
ଭୁବନେଶ୍ୱର, ୦୨ ମଇ (ହି.ସ.)- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଶନିବାର ଦିନ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟଫାଇଣ୍ଡିଂ ଟିମ ଏସସିବି ହସପିଟାଲ ଯାଇ ଢ଼େଙ୍କାନାଳ ଜିଲ୍ଲା ଭାପୁର ପୀଡ଼ିତାଙ୍କୁ ସାକ୍ଷାତକରି ପୀଡ଼ିତାର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ। ଏହାପରେ ଏହି ଟିମ ହସପିଟାଲର ସୁପିରିଟେଣ୍ଡେଟ ଏବଂ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଭେଟି ପୀଡ଼ିତା କେଉଁ ସ୍ଥିତିରେ ଅଛି ସେ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ଶ୍ରୀମତୀ ବାହିନୀପତି କହିଥିଲେ ଯେ ଅପରାଧି ମାନଙ୍କୁ ଏପର୍ଯ୍ୟନ୍ତ ପୋଲିସ ଗିରଫ ନକରିପାରିବା ଦୁର୍ଭାଗ୍ୟଜନକ। ପୀଡ଼ିତା ଦଳିତ ବର୍ଗର। ଦୁଷ୍କର୍ମପରେ ତାଙ୍କୁ ଯେଭଳି ଅମାନୁଷିକ ଭାବରେ ଆକ୍ରମଣ କରାଯାଇଛି ତାହାହୃଦୟବିଦାରକ। ତାଙ୍କ ମୁହଁ, ମୁଣ୍ଡ ଓ ଦେହର ବିଭିନ୍ନ ସ୍ଥାନରେ ଯେଉଁଭଳି
ଭାବରେ ଗଭିର କ୍ଷତ ହୋଇଛି ତାହା ମର୍ମନ୍ତୁଦ। ପୀଡ଼ିତାର ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି, ପୀଡ଼ିତା ଓ ତାର ପରିବାରକୁ ସୁରକ୍ଷା ଏବଂ ଦୋଷୀକୁ ତୁରନ୍ତ ଗିରଫ କରାଯାଇ ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ଶ୍ରୀମତୀ ମିନାକ୍ଷୀ ବାହିନୀପତି ଦାବି ଜଣାଇଛନ୍ତି।
ଆଜିର କାର୍ଯ୍ୟକ୍ରମରେ ସସ୍ମିତା ବେହେ-ରା, ସିପ୍ରା ମଲ୍ଲିକ, ସୋନାଲି ସାହୁ, ପ୍ରଣତୀ ମିଶ୍ର, ଜୟଶ୍ରୀ ପଟ୍ଟନାୟକ, ମନିଷା ଦାଶ ପଟ୍ଟନାୟକ, ସମସିଦା ତାୟବ, ଅମ୍ରିତା ଦାସ, ମାଣିକ ପ୍ରଭା, ଶିଳ୍ପିଶ୍ରୀ ହରିଚନ୍ଦନ, କର୍ପୋରେଟର ସନ୍ତୋଷ ଭୋଳ, କର୍ପୋରେଟର ଜେ କାମେଶ୍ୱର ରାଓ, ସୁଭାଶିଷ ପଟ୍ଟନାୟକ, ଜନାର୍ଦ୍ଦନ ପରିଡ଼ା, ପ୍ରତାପ ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା