
ଭଦ୍ରକ, ୨୧ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତର ବରଗଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାଳତୀ ସାହୁ ଙ୍କ ଘରକୁ ନାରାୟଣ ପୂଜା ଭୋଗ ଖାଇବାକୁ ଯାଇଥିବା ଜଣେ ମହିଳାଙ୍କୁ ମଦ୍ୟପ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଜାରି ରହିଛି। ଚଳିତ ମାସ ୧୭ ତାରିଖ ସନ୍ଧ୍ୟାରେ ବରଗଡ଼ା ଗ୍ରାମରେ ନାରାୟଣ ପୂଜା ଅନୁଷ୍ଠିତ ହେଉଥିଲା। ନିମନ୍ତ୍ରଣ ପାଇ ଉକ୍ତ ଗ୍ରାମର ଚକ୍ରଧର ରାଉତଙ୍କ ୫୨ ବର୍ଷୀୟା ସ୍ତ୍ରୀ ବାସନ୍ତୀ ରାଉତ ଭୋଗ ଖାଇବାକୁ ଯାଇଥିଲେ। ସେଠାରେ ଶ୍ରୀଧର ଜେନାଙ୍କ ପୁଅ ସ୍ମୃତିରଞ୍ଜନ ଜେନା, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାସନ୍ତୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧକ୍କା ମାରିଥିଲେ। ଫଳରେ ବାସନ୍ତୀ ଗୁରୁତର ଭାବେ ଆହତ ହୋଇପଡ଼ିଥିଲେ।ପରିବାର ଲୋକେ ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ଏବଂ ପରବର୍ତୀ ସମୟରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଗତ ୨୦ ତାରିଖ ରାତିରେ ତାଙ୍କର ପ୍ରାଣହାନି ଘଟିଛି। ମଙ୍ଗଳବାର ଦିନ ମୃତଦେହ ଗ୍ରାମକୁ ପହଂଚିବା ପରେ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବା ଦାବିରେ ଗ୍ରାମରେ ଉତେଜନା ପ୍ରକାଶ ପାଇଛି। ଖବର ପାଇ ଧାମନଗର ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ପୋଲିସ ଏନେଇ କେସ ନମ୍ବର ୩୦୨/୨୬ ଏବଂ ବିଏନସ ର ଦଫା ୧୦୩, ୧ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ତେବେ ଘଟଣା ପରଠାରୁ ଅଭିଯୁକ୍ତ ଜଣକ ଫେରାର ଥିବା ଜଣାପଡିଛି। ପୋଲିସ ପକ୍ଷରୁ ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ