକାନ ଘର ଭିତରେ ପଡ଼ିଥିବା ଦେଖିଥିଲେ। ଏହା ବିଦ୍ୟୁତ ସର୍ଟସର୍କିଟ କାରଣରୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଏପରି ଦୁଃଖଦ ଘଟଣା ବିଳମ୍ବିତ ରାତିରେ ଘଟିଥିବା ନେଇ ଅନୁମାନ କରାଯାଉଛି । ବାପପୁଅଙ୍କ ଏଭଳି ଦୁଃଖଦ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ହିନ୍ଦୁସ୍ଥାନ ସମାଚାର / ରାକେଶ