
ବଲାଙ୍ଗିର, 02 ଜୁନ୍ (ହି.ସ.)
ଆଜି ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ସ୍ଥାନୀୟ ସର୍କିଟହାଉସଠାରେ ବିଭିନ୍ନ ବିଭାଗୀୟଅଧିକାରୀଙ୍କୁ ଡାକି ଆଲୋଚନା କରିବା ସହିତ ଉନ୍ନୟନକାମର ସମୀକ୍ଷା କରିଛନ୍ତି । ତେବେ ବଲାଙ୍ଗୀର ସହରରେ ଦେଖାଦେଇଥିବା ଜଳସଂକଟ ଦୂରକରିବା ଓ ଗ୍ରାମାଞ୍ଚଳରେ ପାନୀୟଜଳର ସୁବ୍ୟବସ୍ଥା କରିବା ପାଇଁ ପିଏଚବିଭାଗ ଓ ଆରଡବ୍ଲୁଏସଏସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକ କଳିକେଶ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାଙ୍କୁ ନେଇ ପ୍ରଥମେ ବଲାଙ୍ଗୀର ସହରରେ ଦେଖାଦେଉଥିବା ବିଦ୍ୟୁତସମସ୍ୟା ନେଇ ବିଦ୍ୟୁତବିଭାଗର ଅଧିକ୍ଷଣଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ବଲାଙ୍ଗୀର ସହରକୁ ସଠିକ ପରିମାଣରେ ବିଦ୍ୟୁତ ଯୋଗାଣ ହେଉଥିବା ବେଳେ କିଛିସ୍ଥାନରେ ଦୁର୍ବଳ ଭିତ୍ତିଭୂମୀ କାରଣରୁ ସମସ୍ୟା ରହିଥିବା ଅଧିକ୍ଷଣଯନ୍ତ୍ର ସ୍ୱୀକାର କରିଥିଲେ । ଅନେକ ସ୍ଥାନରେ ନୂତନ ଟ୍ରାନ୍ସଫର୍ମର ଓ କେବୁଲିଂ କରାଯାଇ ସାରିଥିବା ସୂଚନା ଦେବା ସହିତ ଖୁବଶୀଘ୍ର ସମସ୍ୟାଗୁଡିକର ସମାଧାନ କରାଯିବ ବୋଲି ଯନ୍ତ୍ରୀ କହିଥିଲେ । ତେବେ ବଲାଙ୍ଗୀର ସହରରେ ଦୁଇଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ଚାଲିଯାଉଥିବା,ଶାସ୍ତ୍ରୀନଗରରେ ନୂଆଟ୍ରାନ୍ସଫର୍ମର ଲଗାଇବା.ବରପାଲିପଡା ଅଞ୍ଚଳରେ ଲୋଭୋଲଟେଜ ସମସ୍ୟା ବିଷୟରେ ବିଧାୟକ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ଓ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ କରିଥିଲେ । ଠିକ ସେହିପରି ବଲାଙ୍ଗୀର ସହରକୁ ତରଭା ନିକଟରୁ ତେଲନଦୀରୁ ପାନୀୟଜଳ ଆସୁଥିବା ଓ ବିଦ୍ୟୁତସମସ୍ୟାରୁ ଠିକରେ ଜଳ ଯୋଗାଣ ହୋଇପାରୁନଥିବା ବିଷୟରେ ଜନସ୍ୱାସ୍ଥ୍ୟବିଭାଗର ଅଧିକ୍ଷଣଯନ୍ତ୍ରୀ ଇଂ.ଇନ୍ଦ୍ରଜିତ ସାହୁ ବିଧାୟକଙ୍କୁ ଅବଗତ କରିଥିଲେ । ବଲାଙ୍ଗୀର ସହରୁ ପ୍ରତିଦିନ ୧୭ଲକ୍ଷ ଲିଟର ପାଣିର ଆବଶ୍ୟକତା ଥିବା ବେଳେ ପ୍ରତ୍ୟହ ୧୭.୫ ଲକ୍ଷ ଲିଟର ଜଳ ଅଣାଯାଉଛି । ୧୫% ଜଳ ଜଳ ଯୋଗାଣବେଳେ ନଷ୍ଟ ହେଉଛି । ତେବେ ସୋନପୁର ଜିଲ୍ଲାରେ ବିଦ୍ୟୁତ ସମସ୍ୟାରୁ ବହୁତ ସମୟରେ ପମ୍ପ ଚାଲିପାରୁନଥିବାରୁ ସମସ୍ୟା ହେଉଛି ବୋଲି ପିଏଚ ଯନ୍ତ୍ରୀ ଇଂ.ସାହୁ କହିଥିଲେ । ସେପଟେ କିନ୍ତୁ ଗତ ଅପ୍ରେଲ ମାସରେ ଶିବତଳା ପମ୍ପହାଉସ ପାଇଁ ସ୍ୱତନ୍ତ୍ର ଟ୍ରାନ୍ସଫର୍ମର ଲଗାଯାଇସାରିଥିବା ବିଷୟରେ ବିଦ୍ୟୁତବିଭାଗର ଅଧିକ୍ଷଣଯନ୍ତ୍ରୀ କହିଥିଲେ । ଏଣିକି ଆଉ ବେଶି ସମସ୍ୟା ହେବ ନାହିଁ ବୋଲି ଯନ୍ତ୍ରୀ କହିଥିଲେ । ସହରରେ ଅଧିକଟ୍ୟାଙ୍କର ଓ ପାଣିଟାଙ୍କିର ବ୍ୟବସ୍ଥା କରି ଜଳ ଯୋଗାଣ କରିବାକୁ ବିଧାୟକ ନିର୍ଦ୍ଦେଶ କରିଥିଲେ । ଲୋୟରସୁକତେଲ ବିସ୍ଥାପିତ କଲୋନୀରେ ଜଳସମସ୍ୟା କଥା ମଧ୍ୟ ଆଲୋଚନା ହୋଇଥିଲା । ଚଳିତବର୍ଷ ଲୋୟରସୁକତେଲ କତ୍ତୃପକ୍ଷ ଟ୍ୟାଙ୍କର ଲଗାଇ ଜଳ ଯୋଗାଣ କରୁଥିବା ବିଷୟରେ ଆରଡବ୍ଲୁଏସଏସ ବିଭାଗ ସୂଚନା ଦେଇଥିଲେ । ଠିକ ସେହିପରି ଗ୍ରାମାଞ୍ଚଳରେ ଅଧିକ ଡିପବୋରେୱେଲରୁ ସୋଲାର ପମ୍ପ ଯୋଗେ ପାନୀୟଜଳ ଯୋଗାଣ ପାଇଁ ବିଧାୟକ ନିର୍ଦ୍ଦେଶ କରିଥିଲେ । ସେପଟେ ବଲାଙ୍ଗୀର ପୌରପାଳିକା ଅଞ୍ଚଳରେ ଡ୍ରେନସମସ୍ୟାର ସମାଧାନ ପାଇଁ ପୌରପାଳିକା ସହିତ ଏନଏଚବିଭାଗ ଓ ପୂର୍ତ୍ତବିଭାଗ ସହ ଯୋଗ କରିବାକୁ ନିର୍ଦ୍ଦେଶ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କ୍ଷୁଦ୍ରଜଳସେଚନ ବିଭାଗ,ମେଗା ପାନୀୟଜଳ ଯୋଗାଣପ୍ରକଲ୍ପବିଭାଗ ଓ ପୌରପାଳିକାର ବିଭିନ୍ନ ପ୍ରକଲ୍ପ ଉପରେ ବିଧାୟକ ସମୀକ୍ଷାକରି ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ