ଇଞ୍ଜିନିୟରିଂ ଓ ମେଡିକାଲ୍ ରେ ଏସସି ଏସଟି ଓ ଓବିସି ବର୍ଗ ପାଇଁ ବୃଦ୍ଧି ହେଲା ସଂରକ୍ଷଣ
ବିଭାଗ ପକ୍ଷରୁ ପ୍ରକାଶ ପାଇଲା ମେମୋରାଣ୍ଡମ୍,୨୦୨୬-୨୭ ଶିକ୍ଷା ବର୍ଷରୁ କାର୍ଯ୍ୟକାରୀ ହେବ ଭୁବନେଶ୍ୱର,୦୨ ଜୁନ (ହି.ସ)- ଚଳିତ ୨୦୨୬-୨୭ ଶିକ୍ଷା ବର୍ଷରୁ ଇଞ୍ଜିନିୟରିଂ ଓ ମେଡିକାଲ୍ ଆଦି ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ଛା
ଇଞ୍ଜିନିୟରିଂ ଓ ମେଡିକାଲ୍ ରେ ଏସସି ଏସଟି ଓ ଓବିସି ବର୍ଗ ପାଇଁ ବୃଦ୍ଧି ହେଲା ସଂରକ୍ଷଣ


ବିଭାଗ ପକ୍ଷରୁ ପ୍ରକାଶ ପାଇଲା ମେମୋରାଣ୍ଡମ୍,୨୦୨୬-୨୭ ଶିକ୍ଷା ବର୍ଷରୁ କାର୍ଯ୍ୟକାରୀ ହେବ

ଭୁବନେଶ୍ୱର,୦୨ ଜୁନ (ହି.ସ)- ଚଳିତ ୨୦୨୬-୨୭ ଶିକ୍ଷା ବର୍ଷରୁ ଇଞ୍ଜିନିୟରିଂ ଓ ମେଡିକାଲ୍ ଆଦି ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବୃଦ୍ଧି ସମ୍ପର୍କିତ ନିଷ୍ପତି କାର୍ଯ୍ୟକାରୀ ହେବ। ମଙ୍ଗଳବାର ଏ ସମ୍ପର୍କରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ବିଧିବଦ୍ଧ ମେମୋରାଣ୍ଡମ୍ ବା ସ୍ମାରକ ପ୍ରକାଶ ପାଇଛି।

ଏହି ନିଷ୍ପତି ଦ୍ୱାରା ବର୍ତମାନ ଅନୁସୂଚିତ ଜନଜାତି ବର୍ଗ ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ହାର ୧୨ ପ୍ରତିଶତରୁ ୨୨.୫ ପ୍ରତିଶତକୁ ଏବଂ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ୮ ପ୍ରତିଶତରୁ ୧୬.୨୫ ପ୍ରତିଶତକୁ ବୃଦ୍ଧି ପାଇଛି। ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗଙ୍କ ପାଇଁ ପୂର୍ବରୁ କୌଣସି ସଂରକ୍ଷଣ ନଥିବା ବେଳେ, ବର୍ତମାନ ଏହା ୧୧.୨୫ ପ୍ରତିଶତ ହୋଇଛି।

ଏହାଦ୍ୱାରା ଏହି ସବୁ ବର୍ଗର ଛାତ୍ରଛାତ୍ରୀମାନେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସେମାନଙ୍କର ଅନୁବନ୍ଧିତ କଲେଜ ଓ ଶିକ୍ଷାନୁଷ୍ଠାନ, ଆଇ.ଟି.ଆଇ ଏବଂ ପଲିଟେକ୍?ନିକ୍ ଗୁଡିକରେ ପ୍ରଦାନ କରାଯାଉଥିବା ଇଞ୍ଜିନିଅରିଂ, ଟେକ୍ନୋଲୋଜି, ମ୍ୟାନେଜ୍ମେଂଟ, କମ୍ପ୍ୟୁଟର ଆପ୍ଲିକେସନ୍, ମେଡିସିନ୍, ସର୍ଜରୀ, ଡେଣ୍ଟାଲ, ନର୍ସିଂ, ଫାର୍ମାସି, ଆନୁସଙ୍ଗିକ ସ୍ୱାସ୍ଥ୍ୟ ବିଜ୍ଞାନ, ପ୍ରାଣିଚିକିତ୍ସା ବିଜ୍ଞାନ, ଆୟୁର୍ବେଦ, ହୋମିଓପ୍ୟାଥି, ଏଗ୍ରିକଲ୍ଚର ଆଣ୍ଡ ଆଲାଏଡ୍ ସାଇନ୍େସସ୍, ଆର୍କିଟେକ୍ଚର , ପ୍ଲାନିଙ୍ଗ୍, ସିନେମାଟିକ ଆର୍ଟ ଆଣ୍ଡ ଟେକ୍ନୋଲୋଜି ଆଦି ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ହେବ ।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ୍ ୪ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଷ୍ପତି ନିଆଯାଇଥିଲା ଏବଂ କ୍ୟାବିନେଟ୍ ର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଏହାର ତୁରନ୍ତ କାର୍ଯ୍ୟାନ୍ୱୟନ ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ନ୍ୟାୟ ପ୍ରଦାନ ପାଇଁ ପୂର୍ବରୁ ଅନେକ ଉଦ୍ୟମ ଓ ସଂଘର୍ଷ ହୋଇଥିଲେ ମଧ୍ୟ ଏହା ସଫଳ ହୋଇନଥିଲା। ନୂଆ ସରକାର ଆସିବା ପରେ ମାତ୍ର ୨ ବର୍ଷ ଭିତରେ ସରକାର ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ସଫଳ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଓଡିଶାରେ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ୨୨.୮୫ ପ୍ରତିଶତ, ଅନୁସୂଚିତ ଜାତିଙ୍କ ସଂଖ୍ୟା ୧୭.୧୩ ପ୍ରତିଶତ। ଶିକ୍ଷାଗତ ଓ ସାମାଜିକ ପଛୁଆ ବର୍ଗଙ୍କ ସଂଖ୍ୟା ଜଣାନଥିଲେ ମଧ୍ୟ ଏହା ଯଥେଷ୍ଟ ଅଧିକ।

ସୂଚନାଯୋଗ୍ୟ, ନିଯୁକ୍ତି ଏବଂ ବିଏ , ବିକମ୍ ,ବିଏସସି ଭଳି ସାଧାରଣ ଉଚ୍ଚଶିକ୍ଷାରେ ଏହି ସବୁ ବର୍ଗର ପିଲାମାନଙ୍କ ପାଇଁ ସମାନୁପାତିକ ସଂରକ୍ଷଣ ରହିଛି। ଏଥିରେ ଅନୁସୂଚିତ ଜନଜାତିଙ୍କ ପାଇଁ ୨୨.୫୦ ପ୍ରତିଶତ, ଅନୁସୂଚିତ ଜାତି ପିଲାଙ୍କ ପାଇଁ ୧୬.୨୫ ପ୍ରତିଶତ ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗଙ୍କ ପାଇଁ ୧୧.୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ତେବେ, ଇଞ୍ଜିନିୟରିଂ ଓ ମେଡିକାଲ ପରି ବୈଷୟିକ ଶିକ୍ଷାରେ ଅନୁସୂଚିତ ଜନଜାତିଙ୍କ ପାଇଁ ମାତ୍ର ୧୨ ପ୍ରତିଶତ, ଅନୁସୂଚିତ ଜାତି ପିଲାଙ୍କ ପାଇଁ ୮ ପ୍ରତିଶତ ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ନଥିଲା।

ଯଦି ଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ନରହୁଛି, ବା କମ୍ ରହୁଛି, ତେବେ ନିଯୁକ୍ତି କ୍ଷେତ୍ରରେ ସେମାନେ କିପରି ତାଙ୍କର ସଂରକ୍ଷଣ ଅନୁପାତିକ ନିଯୁକ୍ତି ପାଇପାରିବେ ବୋଲି ପ୍ରଶ୍ନ ଉଠୁଥିଲା। ରାଜ୍ୟ କ୍ୟାବିନେଟର ଏହି ନିଷ୍ପତି ପରେ ଦୀର୍ଘ ବର୍ଷ ପରେ, ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ, ଏହି ବର୍ଗର ପିଲାମାନଙ୍କୁ ନ୍ୟାୟ ମିଳି ପାରିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande