

ଭୁବନ, ୧ ମଇ (ହି.ସ.)- ଆଜି ଢ଼େଙ୍କାନାଳରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ସ୍ଥାନୀୟ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟରଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଶ୍ରମିକ ଭାଇ ଭଉଣୀମାନଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ, ସେମାନଙ୍କର ସହଯୋଗ ବିନା କୌଣସି ପ୍ରକାରର ନିର୍ମାଣ ସମ୍ଭବ ନୁହେଁ ବୋଲି ପ୍ରକାଶ କରିଥିଲେ । ରାଜ୍ୟ ତଥା ଦେଶର ସାମଗ୍ରିକ ବିକାଶ ସେମାନଙ୍କର ନିରନ୍ତର ଉଦ୍ୟମ ଯୋଗୁଁ ସମ୍ଭବ ହୋଇ ପାରୁଛି ବୋଲି ମତବ୍ୟକ୍ତ କରି ସେମାନଙ୍କର ଭୂରି ଭୂରି ପ୍ରଶଂସା କରିଥିଲେ । କୌଣସି ଶ୍ରମିକ ଭାଇ ଭଉଣୀ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେଲେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ କହିଥିଲେ । ସମ୍ମାନିତ ଅତିଥି ଭାବେ ପରଜଙ୍ଗର ବିଧାୟକ ବିଭୂତି ଭୂଷଣ ପ୍ରଧାନ ଯୋଗଦେଇ ଶ୍ରମିକ ଭାଇ ଭଉଣୀମାନଙ୍କ ବିନା କୌଣସି ପ୍ରକାରର ଉନ୍ନତି ସମ୍ଭବ ନୁହେଁ ବୋଲି ମତ ପ୍ରକାଶ କରିଥିଲେ । ଜିଲାର କୌଣସି ଶ୍ରମିକ ଭାଇ ଭଉଣୀ ଯେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ତାହାର ସମାଧାନ ପାଇଁ ତାଙ୍କର ପରାମର୍ଶ ନେବାକୁ ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର କହିଛନ୍ତି ।
ଏହି ଅବସରରେ ଶ୍ରମିକମାନଙ୍କ ପିଲାଙ୍କ ଶିକ୍ଷା, ବିବାହ, ପ୍ରସୂତିକାଳୀନ ସହାୟତା, ମୃତ୍ୟୁକାଳୀନ ସହାୟତା ଓ ଅନ୍ତେଷ୍ଟିକ୍ରିୟା ପାଇଁ ୯୬୬ ଜଣ ହିତାଧିକାରୀଙ୍କୁ ଡ଼ି.ବି.ଟି . ମାଧ୍ୟମରେ ୫,୧୭,୧୩,୮୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା ବେଳେ ୩୫୦ ଜଣଙ୍କୁ ପରିଚ଼ୟ ପତ୍ର ପ୍ରଦାନ କରାଯାଇଥିଲା ।
ପ୍ରାରମ୍ଭରେ ଜିଲ୍ଲା ଶ୍ରମ ଅଧିକାରୀ ତପନ କୁମାର ସୁତାର ସ୍ୱାଗତ ଭାଷଣ ଦେଇଥିଲେ । ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦିପ୍ତୀ ରଂଜନ ସେଠୀ, ଡ଼ି.ଏସ.ପି. ଶ୍ରୀମତୀ କେ. ଜିସା, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ମୋନାଲିସା ନାୟକ ପ୍ରମୁଖ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଶ୍ରମିକମାନଙ୍କ ଭୂମିକା ଓ ଶ୍ରମ ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ସହକାରୀ ଶ୍ରମ ଅଧିକାରୀ ସଂଗ୍ରାମ ଦଳାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ