
ଖୁଂଟି, ୨୧ ଜୁନ୍ (ହି.ସ.)- ଝାଡ଼ଖଣ୍ଡରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ପିପୁଲ୍ସ ଲିବରେସନ୍ ଫ୍ରଂଟ ଅଫ୍ ଇଣ୍ଡିଆ (ପି. ଏଲ୍. ଏଫ୍. ଆଇ.) ଏବଂ ପୋଲିସ ମଧ୍ୟରେ ରବିବାର ସକାଳ ପ୍ରାୟ ୫ଟା ସମୟରେ ଖୁଂଟି ଜିଲ୍ଲାର ଜରିୟାଗଡ଼ ଥାନା ଅନ୍ତର୍ଗତ ଇନ୍ଦୱାନ ଠାରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟ ସମୟରେ ପିଏଲଏଫଆଇର ଏରିଆ କମାଣ୍ଡର ଶ୍ରବଣ ଦାସ ଆହତ ହୋଇଥିଲେ । ପୋଲିସ ପ୍ରାୟ ୬ ଜଣ ଉଗ୍ରବାଦୀଙ୍କୁ ଗିରଫ କରିଛି ।
ଏସ୍. ପି. ଋଷଭ ଗର୍ଗ କହିଛନ୍ତି ଯେ, ଏକ ବଡ଼ ଷଡ଼ଯନ୍ତ୍ର କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ପି. ଏଲ୍. ଏଫ୍. ଆଇ. ଉଗ୍ରବାଦୀମାନେ ତିଲମି ଜଙ୍ଗଲରେ ଏକାଠି ହୋଇଛନ୍ତି ବୋଲି ପୁଲିସକୁ ଏକ ଗୁପ୍ତ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିୟାଗଡ଼ ଏବଂ କର୍ରା ପୋଲିସ ଷ୍ଟେସନର ପୋଲିସ ମିଳିତ ଭାବେ ଏକ ସ୍ୱତନ୍ତ୍ର ଚଢ଼ଉ ଅଭିଯାନ ଚଳାଇଥିଲା । ପୋଲିସ ଦଳ ଜଙ୍ଗଲରେ ପହଂଚିବା ମାତ୍ରେ ଉଗ୍ରବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ । ପୋଲିସ ମଧ୍ୟ ପାଲଟା ଗୁଳି ଚଳାଇଥିଲା, ଯେଉଁଥିରେ କୁଖ୍ୟାତ କମାଣ୍ଡର ଶ୍ରବଣ ଦାସଙ୍କୁ ଗୁଳି କରାଯାଇଥିଲା ।
ସେ କହିଛନ୍ତି ଯେ, ଏନକାଉଂଟର ସ୍ଥାନରୁ ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିଛି । ଚାରିଟି ପିସ୍ତଲ ଏବଂ ଅନେକ ଦେଶୀ ନିର୍ମିତ ପିସ୍ତଲ ଏବଂ ୧୨ରୁ ଅଧିକ ଜୀବନ୍ତ କାଟ୍ରିଜ୍ ଜବତ କରାଯାଇଛି । ଏହି ସଂଗଠନ ସହ ଜଡ଼ିତ ଅପରାଧିକ ଦସ୍ତାବିଜ ଏବଂ ଏକ ଡାଏରୀ ମଧ୍ୟ ଉଦ୍ଧାର କରାଯାଇଛି । ପୋଲିସ କହିବା ଅନୁଯାୟୀ, ଉଦ୍ଧାର ହୋଇଥିବା ଡାଏରୀ ହେଉଛି ଅନୁସନ୍ଧାନର ମୁଖ୍ୟ କେନ୍ଦ୍ରବିନ୍ଦୁ । ଏଥିରେ ସେହି ଅଂଚଳର ଅନେକ ଠିକାଦାରଙ୍କ ମୋବାଇଲ୍ ନମ୍ବର ଏବଂ ଭବିଷ୍ୟତର ଘଟଣାର ବିବରଣୀ ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ