ଓଡ଼ିଶାର ପାଣି, ଛତିଶଗଡରେ ପ୍ରକଳ୍ପ, ଜିଲ୍ଲା ପ୍ରଶାସନ ତଦନ୍ତ କରିବାକୁ ଦାବି
ଜୟପୁର, ୩୧ ମାର୍ଚ୍ଚ (ହି.ସ.)- ଓଡ଼ିଶା ପାଣି ଛତିଶଗଡ଼ରେ ପ୍ରକଳ୍ପ । ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହୋଇଛି । ଜିଲା ପ୍ରଶାସନ ନିକଟରେ ଏହାର ସୁରାକ ମଧ୍ୟ ନାହିଁ । ଦୈନିକ ଶୋଷୁଛି ୧ଲକ୍ଷ କ୍ୟୁବିକ ମିଟର । ଜଳକର ବାବଦରେ ଓଡ଼ିଶା ଟଙ୍କାଏ ବି ପାଉନି । କୋରପୁଟ ଜିଲା ବୈପାରିଗୁଡା ବ୍ଲକ ଗ
ଓଡ଼ିଶାର  ପାଣି ଛତିଶଗଡରେ ପ୍ରକଳ୍ପ, ତଦନ୍ତ କରିବାକୁ ଦାବି


ଜୟପୁର, ୩୧ ମାର୍ଚ୍ଚ (ହି.ସ.)- ଓଡ଼ିଶା ପାଣି ଛତିଶଗଡ଼ରେ ପ୍ରକଳ୍ପ । ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହୋଇଛି । ଜିଲା ପ୍ରଶାସନ ନିକଟରେ ଏହାର ସୁରାକ ମଧ୍ୟ ନାହିଁ । ଦୈନିକ ଶୋଷୁଛି ୧ଲକ୍ଷ କ୍ୟୁବିକ ମିଟର । ଜଳକର ବାବଦରେ ଓଡ଼ିଶା ଟଙ୍କାଏ ବି ପାଉନି । କୋରପୁଟ ଜିଲା ବୈପାରିଗୁଡା ବ୍ଲକ ଗୁପ୍ତେଶ୍ୱର ନିକଟ ଦେଇ ଯାଇଥିବା ସାବେରୀ ନଦୀରେ ନିଜ ସୀମା ଦର୍ଶାଇ ପ୍ରକଳ୍ପ କରି ଛତିଶଗଡ଼ ଏପରି ଚାଲ କରି ଗତ ୫ ବର୍ଷ ଧରି ପାଣି ଶୋଷି ଚାଲିଛି । ହେଲେ ଏ ନେଇ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ସହ କୌଣସି ଚୁକ୍ତି ହୋଇନାହିଁ । କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ତହସିଲ ତାଲୁର ମୌଜାର ତାଲୁର ଗାଁ ନିକଟ ଦେଇ ପ୍ରବାହିତ ହୋଇଛି ସାବେରୀ ନଦୀ । ନଦୀ ଅପରପାର୍ଶ୍ୱରେ ରହିଛି ଛତିଶଗଡ ରାଜ୍ୟ ବସ୍ତର ଜିଲ୍ଲା ନାନଗୁରୁ ତହସିଲର ତିରିଆ ଗାଁ । ଉଭୟ ରାଜ୍ୟର ସୀମାନ୍ତକୁ

ସାବେରୀ ନଦୀ ଲାଗିଥିବାରୁ ଏହାର ଫାଇଦା ଉଠାଇ ଚାଲିଛି ଛତିଶଗଡ଼ । ନଦୀର ଅଧା ସୀମା ନିଜ ରାଜ୍ୟର ଦର୍ଶାଇ ଛତିଶଗଡ଼ ନଦୀଗର୍ଭରେ ନିର୍ମାଣ କରିଛି ମେଗା ଜଳ ପ୍ରକଳ୍ପ । ଯାହାର ପାଣି ନଗରନାରସ୍ଥିତ ଏନ୍ଏମ୍ଡିସି (ନ୍ୟାସନାଲ ମିନେରାଲ ଡେଭଲପମେଣ୍ଟ କମ୍ପାନି) କୁ ଯାଉଛି । ୨୦୧୫ରୁ ସେମାନେ ପ୍ରକଳ୍ପ ନିର୍ମାଣ ଆରମ୍ଭ କରିଥିଲେ । ୩୧୯ କୋଟି ଟଙ୍କାର ଏହି ପ୍ରକଳ୍ପ ୨୦୨୧ ଜୁଲାଇରେ କାର୍ଯ୍ୟକ୍ଷମ ହୋଇଥିଲା । ମେଗା ଇଞ୍ଜିନିୟରିଂ ପ୍ରକଳ୍ପର ତଦାରଖ କରୁଥିବା ବେଳେ ୩୦ କି.ମି. ପାଇପ୍ ଲାଇନ୍ ଜରିଆରେ କମ୍ପାନିକୁ ଜଳ ଯୋଗାଣ କରୁଛି । ସରକାରୀ ନଥିପତ୍ରରେ କମ୍ପାନି ଦୈନିକ ୧ଲକ୍ଷ କ୍ୟୁବିକ୍ ମିଟର ଜଳଯୋଗାଣ କରୁଥିବା ଦର୍ଶାଇଛି । କିନ୍ତୁ ପ୍ରକଳ୍ପର ପମ୍ପ ହାଉସ୍ ଏବଂ ପାଇପ୍ ଲାଇନ୍ କୁ ଦେଖିଲେ ବାସ୍ତବତାରୁ ଅଧିକ ଜଳ କମ୍ପାନି ସାବେରୀ ନଦୀରୁ ଶୋଷୁଛି । ପମ୍ପ ହାଉସ୍ ତଳେ ଥିବା ଇନଟେକ୍ ୱେଲ୍ କୁ କମ୍ପାନି ୩୫ ମିଟର ଲମ୍ବା ଏବଂ ୮ ମିଟର ଓସାରରେ

ନିର୍ମାଣ କରିଛି । ଏଥି ସହିତ ୧୬୦୦ କିଲୋୱାଟ୍ କ୍ଷମତା ବିଶିଷ୍ଟ ୮ଟି ପମ୍ପ ସଂଯୋଗ କରିଛି । ପମ୍ପ ହାଉସ୍ ଉଚ୍ଚତାରୁ ୨୦ ମିଟର ତଳୁ ପାଇପ ମାଧ୍ୟମରେ କମ୍ପାନି ପାଣି ଉଠାଉଥିବା ବେଳେ ୮ଟି ପମ୍ପରୁ ୨ଟି ହିଁ ଦୈନିକ କାର୍ଯ୍ୟକ୍ଷମ କରୁଥିବା କହିଛି । ସାବେରୀ ନଦୀର ସର୍ବନିମ୍ନ ଜଳସ୍ତର ୧୭.୫ ମିଟର ରହୁଥିବା ବେଳେ କମ୍ପାନି କାହା ଅନୁମତିରେ ୨୦ ମିଟର ତଳୁ ପାଣି ଉଠାଉଛି ସେ ନେଇ ସ୍ପଷ୍ଟ ସୂଚନା ନାହିଁ । ନଗରନାର ଏନ୍ଏମ୍ଡିସିକୁ ଯାଉଥିବା ଜଳ ବାବଦରେ ପ୍ରତି ବର୍ଷ ଛତିଶଗଡ଼ କମ୍ପାନିରୁ କୋଟି କୋଟି ଟଙ୍କାର ଜଳକର ଆଦାୟ କରୁଛି । କିନ୍ତୁ ଓଡ଼ିଶା ପାଣି ଯୋଗାଇ ଜଳକା ସାଜିଛି । ସବୁଠୁ ବଡ଼ କଥା ହେଲା ଛତିଶଗଡ଼ର ଏହି ପ୍ରକଳ୍ପ ବାବଦରେ କୋରାପୁଟ ଜିଲ୍ଲା ପ୍ରଶାସନ ନିକଟରେ କୌଣସି ସୂଚନା ନାହିଁ । ବୈପାରିଗୁଡ଼ା ତହସିଲଦାର ସ୍ନିଗ୍ଧା ଚୌଧୁରୀ କହିଛନ୍ତି, ପ୍ରକଳ୍ପ ଏବଂ ଜଳଚୁକ୍ତି ନେଇ ତହସିଲରେ କୌଣସି ସୂଚନା ନାହିଁ । ଜିଲ୍ଲାପାଳ କିମ୍ବା ଜଳ ସମ୍ପଦ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିଲେ ତଦନ୍ତ କରି ରିପୋର୍ଟ ଦିଆଯିବ । ସୂଚନାଯୋଗ୍ୟ, ଓଡ଼ିଶାର ପୂର୍ବଘାଟ ପର୍ବତମାଳାର ସିଙ୍କରାମରୁ ଉତ୍ପତ୍ତି ସାବେରୀ ନଦୀ କୋଲାବ ପ୍ରକଳ୍ପର ପ୍ରମୁଖ ନଦୀ ଭାବେ ପରିଚିତ । ବାର୍ଷିକ ସାବେରୀ ନଦୀ ଅବବାହିକାରେ ୧୨୫୦ ମି.ମି. ବର୍ଷା ହେଉଥିବା ବେଳେ କୋଲାବ ଜଳ ବିଦ୍ୟୁତ ପ୍ରକଳ୍ପରୁ ନିର୍ଗତ ପାଣି ଏହି ନଦୀରେ ପ୍ରବାହିତ ହୋଇ ଛତିଶଗଡ଼ ଦେଇ ଆନ୍ଧ୍ରର ଗୋଦାବରୀରେ ମିଶିଛି । ଯାହାର ଫାଇଦା ଉଠାଇ ଚାଲିଛି ଛତିଶଗଡ଼ । ତେଣୁ ଜିଲା ପ୍ରଶାସନ ତୁରନ୍ତ ତଦନ୍ତ କରି ପଦକ୍ଷେପ ନିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande