
ଜୟପୁର, ୨୧ ଜୁଲାଇ (ହି.ସ.)- ଭୁବନେଶ୍ୱରସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭବନ ଠାରେ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ଏକ ଗୁରୁତ୍ୱପୂର୍ଣ ଚିନ୍ତନ ବୈଠକ ଭୃଗୁ ବକ୍ତିପାତ୍ରଙ୍କ ସଭାପତିତ୍ୱରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲା ଅନ୍ତର୍ଗତ ୧୨ଟି ଉପଖଣ୍ଡର ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଜନକଲ୍ୟାଣମୂଳକ ୪୫ଟି ସଂଗଠନର ୧୫୦ରୁ ଅଧିକ ପ୍ରତିନିଧି ବୃନ୍ଦ ଏବଂ ବହୁ ବିଶିଷ୍ଟ ବୃଦ୍ଧିଜୀବୀ ଅଂଶଗ୍ରହଣ କରି ଦୁଇଟି ଅଧିବେଶନ ମାଧ୍ୟମରେ ମାନସ ମନ୍ଥନ କରିଥିଲେ।ଦକ୍ଷିଣ ଓଡ଼ିଶାର ସାମଗ୍ରିକ ବିକାଶ, ଅବହେଳିତ ଅଞ୍ଚଳଗୁଡ଼ିକର ଉନ୍ନତି ଏବଂ ଜନସାଧାରଣଙ୍କ ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ସମ୍ପର୍କରେ ତୃଣମୂଳ ସ୍ତରରେ ସାଧାରଣ ଜନତାଙ୍କ ସ୍ୱର ଉଠାଉଥିବା ସଂଗଠନର ପ୍ରତିନିଧ ଏବଂ ବ୍ୟକ୍ତିବିଶେଷ ଯୋଗଦାନ କରି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ ଏବଂ ପ୍ରସ୍ତାବ ପ୍ରଦାନ କରିଥିଲେ । ୧୫ ସୂତ୍ରୀ ବିଷୟବସ୍ତୁକୁ ବିସ୍ତୃତ ଭାବରେ ଆଲୋଚନା କରିବା ସହ ସେଥିରେ ଅନେକ ବିକାଶମୂଳକ ପ୍ରସଙ୍ଗ ଯୋଡ଼ି ଏକ ଚିଠା ଖସଡ଼ା ପ୍ରସ୍ତୁତ କରି ସରକାରଙ୍କୁ ଦେବା ପାଇଁ ଉନ୍ନୟନ ପରିଷଦର ଚିନ୍ତନ ବୈଠକରେ ନିଷ୍ପରି ହୋଇଥିଲା।ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପରି ନିଆଗଲା ଯେ, ଦକ୍ଷିଣ ଓଡ଼ିଶାର ଜନସାଧାରଣ ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ବିକାଶମୂଳକ ପ୍ରସଙ୍ଗଗୁଡ଼ିକୁ ଲିଖିତ ଆକାରରେ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣି ତାହାର ତ୍ବରିତ ସମାଧାନ ପାଇଁ ଅନୁରୋଧ କରାଯିବ। ଏଥିସହିତ ଦକ୍ଷିଣ ଓଡ଼ିଶାର ସ୍ୱାର୍ଥ ସୁରକ୍ଷା ଓ ସମନ୍ବିତ ବିକାଶ ପାଇଁ ସମସ୍ତ ସଂଗଠନ ଓ ସଚେତନ ନାଗରିକ ଏକ ସ୍ବରରେ ଏକତ୍ରିତ ହୋଇ ନିୟମିତ ବ୍ୟବଧାନରେ ଚିନ୍ତନ ବୈଠକ ଆୟୋଜନ କରିବା ସହ ସାମୂହିକ ଦାୟିତ୍ଵ ନିର୍ବାହ କରିବାକୁ ଦୃଢ଼ ସଂକଳ୍ପ ବ୍ୟକ୍ତ କରିଥିଲେ।ଦକ୍ଷିଣ ଓଡ଼ିଶାର ଅବସରପ୍ରାପ୍ତ ପ୍ରଫେସର, ପ୍ରଶାସନିକ ଅଧିକାରୀଙ୍କ ସମେତ ବିଭିନ୍ନ କ୍ଷେତ୍ରର ଗବେଷକ ଏବଂ ଅଭିଜ୍ଞ ବ୍ୟକ୍ତିଙ୍କ ସମେତ ବିଭିନ୍ନ ସଂଗଠନର ପ୍ରତିନିଧ୍ଵ ଓ ସାମାଜିକ କର୍ମୀ, ଅଧବକ୍ତା, ସାମ୍ବାଦିକ ଅନୁଭବ ଓ ଅଭିଜ୍ଞତାକୁ ଉପସ୍ଥାପନ କରିଥିଲେ । ବର୍ତମାନ ରାଜ୍ୟ ସରକାରଙ୍କ ଦ୍ଵାରା ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ନିଷ୍ପରିକୁ ସ୍ବାଗତ କରାଯାଇଥିଲା। ସରକାରଙ୍କ ନିଷ୍ପରି କେବଳ ଘୋଷଣାରେ ନରହି ତୁରନ୍ତ ବାସ୍ତବତାରେ ପରିଣତ କରି କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଚାପ ସୃଷ୍ଟି ପାଇଁ ମାଲକାନଗିରି ଠାରୁ ଗଞ୍ଜାମ ଯାଏଁ ଏକ ବ୍ୟାପକ ଜନ ଆନ୍ଦୋଳନ ସୃଷ୍ଟି କରିବା ପାଇଁ ନିଷ୍ପରି ହୋଇଥିବା ନେଇ ସଭାପତି ଭୃଗୁ ବକ୍ସିପାତ୍ର ସୂଚନା ଦେଇଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି