
କେନ୍ଦୁଝର, ୧୫ ମାର୍ଚ୍ଚ (ହି.ସ.)- କେନ୍ଦୁଝର ଜିଲ୍ଲା ପାଟଣା ଓ ସାହାରପଡା ବ୍ଲକର ସାମ୍ବାଦିକ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଏକ ସମ୍ମିଳନୀ ରବିବାର ଦିନ ପାଟଣା ଆନନ୍ଦେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମସ୍ତ ସାମ୍ବାଦିକମାନେ ଏକତ୍ରିତ ହୋଇ ସାମ୍ବାଦିକ ଏକତା, ପେଶାଗତ ଦାୟିତ୍ୱ ଓ ସମାଜ ପ୍ରତି ଗଣମାଧ୍ୟମର ଭୂମିକା ବିଷୟରେ ଗଭୀର ଆଲୋଚନା କରିଥିଲେ। ଆଲୋଚନା ସମୟରେ ସାମ୍ବାଦିକମାନେ କହିଥିଲେ ଯେ, ସମାଜରେ ଘଟୁଥିବା ସତ୍ୟ ଘଟଣାକୁ ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କରିବା ସାମ୍ବାଦିକଙ୍କ ପ୍ରଥମ କର୍ତ୍ତବ୍ୟ। ଦୁର୍ନୀତି ବିରୋଧରେ ସ୍ୱର ଉଠାଇବା, ଲୋକଙ୍କ ସମସ୍ୟାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଓ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ସମାଜରେ ପହଞ୍ଚେଇବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ସେହିପରି ସାମ୍ବାଦିକମାନଙ୍କ ମଧ୍ୟରେ ଏକତା ଓ ସୁସମ୍ପର୍କ ରହିଲେ ସମାଜର ବିଭିନ୍ନ ସମସ୍ୟାକୁ ଶକ୍ତିଶାଳୀ ଭାବରେ ଉଠାଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ମାନବିକତା, ସହଯୋଗ ଓ ସମାଜସେବା ମନୋଭାବ ସହିତ ସାମ୍ବାଦିକତା କରିଲେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିହେବ ବୋଲି ଆଲୋଚନାରେ ଉଲ୍ଲେଖ କରାଯାଇଥିଲା। ଏହି ସମ୍ମିଳନୀରେ ସାମ୍ବାଦିକମାନେ ଆଗାମୀ ଦିନରେ ଏକତାବଦ୍ଧ ଭାବରେ କାମ କରି ସତ୍ୟ ଓ ନିଷ୍ପକ୍ଷ ସମ୍ବାଦ ପ୍ରଚାର କରିବା ସହିତ ସମାଜର ଉନ୍ନତି ପାଇଁ ସଦା ପ୍ରୟାସରତ ରହିବାକୁ ସଙ୍କଳ୍ପ ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତ ସାମ୍ବାଦିକ ମିଶି ଏକ ସ୍ମୃତିମୟ ମୁହୂର୍ତ୍ତକୁ ଫଟୋ ମାଧ୍ୟମରେ ସଂରକ୍ଷଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA