
ଚମ୍ପୁଆ, 26 ମେ (ହି.ସ.)
ସରକାର ଭିଷଣ ଖରାରେ ସମୁହ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ରାସ୍ତା କଡ଼ ଏବଂ ଛକ ସ୍ଥାନ ମାନଙ୍କରେ ଜଳଛତ୍ର ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ କରୁଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଏବଂ ଖାମଖିଆଲି ନୀତି ଯୋଗୁଁ ଜଳଛତ୍ର ଗୁଡ଼ିକ ବହୁ କ୍ଷେତ୍ରରେ ଠିକ ଭାବେ ସେବା ଯୋଗାଇ ପାରୁ ନ ଥିବା ଦେଖିବାକୁ ମିଳୁଛି। ସରକାରୀ ଅଧିକାରୀମାନେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ହାତରେ ଏହି ଜଳ ଛତ୍ର ଗୁଡିକ ଟେକି ଦେଇ ନିଜର ଦାୟିତ୍ୱ ସାରି ଦେଉଛନ୍ତି। ପ୍ରତିଦିନ ସମସ୍ତ ଜଳଛତ୍ରରେ ପାଣି ରହୁଛି କି ନାହିଁ ଏବଂ ସେଗୁଡ଼ିକ ସୁରକ୍ଷିତ ଅଛି କି ନାହିଁ ତାହା ଯାଞ୍ଚ କରା ଯାଉ ନାହିଁ । ଫଳରେ କୋଉଠି ହାଣ୍ଡିରେ ପାଣି ରହୁ ନାହିଁ ତ କୋଉଠି ମୂଳରୁ ପାଣି ହାଣ୍ଡି ହିଁ ଗାୟବ ହୋଇ ଯାଉଛି। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଚମ୍ପୁଆ ଏନ ଏ ସି ଅନ୍ତର୍ଗତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ନିକଟରେ ଥିବା ଜଳ ଛତ୍ରରେ। ଏହି ଜାତୀୟ ରାଜପଥରେ ପ୍ରତି ମୁହୂର୍ତ୍ତରେ ଦୂର ଦୁରାନ୍ତରୁ ଚମ୍ପୁଆ ମୁଖ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଶହ ଶହ ପଥିକ ଭିଷଣ ଖରା ଗରମରେ ଯିବା ଆସିବା କରୁଛନ୍ତି। କିନ୍ତୁ ଏଠାରେ ଥିବା ଏହି ଜଳ ଛତ୍ରରୁ ପାଣି ହାଣ୍ଡି ଗାୟବ ହେବାର ଦିନ ପରେ ଦିନ ଗଡି ଯାଉଥିଲେ ମଧ୍ୟ ଏଥି ପ୍ରତି ବିଭାଗୀୟ କର୍ତୃପକ୍ଷଙ୍କ ଦୃଷ୍ଟି ନ ପଡିବା ଚମ୍ପୁଆ ଏନଏସି ର ପାରିବା ପଣିଆକୁ ପଦାରେ ପକାଇଛି।
ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ପଥିକମାନଙ୍କ ଶୋଷ ମେଣ୍ଟାଇବା ପାଇଁ ସାଧାରଣତଃ ଏହି ଜଳଛତ୍ରଗୁଡ଼ିକ ଖୋଲାଯାଇଥାଏ। କିନ୍ତୁ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଜଳଛତ୍ରରୁ ପାଣି ହାଣ୍ଡି ଗାୟବ ହେବା ଫଳରେ ତୃଷାର୍ତ୍ତ ପଥିକମାନେ ପାଣି ମୁନ୍ଦେ ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ଚମ୍ପୁଆ ଏନଏସି କର୍ତୃପକ୍ଷ ତୁରନ୍ତ ସେଠାରେ ଏକ ନୂତନ ହାଣ୍ଡି ସହ ପାଣିର ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି।
ଅନ୍ୟପକ୍ଷେ ଜଳଛତ୍ରରୁ ପାଣି ହାଣ୍ଡି ଗାୟବ ହେବା ସ୍ଥାନୀୟ ଅଞ୍ଚଳରେ ଚିନ୍ତା ଓ ଅସନ୍ତୋଷ ସୃଷ୍ଟି କରିଛି। ପଥଚାରୀଙ୍କ ସେବା ପାଇଁ ରଖାଯାଇଥିବା ଏହି ପାଣି ହାଣ୍ଡି କିପରି ଗାୟବ ହେଲା ସେ ନେଇ ଚର୍ଚ୍ଚା ଜୋର ଧରି ଥିବା ବେଳେ ଉଚ୍ଚ କର୍ତୃପକ୍ଷ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବା ସହ ଜଳଛତ୍ର ଗୁଡ଼ିକର ସୁରକ୍ଷା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta