ପଡ଼ୋଶୀଙ୍କ ଭୁଲ ପରିଚୟରେ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ
Murder held at Lakhapur
ପଡ଼ୋଶୀଙ୍କ ଭୁଲ ପରିଚୟରେ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ


ପଡ଼ୋଶୀଙ୍କ ଭୁଲ ପରିଚୟରେ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ଝାରସୁଗୁଡା , 06 ମେ (ହି.ସ.) ଝାରସୁଗୁଡା ଜିଲ୍ଲାର ଲଖନପୁର ଥାନା ଅନ୍ତର୍ଗତ ସୁଲଡ଼ିଆ ଲାଲମୁଣ୍ଡା ଗ୍ରାମରେ ବୁଧବାର ଭୋର ୩ଟା ସମୟରେ ଏକ ଭୟାବହ ଘଟଣା ଘଟିଛି। ଭୁଲ ପରିଚୟରେ ପଡ଼ୋଶୀ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଟାଙ୍ଗିଆ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ଆସିଛି।

ମୃତକଙ୍କୁ ପ୍ରଦୀପ ଭୋଇ (୨୫) ବୋଲି ପୋଲିସ ଚିହ୍ନଟ କରିଛି। ସେ ନିଜ ଘରର ବାରଣ୍ଡାରେ ଶୋଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ତାଙ୍କ ଭାଇ ଉତ୍ତମ କୁମାର ଭୋଇ (୨୮) ଭାବି ଆକ୍ରମଣ କରିଥିବା ଜଣାପଡ଼ିଛି।

ପୋଲିସ ସୂଚନା ଅନୁସାରେ, ପ୍ରଦୀପଙ୍କ ହାତ, ଛାତି ଓ ଗଳାରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ବାହାରିଆସିଥିଲେ, କିନ୍ତୁ ସେତେବେଳେ ଆକ୍ରମଣକାରୀ ପଳାଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲକୁ ନେବା ପୂର୍ବରୁ ସେ ମୃତ୍ୟୁବରଣ କରିଥିଲେ।

ଘଟଣାସ୍ଥଳରେ ଝାରସୁଗୁଡା ଏସପି ଜି. ଆର୍. ରାଘବେନ୍ଦ୍ର, ବ୍ରଜରାଜନଗର ଏସଡିପିଓ, ଲଖନପୁର ପୋଲିସ, ବୈଜ୍ଞାନିକ ଦଳ ଓ ଡଗ୍ ସ୍କ୍ୱାଡ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଉତ୍ତମ କୁମାର ଭୋଇଙ୍କ ଅଭିଯୋଗ ଆଧାରରେ ମାମଲା ରଜୁ କରାଯାଇଛି।

ପରେ ପୋଲିସ ଅଭିଯୁକ୍ତ ନିଳମଣି ଭୋଇ (୫୭)ଙ୍କୁ ଗିରଫ କରିଛି। ତଦନ୍ତରେ ଜଣାପଡ଼ିଛି ଯେ, ନିଳମଣିଙ୍କ ସହ ଉତ୍ତମ କୁମାର ଭୋଇଙ୍କ ଦୀର୍ଘଦିନର ବିବାଦ ରହିଥିଲା।

ପୋଲିସ କହିଛି, “ପୂର୍ବ ବିବାଦକୁ ନେଇ ନିଳମଣି ଉତ୍ତମଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ସାଧାରଣତଃ ଉତ୍ତମ ବାରଣ୍ଡାରେ ଶୋଇଥାନ୍ତି, କିନ୍ତୁ ଗତ ଦୁଇ ଦିନ ଧରି ସେ ଘରଭିତରେ ଶୋଉଥିଲେ ଓ ପ୍ରଦୀପ ବାହାରେ ଶୋଉଥିଲେ। ଏହି କାରଣରୁ ନିଳମଣି ଭୁଲରେ ପ୍ରଦୀପଙ୍କୁ ଉତ୍ତମ ଭାବି ହତ୍ୟା କରିଥିଲେ।”

ଅଭିଯୁକ୍ତ ଘଟଣା ପରେ ବ୍ୟବହୃତ ଟାଙ୍ଗିଆ ନିକଟସ୍ଥ ଜଙ୍ଗଲରେ ଲୁଚାଇଥିବାବେଳେ ପୋଲିସ ତାହା ଜବତ କରିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande