
ଜୟପୁର, ୦୨ ଜୁନ୍ (ହି.ସ.) - କୋରାପୁଟ ଜିଲ୍ଲାରେ ଫିଟନେସ,ଇନସୁରାନ୍ସ ନଥାଇ ଚାଲିଛି ବହୁ ସଂଖ୍ୟାରେ ଅଟୋ । ଛାତ୍ରଛାତ୍ରୀ ଏବଂ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଅବହେଳା କରି ଜୟପୁର ସହର ଏବଂ ଆଖପାଖ ଅଂଚଳରେ ଅଟୋ ଚାଲଛି । ଜୟପୁର ସହର ଏବଂ ଆଖପାଖ ଅଂଚଳରେ ଥିବା ସରକାରୀ ଏବଂ ବେସରକାରୀ ବିଦ୍ୟାଳୟକୁ ଅନେକ ଛାତ୍ରଛାତ୍ର ଅଟୋରେ ସ୍କୁଲ ଯିବାଆସିବା କରୁଛନ୍ତି । ଅଧିକାଂଶ ଡ୍ରାଇଭର ଙ୍କ ଲାଇସେନ୍ସ ନାହିଁ । ଅଟୋରେ ମାତ୍ରାଧିକ ସ୍କୁଲ ଛାତ୍ରଛାତ୍ରୀ ଯାତାୟତ କରୁଛନ୍ତି । ଗୋଟିଏ ଗୋଟିଏ ଅଟୋରେ ୧୨ରୁ ୧୫ଜଣ ସ୍କୁଲ ଛାତ୍ର ଛାତ୍ରୀ ଅସୁରକ୍ଷିତ ଭାବେ ଯାଉଛନ୍ତି । ସେହିପରି କୋରାପୁଟ ଜିଲାର ବିଭିନ୍ନ ହାଟକୁ ବ୍ୟବସାୟୀ ଏବଂ ଚାଷୀ ଅଟୋରେ ଯିବା ଆସିବା କରୁଛନ୍ତି । ଗୋଟିଏ ଅଟୋରେ ୧୦ରୁ ଉର୍ଦ୍ଧ ଲୋକ ନିଜ ଜିନିଷପତ୍ର ସହ ବିପଦପୂର୍ଣ୍ଣ ଭାବେ ଯାଉଛନ୍ତି । ଅଟୋ ଗୁଡିକର ଫିଟନେସ, ଇନସୁରାନ୍ସ, ପଲ୍ୟୁସନ ନ ଥାଇ ବର୍ଷ ବର୍ଷ ଧରି ରାସ୍ତାରେ ଗଡ଼ୁଛି । ଅଟୋ ଚାଲକର ବେପରୁଆ ଗାଡି ଚାଳନା ଯୋଗୁଁ ଅନେକ ସମୟରେ ଦୂର୍ଘଟଣା ଘଟି ଧନଜୀବନ ହାନୀ ହେଉଛି । ଦୂର୍ଘଟଣାରେ ମୃତାହତଙ୍କୁ ଇନସୁରାନ୍ସ ବାବଦ ଅର୍ଥ ମିଳୁନାହିଁ । ଅଭ୍ୟାସଗତ ନିୟମ ଉଲ୍ଲଙ୍ଗନ କାରୀଙ୍କ ବିରୋଧରେ କଠୋର କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
ସଡକରେ ଅନ୍ୟ ବ୍ୟବହାରୀଙ୍କ ପାଇଁ ବିପଦ ସାଜିଥିବା ଏଭଳି ଗାଡି ଗୁଡିକର ପଞ୍ଜି କରଣ ସାର୍ଟିଫିକେଟ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ ଫିଟନେସ ନଥିଲେ ଗାଡି ସିଜ୍ ହେବ । କେବଳ ଜରିମାନା ନୁହେଁ ଆଇନ ଅନୁଯାୟୀ ଗାଡି ଜବତ୍ କରିବା ଓ ମାମଲା ରୁଜୁ କରିବା ଭଳି କଠୋର ନିୟମ ରହିଛି । ବୈଧ ଫିଟନେସ ଓ ପଞ୍ଜିକରଣ ସାର୍ଟିଫିକେଟ ବିନା ଚାଲୁଥିବା ଗାଡି ଦୁର୍ଘଟଣାଗସ୍ତ ହେଲେ ବୀମା କମ୍ପାନୀ ପକ୍ଷରୁ ବୀମାରାଶି ମଧ୍ୟ ପ୍ରଦାନ କରିବାର ନିୟମ ନାହିଁ । ତେଣୁ ସଡକ ସୁରକ୍ଷା ଦୃଷ୍ଟିକୋଣରୁ ଆଇନ ଉଲ୍ଲଙ୍ଗନକାରୀଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିାବା କଥା କିନ୍ତୁ ତାହା ପାଳନ କରାଯାଉ ନାହିଁ । ଯାତ୍ରୀ ଓ ସ୍କୁଲ ଛାତ୍ରଛାତ୍ରୀ ପରିବହନ କରୁଥିବା ଅଟୋ, ବସ ଓ ଅନ୍ୟାନ୍ୟ ଗାଡି କ୍ଷେତ୍ରରେ ଆହୁରି ଅଧିକ କଠୋରତାର ସହ ପଦକ୍ଷେପ ନେବା ପାଇ ସାଧାରଣ ରେ ଦାବି ହୋଉଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି