
ନୂଆପଡ଼ା, ୨୮ ଜୁଲାଇ (ହି.ସ.)- ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କମିଶନର-ତଥା-ପ୍ରମୁଖ ଶାସନ ସଚିବ ଏବଂ ନୂଆପଡ଼ା ଜିଲ୍ଲାର ରାଜ୍ୟ ନୋଡ଼ାଲ ଅଧିକାରୀ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ଦୁଇଦିନିଆ ନୂଆପଡ଼ା ଗସ୍ତ ଅବସରରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ, ପ୍ରଶାସନିକ ପଦକ୍ଷେପ, ଅଭିନବ ପଦକ୍ଷେପ, ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା ଅଭିଯାନ ଏବଂ 'ମିଶନ ନୂଆପଡ଼ା–ଫ୍ରମ୍ ଡ୍ରିମ୍ ଟୁ ରିଆଲିଟି' ଅଧୀନରେ ଚିହ୍ନଟ ୨୫ଟି ଡ୍ରିମ୍ ପ୍ରକଳ୍ପର ଅଗ୍ରଗତି ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ସମୀକ୍ଷା ବେଳେ ଶ୍ରୀ ଚୌଧୁରୀ କହିଥିଲେ ଯେ, ନୂଆପଡ଼ାର ସାମଗ୍ରିକ ଓ ଦୀର୍ଘମିଆଦି ବିକାଶ ପାଇଁ ପ୍ରସ୍ତୁତ ୨୫ଟି ଡ୍ରିମ୍ ପ୍ରକଳ୍ପ ଜିଲ୍ଲାର ବିକାଶର ନୂତନ ଦିଗ ନିର୍ଦ୍ଧାରଣ କରିବ। ବ୍ରିଜିଂ ନୂଆପଡ଼ା, ସାଲିହା ଗାନ୍ଧୀ ସ୍ମୃତିସ୍ଥଳୀର ବିକାଶ, ଖଡ଼ିଆର ଋଷିପୀଠ ଓ ପାରିପାର୍ଶ୍ୱିକ ଅଞ୍ଚଳର ପର୍ଯ୍ୟଟନ ବିକାଶ, ନୂଆପଡ଼ା ପ୍ଲାଷ୍ଟିକ୍ ପ୍ୟାଲେଟାଇଜେସନ୍ ପ୍ରକଳ୍ପ ଏବଂ ଖଡ଼ିଆର କଟନ୍ ଜିନିଂ ଆଣ୍ଡ ପ୍ରେସିଂ ମିଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ପାଇଁ ବୈଜ୍ଞାନିକ ଦୃଷ୍ଟିକୋଣରେ ବିସ୍ତୃତ ପ୍ରକଳ୍ପ ପ୍ରତିବେଦନ (ଡିପିଆର୍) ପ୍ରସ୍ତୁତ କରି ବିଭିନ୍ନ ବିଭାଗର ଯୋଜନା ସହ ସମନ୍ୱୟ ରଖି କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ। ନୂଆପଡ଼ାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଓ ଆବଶ୍ୟକ ସମର୍ଥନ ମିଳିବ ବୋଲି ସେ ଆଶ୍ୱାସନ ଦେଇଥିଲେ।
ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଅଭିନବ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନା କରିଥିଲେ। ପ୍ରବାସ ନିରାକରଣ ସଚେତନତା ଶିବିର ଅଧୀନରେ ଜିଲ୍ଲାର ପାଞ୍ଚଟି ବ୍ଲକରେ ଏପର୍ଯ୍ୟନ୍ତ ୮୬ଟି ସଚେତନତା ଶିବିର ଆୟୋଜନ, ‘ଝିଅ ପାଇଁ ଗଛଟିଏ’, ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’, ପ୍ରତି ସୋମବାର ଗ୍ରାମାଞ୍ଚଳରେ ପ୍ରାଣୀ ସ୍ୱାସ୍ଥ୍ୟ ଶିବିର, ‘ପକ୍ଷୀ ପାଇଁ ଦିନଟିଏ’, ରକ୍ତଦାନ ଶିବିର ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଭଳି ଅଭିନବ କାର୍ଯ୍ୟକ୍ରମ ସମ୍ପର୍କରେ ସେ ସୂଚନା ଦେଇଥିଲେ।
ଜିଲ୍ଲାପାଳ କହିଥିଲେ ଯେ, ସମନ୍ୱିତ ପ୍ରୟାସ ଫଳରେ ଜିଲ୍ଲାରେ ପ୍ରବାସ ହ୍ରାସ ପାଇଛି। କିନ୍ତୁ କିଛି ଆକାଂକ୍ଷାଜନିତ ପ୍ରବାସ ଏବେ ମଧ୍ୟ ରହିଛି। ସ୍ଥାୟୀ ଜୀବିକା ସୃଷ୍ଟି ଏବଂ ରୋଜଗାରର ସୁଯୋଗ ବୃଦ୍ଧି ପାଇଁ ନୂଆପଡ଼ା ଜିଲ୍ଲାକୁ ଏକ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ର ଆବଶ୍ୟକତା ରହିଛି ବୋଲି ସେ ମତ ପ୍ରକାଶ କରିଥିଲେ।
ଜିଲ୍ଲାର ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ ଏବଂ ନିଷିଦ୍ଧ ପ୍ଲାଷ୍ଟିକ୍ ବିରୋଧରେ ଚାଲିଥିବା ନିରନ୍ତର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ ଅବଗତ କରାଇଥିଲେ। ୟୁନିସେଫ୍ ର ସାଉଥ୍ ଏସିଆ ବୁଲେଟିନ୍ ରେ ଏହି ଅଭିଯାନ ସ୍ଥାନ ପାଇଥିବା ଏବଂ ଏହା ରାଜ୍ୟ ତଥା ଦେଶ ପାଇଁ ଏକ ଅନୁକରଣୀୟ ମଡେଲ୍ ଭାବେ ପରିଚିତି ଲାଭ କରିଥିବା ବିଷୟ ସେ ଉଲ୍ଲେଖ କରିଥିଲେ। ଏହି ପଦକ୍ଷେପର ପ୍ରଶଂସା କରି ଶ୍ରୀ ଚୌଧୁରୀ ଅଭିଯାନକୁ ଆହୁରି ସୁଦୃଢ଼ ଭାବେ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।
ଦୁଇଦିନିଆ ଗସ୍ତ ସମୟରେ ଶ୍ରୀ ଚୌଧୁରୀ ଡୁମେରପାଣି ଏବଂ ଖୋକସାରେ ଗୋପାଳନ ଯୋଜନାର ସଫଳ ହିତାଧିକାରୀଙ୍କୁ ଭେଟି ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ବୈଜ୍ଞାନିକ ଚାରା ଚାଷ, ସ୍ଥାୟୀ ଜଳ ବ୍ୟବସ୍ଥା ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଡେରି ୟୁନିଟ୍ ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେଇଥିଲେ। ସେ ପରିବେଶ ନିୟନ୍ତ୍ରିତ ବ୍ରଏଲର୍ ପୋଲ୍ଟ୍ରି ୟୁନିଟ୍ ପରିଦର୍ଶନ କରି ବୈଜ୍ଞାନିକ ପରିଚାଳନା, ଜୈବ ସୁରକ୍ଷା, ବର୍ଜ୍ୟ ପରିଚାଳନା ଓ ଖାଦ୍ୟ ପରିଚାଳନାକୁ ଗୁରୁତ୍ୱ ଦେବା ସହ ଚାରା ଉଦ୍ୟୋଗୀ ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ଓମଫେଡ୍ କ୍ଷୀର ସଂଗ୍ରହ କେନ୍ଦ୍ର ପରିଦର୍ଶନ ବେଳେ କ୍ଷୀର ମୂଲ୍ୟ ପ୍ରଦାନର ମାନୁଆଲ୍ ବ୍ୟବସ୍ଥା ପରିବର୍ତ୍ତେ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ସ୍ୱଚ୍ଛ ଦେୟ ପ୍ରଦାନ ବ୍ୟବସ୍ଥା ପ୍ରଚଳନ କରିବାକୁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ଏବଂ ଜିଲ୍ଲା ରୋଗ ନିର୍ଣ୍ଣୟ ପରୀକ୍ଷାଗାର ପରିଦର୍ଶନ କରି ସେବାର ମାନ ବୃଦ୍ଧି, ଅଧିକ ନମୁନା ସଂଗ୍ରହ ଏବଂ ଭିତ୍ତିଭୂମିର ଉନ୍ନତି ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା ବେଳେ କ୍ଷେତ୍ରସ୍ତରରେ ଜନବଳ ଅଭାବ ସମ୍ପର୍କରେ ସେ ଅବଗତ ହୋଇ ସମସ୍ୟାର ସମାଧାନ ପାଇଁ ଆଶ୍ୱାସନ ଦେଇଥିଲେ।
ଗସ୍ତ ଅବସରରେ ସେ ସମରସିଂ ଗ୍ରାମପଞ୍ଚାୟତର ପନିପରିବା ଚାଷ, ବଞ୍ଜିବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ବୁଢ଼ିକୋମନାର ପିଆଜ ସଂରକ୍ଷଣ ଗୋଦାମ, କୋମନା ସାମ୍ପ୍ରଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଟିଖାଲିସ୍ଥିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପରିସରରେ ନିର୍ମିତ ଇକୋ-ଟୁରିଜିମ୍ କଟେଜ୍ ଓ ବିଜ୍ଞାନ ସଂଗ୍ରହାଳୟ ପରିଦର୍ଶନ କରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।
ଆଜିର ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମୀ ସୋରେନଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ