
କେନ୍ଦ୍ରାପଡ଼ା, ୧୭ ମଇ(ହି.ସ.) – କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୁବ ସ୍ୱାଭିମାନ ସଂଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହ ଅସହାୟ, ଗରିବ, ମେଧାବୀ ଛାତ୍ର ଛାତ୍ରୀଙ୍କୁ ସହଯୋଗ କରିଆସୁଛି। ଦୀର୍ଘ ୮ ବର୍ଷ ହେଲା ନିମପୁର ଶାସନ ଗ୍ରାମର କୁନ୍ତଳା ମଲ୍ଲିକଙ୍କ ସ୍ୱାମୀ ସୁରେନ୍ଦ୍ର ମଲ୍ଲିକ ଫୁସ୍ଫୁସ୍ ଜନିତ ରୋଗରେ ପୀଡିତ ହୋଇ ଘରେ ପଡିରହିଥିଲେ। ଦୁଇ ଛୋଟ ଛୋଟ ନାବାଳକ ଝିଅ ସାଙ୍ଗକୁ ଗୋଟିଏ ସାତ ବର୍ଷର ପୁଅକୁ ନେଇ ପରିବାର ଭୋକ ଉପାସରେ ଚଳୁଥିଲେ। ଘରେ ରୋଜଗାରକ୍ଷମ କେହି ନାହାଁନ୍ତି। ଏହି ପରିସ୍ଥିତିରେ ସ୍ତ୍ରୀ କୁନ୍ତଳା ସ୍ୱାମୀଙ୍କ ଚିକିତ୍ସା ନିମନ୍ତେ ଛୋଟ ଛୋଟ ପିଲାମାନଙ୍କୁ ଘରେ ଏକୁଟିଆ ଛାଡି ସାହାଯ୍ୟ ପାଇଁ ଏ ଘରୁ ସେ ଘରକୁ ଯାଇଥାଏ। ଖବରପାଇ କେନ୍ଦ୍ରାପଡାର ଯୁବ ସ୍ୱାଭିମାନ ସଂଗଠନ ସୁରେନ୍ଦ୍ରଙ୍କ ପାଇଁ ଦୁଇଟି ମେସିନ୍ ଭଡାରେ ଆଣିଛନ୍ତି। ଯାହାର ମୂଲ୍ୟ ମାସିକ ୫ ହଜାର ଟଙ୍କା। ପ୍ରତ୍ୟେକ ମାସରେ ଦୁଇଟି ମେସିନ୍ ପାଇଁ ୧୦ ହଜାର ଟଙ୍କା ଭଡା ଦେବାକୁ ପଡୁଛି। ଏହି ସହାୟତାରେ ଯୁବ ସ୍ୱାଭିମାନ ଗୋଷ୍ଠୀ ସଂଗଠନର ସଭାପତି ସ୍ମୃତିରଂଜନ ଜେନାଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ହୋଇ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାପାଇଁ ନିବେଦନ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି