
ମୁଖୀଗୁଡା,୧୫ଜୁଲାଇ(ହି ସ,) - କଳାହାଣ୍ଡି ଜିଲ୍ଲା କୋକସରା ଥାନା ବାଙ୍କିମୁଣ୍ଡା ଗ୍ରାମରେ ଡକାୟତି ଉଦ୍ୟମ ଘଟଣାରେ ପୋଲିସ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ, ୫ଟି ଜୀବନ୍ତ ଗୁଳି, ୨ଟି ଛୁରୀ ଓ ୨ଟି ବାଇକ ଜବତ କରାଯାଇଛି।ମଙ୍ଗଳବାର ଦିନ ପ୍ରଶାନ୍ତ ତିୱାରୀ ଓରଫ ପିଂଟୁଙ୍କ ଘରେ ୨ଟି ବାଇକରେ ଆସିଥିବା ୫ ଜଣ ଯୁବକ ବଳପୂର୍ବକ ପ୍ରବେଶ କରି ପରିବାର ସଦସ୍ୟଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରି ଡକାୟତି ଉଦ୍ୟମ କରିଥିଲେ। ପ୍ରତିରୋଧ କରିବାରୁ ପ୍ରଶାନ୍ତ ତିୱାରୀଙ୍କୁ ହତ୍ୟା ଧମକ ଦେଇଥିଲେ। ଏହି ସମୟରେ ପରିବାରର ଜଣେ ମହିଳା କୌଶଳକ୍ରମେ ଗ୍ରାମବାସୀଙ୍କୁ ଖବର ଦେବାରୁ ସ୍ଥାନୀୟ ଲୋକେ ଅଭିଯୁକ୍ତମାନଙ୍କୁ କାବୁକରି ଏକ କୋଠରୀରେ ଅଟକରଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଂଚି ୫ ଜଣଙ୍କୁ ଗିରଫ କରିଥିଲା। ପୋଲିସର ତଦନ୍ତ ପରେ ବୁଧବାର ଆମପାଣି ଥାନା ବଡକେନ୍ଦୁଗୁଡା ଗ୍ରାମର ମୁଖ୍ୟ ଅଭିଯୁକ୍ତ ଡି. ସୂର୍ଯ୍ୟ ପ୍ରକାଶ ତାଣ୍ଡି ଓରଫ୍ ପିଂଟୁ ତାଣ୍ଡି(୩୦) କୋକସରା ଥାନା ଛିଲିପାମାଲ ଗ୍ରାମର ପିଙ୍କୁ ବାରିକ (୨୬), ଜୁନାଗଡ ଥାନା ବୁଡିଦର ଗ୍ରାମର ହିମାଂଶୁ ତାଣ୍ଡି (୨୦),ଜୁନାଗଡ ମଧ୍ୟମପଡାର ଟଙ୍କଧର ବାରିକ(୧୯) ଓ ଜୁନାଗଡ ଗନ୍ତାୟତପଡାର ସତ୍ୟମ କୈବର୍ତ (୧୯)ଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ, ୫ ଜୀବନ୍ତ ଗୁଳି,୨ଟି ଛୁରୀ,୨ଟି ବାଇକ ଜବତ କରାଯାଇଛି।ଏନେଇ କୋକସରା ଥାନାରେ କେଶ ନମ୍ବର ୧୫୫/୨୬ରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା କୋକସରା ଥାନା ଅଧିକାରୀ ଡମ୍ବରୁଧର ବର୍ତିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ନିହାର