
ଇସଲାମାବାଦ, ଏପ୍ରିଲ 17 (ହି.ସ.)-ପାକିସ୍ତାନର ଖୈବର ପଖ୍ତୁନଖ୍ୱା ପ୍ରଦେଶର ହରିପୁରରେ ଏକ ଗ୍ୟାସ ପାଇପଲାଇନ ବିସ୍ଫୋରଣରେ 8 ଜଣଙ୍କର ମୃତ୍ୟୁ ହୋଇଛି। ବିସ୍ଫୋରଣରେ ଫସିଥିବା ଅନ୍ୟ 5 ଜଣଙ୍କ ଅବସ୍ଥା ଗୁରୁତର। ମୃତକଙ୍କ ମଧ୍ୟରେ ମହିଳା ଏବଂ ପିଲା ଅଛନ୍ତି; ସମସ୍ତ ପୀଡିତ ଗୋଟିଏ ପରିବାରର ଥିଲେ। ହତ୍ତାର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ମଧ୍ୟରେ ଏକ ଗ୍ୟାସ ପାଇପଲାଇନରେ ଅଗ୍ନିକାଣ୍ଡ ଘଟିବାରୁ ସେମାନେ ଫସି ଯାଇଥିଲେ।ନିଆଁ ଲିଭାଇବା ପାଇଁ ପଡ଼ୋଶୀ ଅଞ୍ଚଳରୁ ଅଗ୍ନିଶମ କର୍ମଚାରୀଙ୍କୁ ଡକାଯାଇଥିଲା। ଦ ଏକ୍ସପ୍ରେସ ଟ୍ରିବ୍ୟୁନ୍ ର ଏକ ରିପୋର୍ଟ ଅନୁଯାୟୀ, ହରିପୁର ଡେପୁଟି କମିଶନର ୱାସିମ ଅହମ୍ମଦ ମୃତାହତଙ୍କ ସଂଖ୍ୟା ନିଶ୍ଚିତ କରି କହିଛନ୍ତି ଯେ ଘଟଣାଟି ଗୁରୁବାର ଘଟିଥିଲା। ନିଆଁରେ ଫସି ରହିଥିବା 6 ଜଣଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ, ଦୁଇ ଯୁବତୀ, ଦୁଇ ବୃଦ୍ଧ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ସେ ଆହୁରି କହିଛନ୍ତି ଯେ ସାତରୁ ଆଠ ଘଣ୍ଟା ଧରି ପ୍ରୟାସ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା ଏବଂ ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ସମାପ୍ତ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା