ସେବା କାଗଜ କଳ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ ଶ୍ରମିକମାନଙ୍କ ସମସ୍ୟା ସମାଧାନ ଦାବିରେ ୭ଶହ ଦିନରେ ପହଂଚିଲା ଦଣ୍ଡାୟମାନ ଧାରଣା
ଜୟପୁର, ୧୭ ମଇ(ହି.ସ.) – ଜୟପୁର ସେବା କାଗଜ କଳ ଦୀର୍ଘ ଦୁଇବର୍ଷ ହେଲା ବନ୍ଦ ରହିଛି, ଶ୍ରମିକମାନେ ଡ୍ୟୁଟି ଯାଉଛନ୍ତି କିନ୍ତୁ ଦରମା ନାହିଁ। ଅବସରପ୍ରାପ୍ତ ଶ୍ରମିକମାନଙ୍କ ବକେୟା ପାଉଣା ପ୍ରଦାନ କରାଯାଉନାହିଁ। ସେବା କାଗଜ କଳ ଶ୍ରମିକ ସଂଘ ଓ ଅବସରପ୍ରାପ୍ତ ଶ୍ରମିକମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠ
ସେବା କାଗଜ କଳ ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ଦାବିରେ  ୭ଶହ ଦିନରେ ପହଁଚିଲା ଦଣ୍ଡାୟମାନ ଧାରଣା


ଜୟପୁର, ୧୭ ମଇ(ହି.ସ.) – ଜୟପୁର ସେବା କାଗଜ କଳ ଦୀର୍ଘ ଦୁଇବର୍ଷ ହେଲା ବନ୍ଦ ରହିଛି, ଶ୍ରମିକମାନେ ଡ୍ୟୁଟି ଯାଉଛନ୍ତି କିନ୍ତୁ ଦରମା ନାହିଁ। ଅବସରପ୍ରାପ୍ତ ଶ୍ରମିକମାନଙ୍କ ବକେୟା ପାଉଣା ପ୍ରଦାନ କରାଯାଉନାହିଁ।

ସେବା କାଗଜ କଳ ଶ୍ରମିକ ସଂଘ ଓ ଅବସରପ୍ରାପ୍ତ ଶ୍ରମିକମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଷ୍ପତି ନିଆଯାଇଛି ଯେ ଆନ୍ଦୋଳନକୁ ଜାରି ରଖିବା ସହ ଆଗକୁ ଏହାକୁ ଜୟପୁର ଜନସାଧାରଣଙ୍କ ଆନ୍ଦୋଳନରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯିବ। ଏହି କାଗଜ କଳ ଜୟପୁରର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବେକାର ସମସ୍ୟା ସମାଧାନ କରିବାରେ ଯଥେଷ୍ଟ ସାମର୍ଥ୍ୟ ରଖୁଥିଲା ଏବଂ ଜୟପୁରର ଅର୍ଥନୈତିକ ଜୀବନ ରେଖା ଭାବେ ପରିଗଣିତ ହେଉଥିଲା। ଏଣୁ ଜୟପୁର ଜନସାଧାରଣଙ୍କ ସହାୟତାରେ ୧୯୮୭ରୁ ୧୯୯୨ ପର୍ଯ୍ୟନ୍ତ ଲଗାତାର ଭାବେ ଆନ୍ଦୋଳନ କରି କାରଖାନାକୁ ପୁନରୁଦ୍ଧାର କରାଯାଇଥିଲା ଓ ସେହି ଆନ୍ଦୋଳନରେ ଜୟପୁରର ସକଳ ବର୍ଗର ଜନସାଧାରଣ ସାମିଲ ହୋଇଥିଲେ। ଆଗାମୀ ଦିନରେ ସେହିପରି ଆନ୍ଦୋଳନ କରି ସରକାରଙ୍କୁ ହସ୍ତକ୍ଷେପ କରି କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନେବାକୁ ବାଧ୍ୟ କରାଯିବ, ଯେତେବେଳେ କି ନୂତନ ଶିଳ୍ପ ଗଠନ ପାଇଁ ସରକାର ଆହ୍ୱାନ କରୁଛନ୍ତି ସେତିକିବେଳେ ପୁରୁଣା ଶିଳ୍ପର ଉଦ୍ଧାର ପାଇଁ ପ୍ରାଧାନ୍ୟ ଦେବା ଏକ ସଚେତନତାଶୀଳ ସରକାରର କାର୍ଯ୍ୟ ବୋଲି ୟୁନିଅନ ସଭାପତି ଶ୍ରୀ ପ୍ରମୋଦ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ ତିନି ତିନି ଥର କୋରାପୁଟ ମାଟିରେ କାରଖାନାକୁ ନିଶ୍ଚୟ ଚାଲୁ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କାରଖାନାରେ ସିକ୍ୟୁରିଟି ସେବା ନାହିଁ ଯେଉଁଥିପାଇଁ କି ଚୋରି ବଢ଼ୁଛି। ଖୁବ୍ଶୀଘ୍ର ଜୟପୁରର ବିଭିନ୍ନ ସଂଗଠନମାନଙ୍କୁ ନେଇ ଏକ କନଭେନସନ୍ କରାଯିବା ସହ ଆନ୍ଦୋଳନ କାର୍ଯ୍ୟକ୍ରମ ସ୍ଥିର କରାଯିବ ବୋଲି ଶ୍ରୀ ପ୍ରମୋଦ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଆବଶ୍ୟକ ସ୍ଥଳେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାର ଯୋଜନା ମଧ୍ୟ କରାଯିବ। ଆଜିର ସଭାରେ ଉପସଭାପତି ଶ୍ରୀ ପ୍ରମୋଦ କୁମାର ତିୱାରୀ ସଭାପତିତ୍ୱ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଦୀପ କୁମାର ପାଞ୍ଜିଆ, ବସନ୍ତ ବେହେରା, ସୁଦର୍ଶନ ବିଷୋୟୀ, ଭାସ୍କର ମିଶ୍ର, ସୁବାସ ବେହେରା, ଧ୍ରୁବଚରଣ ମଲ୍ଲିକ, ସରୋଜ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande