ପିତାଙ୍କ ମୃତ୍ୟୁ ପରେ ମଧ୍ୟ ଭାଙ୍ଗି ପଡ଼ିନି ମନବଳ : ମ୍ୟାଟ୍ରିକ୍ ପରୀକ୍ଷାରେ ୪୮୦ ନମ୍ବର ରଖିଥିବା ଚୟନିକାଙ୍କୁ ‘ମାଣିକ ଲାଲ ଘୋଷ ସ୍ମାରକୀ ସମ୍ମାନ’
ମାଲକାନଗିରି, ୨୬ ମଇ (ହି.ସ.)- ଦୁଃଖ, ଅଭାବ ଓ ପ୍ରତିକୂଳ ପରିସ୍ଥିତି ସତ୍ବେ ମନରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ହାସଲ କରାଯାଇପାରେ ବୋଲି ପ୍ରମାଣ କରିଛନ୍ତି ଏମ୍ପିଭି–୮୩ କୃଷ୍ଣନଗର ଗ୍ରାମର ଛାତ୍ରୀ କୁମାରୀ ଚୟନିକା ରାୟ। ଚଳିତ ଦଶମ ବୋର୍ଡ ପରୀକ୍ଷାରେ ୪୮୦ ନମ୍ବର ରଖି ‘ଏ–୨’ ଗ୍ରେଡ୍ରେ ଉତ୍ତୀର୍
ପିତାଙ୍କ ମୃତ୍ୟୁ ପରେ ମଧ୍ୟ ଭାଙ୍ଗି ପଡ଼ିନି ମନୋବଳ : ମ୍ୟାଟ୍ରିକ୍ରେ ୪୮୦ ନମ୍ବର ରଖିଥିବା ଚୟନିକାଙ୍କୁ ‘ମାଣିକ ଲାଲ ଘୋଷ ସ୍ମାରକୀ ସମ୍ମାନ’


ମାଲକାନଗିରି, ୨୬ ମଇ (ହି.ସ.)- ଦୁଃଖ, ଅଭାବ ଓ ପ୍ରତିକୂଳ ପରିସ୍ଥିତି ସତ୍ବେ ମନରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ହାସଲ କରାଯାଇପାରେ ବୋଲି ପ୍ରମାଣ କରିଛନ୍ତି ଏମ୍ପିଭି–୮୩ କୃଷ୍ଣନଗର ଗ୍ରାମର ଛାତ୍ରୀ କୁମାରୀ ଚୟନିକା ରାୟ। ଚଳିତ ଦଶମ ବୋର୍ଡ ପରୀକ୍ଷାରେ ୪୮୦ ନମ୍ବର ରଖି ‘ଏ–୨’ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇ ସେ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ତେବେ ଏହି ସଫଳତା ପଛରେ ରହିଛି ଏକ ଦୁଃଖଭରା ସଂଘର୍ଷର କାହାଣୀ। କିଛି ଦିନ ପୂର୍ବରୁ ଚୟନିକାଙ୍କ ପିତା ଜିତେଶ ରାୟ (୩୮)ଙ୍କ ଅକାଳ ବିୟୋଗ ଘଟିଥିଲା। ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପଡ଼ିଥିବା ବେଳେ ଚୟନିକାଙ୍କ ଉଚ୍ଚଶିକ୍ଷା ନେଇ ଚିନ୍ତା ବଢ଼ିଥିଲା। ତଥାପି ସମସ୍ତ ଦୁଃଖକୁ ପଛେ ପକାଇ ସେ ବିଜ୍ଞାନ ଶାଖାରେ ଅଧ୍ୟୟନ କରିବାକୁ ଦୃଢ଼ ସଙ୍କଳ୍ପ ନେଇଛନ୍ତି। ଚୟନିକାଙ୍କ ପରିସ୍ଥିତି ସମ୍ପର୍କରେ ଜାଣିବା ପରେ ସାବରୀ ବିଦ୍ୟା ଭବନର ପୁରାତନ ଛାତ୍ରଛାତ୍ରୀ (୧୯୮୦–୧୯୯୦ ବ୍ୟାଚ୍) ସଂଘ ତାଙ୍କ ସହାୟତା ପାଇଁ ଆଗେଇ ଆସିଥିଲେ। ସଂଘ ପକ୍ଷରୁ ଚୟନିକାଙ୍କୁ ୧୦ ହଜାର ଟଙ୍କାର ଚେକ୍, ‘ମାଣିକ ଲାଲ ଘୋଷ ସ୍ମାରକୀ ସମ୍ମାନ’ ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ଏମଭି–୮୦ ସ୍ଥିତ ପ୍ରଶାନ୍ତ ସର୍ଦ୍ଦାରଙ୍କ ବାସଭବନରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁକୁଳ ମଣ୍ଡଳ, ନିମାଇ ଚନ୍ଦ୍ର ପାଲ, ସମୀର ମିସ୍ତ୍ରୀ, ଅମିୟ ବୈରାଗୀ, ଦୀପକ ଦତ୍ତ, ଚଳଚିତ୍ର ମଣ୍ଡଳ, ସୁରେଶ ମେହତା, ସୁଖଲାଲ ମଣ୍ଡଳ, ଆନନ୍ଦ ରାୟ, ଗୋବିନ୍ଦ ରାୟ, ଚିତ୍ତ ସିକଦାର, ବୁଲବୁଲି ମଜୁମଦାର, ସାବିତ୍ରୀ ମଣ୍ଡଳ, ସୁନୀଲ ସର୍ଦ୍ଦାର, ପରିମଳ ସାନା, କୃଷ୍ଣ ମଣ୍ଡଳ, ସଚିନ କୃଷ୍ଣ ସାନା, ପ୍ରଶାନ୍ତ ସର୍ଦ୍ଦାର ଓ ଭବେନ ସର୍ଦ୍ଦାର ପ୍ରମୁଖ ଉପସ୍ଥିତ ଥିଲେ। ଚୟନିକାଙ୍କ ମାତା ସୁଚିତ୍ରା ରାୟ ଓ ଅଭିଭାବକ ମନିଦ୍ର ଗୋଲଦାର ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ସଭାରେ ବକ୍ତାମାନେ କହିଥିଲେ ଯେ, ସ୍ଵର୍ଗତ ମାଣିକ ଲାଲ ଘୋଷ ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ ଥିଲେ। ସେ ଅନେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରି ସମାଜରେ ପ୍ରତିଷ୍ଠିତ କରିଥିଲେ। ତାଙ୍କ ସ୍ମୃତିରେ ଆରମ୍ଭ ହୋଇଥିବା ଏହି ସ୍ମାରକୀ ସମ୍ମାନ ଆଗାମୀ ଦିନରେ ଅନେକ ମେଧାବୀ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ହେବ। ପୁରାତନ ଛାତ୍ରଛାତ୍ରୀ ସଂଘ ପକ୍ଷରୁ ବନ୍ଧୁମିଳନ, ରକ୍ତଦାନ ଶିବିର, ବୃକ୍ଷରୋପଣ, ଚିକିତ୍ସା ସହାୟତା ଓ ସମାଜସେବାମୂଳକ ବିଭିନ୍ନ କାର୍ଯ୍ୟ ନିୟମିତ ଭାବେ କରାଯାଉଥିବା ଜଣାପଡ଼ିଛି। ଚୟନିକାଙ୍କ ସଫଳତା ଓ ତାଙ୍କ ପାଇଁ ସମାଜର ବିଭିନ୍ନ ମହଲରୁ ଆଗକୁ ଆସୁଥିବା ସହଯୋଗ ଅଞ୍ଚଳରେ ପ୍ରଶଂସାର ବିଷୟ ପାଲଟିଛି। ଉଚ୍ଚ ଶିକ୍ଷା ଅର୍ଜନ କରି ସେ ଭବିଷ୍ୟତରେ ନିଜ ଅଞ୍ଚଳ ଓ ସମାଜ ପାଇଁ ଗୌରବ ଆଣିବେ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande