
Bhubaneswar, 27 ଏପ୍ରିଲ୍ (ହି.ସ.)
ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଗତ ୨୪ ତାରିଖରୁ ଚାଲିଥିବା ରାଜ୍ୟ ସ୍ତରୀୟ ୩୭ତମ ଜୁନିୟର, କ୍ୟାଡେଟ୍ ଏବଂ ୩୮ ତମ ସବ୍ ଜୁନିୟର କରାଟେ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମୋଟ ୬୫୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ୫୮ଟି ସ୍ଵର୍ଣ୍ଣ ସହ ମୋଟ ୧୮୨ ପଦକ ସହ ଭୁବନେଶ୍ୱର ପ୍ରଥମ ସ୍ଥାନ,୯ଟି ସ୍ଵର୍ଣ୍ଣ ସହ ମୋଟ ୨୬ ପଦକ ସହ କୋରାପୁଟ ଜିଲ୍ଲା ଦ୍ଵିତୀୟ ସ୍ଥାନ ଓ ୮ଟି ସ୍ଵର୍ଣ୍ଣ ମୋଟ ୩୦ ପଦକ ସହ ବାଲେଶ୍ୱର ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଶା କରାଟେ ସଂଘର ପୂର୍ବତନ ସଂପାଦକ ପ୍ରକାଶ ପଟ୍ଟନାୟକ, ଉପଦେଷ୍ଟା ସନକ ନାୟକ, ସଭ୍ୟ ହିମାଂଶୁ ଶେଖର ଦାସ ପ୍ରମୁଖ ପୁରସ୍କାର ବିତରଣ କରିଥିଲେ। ଓଡ଼ିଶା ରାଜ୍ୟ କରାଟେ ସଂଘର ସଭାପତି ଡକ୍ଟର ହରିପ୍ରସାଦ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ସଂପାଦକ ଡକ୍ଟର ଗୌରି ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତା ପରିଚାଳନାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୩୫ ଜଣ ବିଚାରକ ଭାବରେ ଭାଗ ନେଇଥିଲେ। ଉତ୍କଳ କରାଟେ ସ୍କୁଲର କାର୍ଯ୍ୟକର୍ତ୍ତା ଅବିନାଶ ପୁନ୍ଦିର, ସଂଦିପ ଦାଶ, ସଂନ୍ତୋଷ ମହାରଣା , ଦିଲ୍ଲିପ ଜେନା, ସପନ ମିଶ୍ର, ରଜନୀ ବିଶି, ସଂଜୀବ ପୁଟେଲ୍ ଓ ସମସ୍ତ ସଭ୍ୟ ଉପରୋକ୍ତ ପ୍ରତିଯୋଗିତାକୁ ସଫଳତାର ସହ ପରିଚାଳନା କରିବାରେ ସହଯୋଗ କରିଥିଲେ। ସମସ୍ତ ବିଚାରକ ବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ପ୍ରକାଶଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ପ୍ରତିଯୋଗି ମାନେ “କରାଟେ ଇଣ୍ଡିଆ ଅର୍ଗାନାଇଜେସନ୍” ଦ୍ଵାରା ଆୟୋଜିତ ଜାତୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା