
କେନ୍ଦୁଝର, ୩୧ ମାର୍ଚ୍ଚ (ହି.ସ.)- ଆଜି କେନ୍ଦୁଝର ଜିଲ୍ଲା ଦୌରାଜଜ୍ ଏକ ହତ୍ୟା ମାମଲାର ଶୁଣାଣି କରି ଦଶ ଜଣ ଦୋଷୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସଜା ଶୁଣାଇଛନ୍ତି। ଏହା ସହ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଏକ ବର୍ଷ କାରାଦଣ୍ଡ ଆଦେଶ ଦେଇଛନ୍ତି ବିଚାରପତି।
ପ୍ରକାଶ ଯେ, ୨୦୧୯ ମସିହା ଜୁଲାଇ ୨୬ ତାରିଖରେ ପାଟଣା ଥାନା ଅନ୍ତର୍ଗତ ଫୁଲଫାହାଡ଼ି ଗ୍ରାମରେ ଏକ ଗ୍ରାମ ଜୋରିମାନା ଘଟଣାକୁ ନେଇ ଜଣକୁ ଦଶ ଜଣ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଫୁଲପାହାଡ଼ି ଗ୍ରାମର ଫଗୁ ମାଝୀଙ୍କ ବାପା ଓ ମା ଙ୍କୁ ଗ୍ରାମବାସୀ କୌଣସି ଏକ କାରଣରୁ ବୈଠକ କରି ଆଠ ହଜାର ଟଙ୍କା ଜୋରିମାନା ଲଗାଇଥିଲେ। ଏହାକୁ ଶୀଘ୍ର ଦେବା ନେଇ ସେମାନେ ଅସମର୍ଥ ହେବାରୁ ଅଭିଯୁକ୍ତମାନେ ତାଙ୍କୁ ଘରୁ ଡାକି ପିଟାପିଟି କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ତାଙ୍କ ମା ବଞ୍ଚିକି ପଳେଇ ଆସିଥିବା ବେଳେ ବାପା କାଦେ ମାଝୀଙ୍କ ମୃତ୍ୟୁ ହୋଇଥିଲା।
ଏନେଇ ଥାନାରେ ୯୩/୨୦୧୯ ଆଇପିସି ୩୦୨/୩୬୪/୩୪, ଏସଟି କେସ ନଂ ୧୫/୨୦୨୦, ୧୪୮/୨୦୧୯ ଧାରାରେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ କରି ପୋଲିସ ଦଶ ଜଣଙ୍କୁ ଗିରଫ କରିଥିଲା। ୯ ଜଣ ସାକ୍ଷ୍ୟ ପ୍ରମାଣରେ ଆଜି କୋର୍ଟ ଦଶ ଜଣଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସଜା ଶୁଣାଇଛନ୍ତି।
ଅଭିଯୁକ୍ତ ମାନେ ହେଲେ ବଳରାମ ମାଝୀ, ମିର୍ଜା ମାଝୀ, ପାଣ୍ଡିଆ ମାଝୀ, ମାଙ୍ଗତ ମାଝୀ, ଶ୍ୟାମ ସୁନ୍ଦର ମାଝୀ, ଶୁକଦେବ ମାଝୀ, ବାବୁଲା ମାଝୀ, ଭବହି ମାଝୀ, ଧନେଶ୍ୱର ମାଝୀ ଓ ସାସଙ୍ଗ ମାଝୀ। ଉକ୍ତ କେଶକୁ ପି.ପି. ପ୍ରଦିପ ଦାସ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA