
କେନ୍ଦୁଝର, ୨୧ ଜୁଲାଇ(ହି.ସ.) – କେନ୍ଦୁଝର ରେ ଆଜି ହଜାର ହଜାର ସଂଖ୍ୟାରେ ମହିଳା ଭକ୍ତ ପାଳିଛନ୍ତି ବିପତି ତାରିଣୀ ବ୍ରତ। ରଥ ଯାତ୍ରାରୁ ବାହୁଡା ମଧ୍ୟ୍ୟରେ ପଡ଼ୁଥିବା ମଙ୍ଗଳବାର ଦିନ ସମସ୍ତେ ବିପଦରୁ ମୁକ୍ତ ରହିବା ପାଇଁ ବିପତି ତାରିଣୀ ଙ୍କ ବ୍ରତ ପାଳନ କରାଯାଏ। ତେଣୁ ରଥଯାତ୍ରା ଠାରୁ ବାହୁଡା ମଧ୍ୟ୍ୟରେ ଶ୍ରୀଜିଉ ଗୁଣ୍ଡିଚା ମନ୍ଦିରରେ ଥିବା ସମୟରେ ମଙ୍ଗଳବାରରେ ଏହି ବ୍ରତକୁ ମହିଳା ମାନେ ବିଭିନ୍ନ ଶକ୍ତି ପିଠ ମାନଙ୍କରେ ବିପତି ତାରିଣୀ ବ୍ରତ ଭାବେ ପାଳନ କରିଥାନ୍ତି। ଏହି ତାରିଣୀ ବ୍ରତ ଅବସରରେ କେନ୍ଦୁଝର ମାଉସୀ ମା ମନ୍ଦିରରେ ହଜାର ହଜାର ସଂଖ୍ୟାରେ ମହିଳାମାନେ ବ୍ରତ ପାଳନ କରି ନିଜ ପରବାର ପାଇଁ ମଙ୍ଗଳ କାମନା କରିଛନ୍ତି। କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ ଦେବି ମା ତାରିଣୀଙ୍କ ବିଭିନ୍ନ ପିଠରେ ଆଜି ବିପତି ତାରିଣୀ ବ୍ରତ ପାଳିତ ହେଉଛି। ପ୍ରତ୍ୟେକ ବର୍ଷ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡା ଯାତ୍ରା ମଧ୍ୟରେ ପଡ଼ୁଥିବା ପ୍ରଥମ ମଙ୍ଗଳବାରରେ ହିଁ ଏହି ବ୍ରତ ପାଳନ କରାଯାଇଥାଏ। ଏହି ଅବସରରେ କେନ୍ଦୁଝର ପୁରୁଣା ବଜାର ସ୍ଥିତ ଗୁଣ୍ଡିଚା ମନ୍ଦିରରେ ଆଜି ହଜାର ହଜାର ସଂଖ୍ୟାରେ ମହିଳା ହାତରେ ଭୋଗ ଡାଲା ଓ ତାରିଣୀ ବ୍ରତ ଧରି ଶୃଙ୍ଖଳିତ ଭାବେ ଧାଡିରେ ଯାଇ ପୂଜା ଅର୍ଚନା କରୁଛନ୍ତି। ନିଜର ପରିବାରର ମଙ୍ଗଳ କାମନା ସହ ବିପଦ ରୁ ମୁକ୍ତ କରିବା ପାଇଁ ମହିଳାମାନେ ଏହି ବ୍ରତ ପାଳନ କରିଥାନ୍ତି। ଏହି ବ୍ରତରେ ମହିଳା ମାନେ ମାଙ୍କୁ ସ୍ମରଣ କରି ୧୩ଟି ଗଣ୍ଠି ପକାଇ ପରିବାରର ଶୁଭ କାମନା କରିଥାନ୍ତି। ତେବେ ଜଗନ୍ନାଥଙ୍କ ରଥ ଯାତ୍ରା ସହିତ ଏହି ତାରିଣୀ ବ୍ରତର ମହିମା ଜଡିତ ରହିଛି ଓ ରଥ ଯାତ୍ରାରେ ତିନି ଠାକୁର ୯ ଦିନ ପାଇଁ ଗୁଣ୍ଡିଚା ଘରକୁ ଯାଇଥିବା ବେଳେ ପ୍ରଭୁଙ୍କ ମଙ୍ଗଳ କାମନା କରି ମା ଏହି ପୂଜା କରିଥିବା କାରଣରୁ ତାରିଣୀ ପିଠରେ ଏହି ବ୍ରତକୁ ମହିଳା ମାନେ ଆଜି ଉପବାସ ରହି ଭକ୍ତି ଓ ଶ୍ରଦ୍ଧାର ସହ ମହା ଆଡମ୍ବରରେ ପାଳନ କରିଛନ୍ତି। ଏହି ଅବସରରେ ମା’ଙ୍କ ସ୍ନାନ ମାଜଣା ଓ ଯଥା ରିତୀ ନୀତିରେ ପୂଜା କରାଯିବା ସହ ମାଙ୍କ ନିକଟରେ ବ୍ରତ, ଗୁଆ, ଫୁଲ, ଭୋଗ, ପୂଜା କରାଯାଇ ଏହି ବ୍ରତ ନିଜର ଡାହାଣ ହାତରେ ବାନ୍ଧିଥାନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA