

ଝାରସୁଗୁଡ଼ା, ୨୮ ଜୁଲାଇ (ହି.ସ.)- ସମାବେଶୀ ବିକାଶ, ସମୁଦାୟ କଲ୍ୟାଣ ଏବଂ ସ୍ଥାୟୀ ସାମାଜିକ-ଆର୍ଥିକ ଉନ୍ନତି ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ (ଏନ୍ଏଲ୍ସିଆଇଏଲ୍) ଝାରସୁଗୁଡ଼ା ଜିଲ୍ଲାର ଏନ୍ଏଲ୍ସି ତଲାବିରା ତାପଜ ବିଦ୍ୟୁତ ପ୍ରକଳ୍ପ (ଏନ୍ଟିଟିପିପି) ଅଧୀନରେ ପ୍ରକଳ୍ପ ପ୍ରଭାବିତ ଓ ବିସ୍ଥାପିତ ପରିବାରଙ୍କ ପାଇଁ ଚାଲିଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ସଫଳତାର ସହ ଆଗେଇ ନେଉଛି। ଜୀବିକା ବିକାଶ କାର୍ଯ୍ୟକ୍ରମ ଅଧୀନରେ ଏପର୍ଯ୍ୟନ୍ତ ମୋଟ ୨୧୦ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି | ଯାହା ମଧ୍ୟରେ ୩୦ ଜଣ ଯୁବକ-ଯୁବତୀଙ୍କୁ ଇଣ୍ଡଷ୍ଟ୍ରିଆଲ୍ ଇଲେକ୍ଟ୍ରିସିଆନ୍ ଟ୍ରେଡ୍ ରେ ଏବଂ ୧୮୦ ଜଣଙ୍କୁ ସେଲ୍ଫ ଏମ୍ପ୍ଲଏଡ୍ ଟେଲର (ଏସ୍ଇଟି) ଟ୍ରେଡ୍ ରେ ତାଲିମ ପ୍ରଦାନ କରାଯାଇଛି। ଏହି ପ୍ରଶିକ୍ଷଣ ମାଧ୍ୟମରେ ସେମାନଙ୍କୁ ଶିଳ୍ପ କ୍ଷେତ୍ର ଉପଯୋଗୀ ଦକ୍ଷତା ହାସଲ କରାଇ ସ୍ୱରୋଜଗାର ଓ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଉଛି। ଏହା ଏନ୍ଏଲ୍ସିଆଇଏଲ୍ ର ପୁନର୍ବାସ ଓ ପୁନଃସ୍ଥାପନ (ଆର୍ ଆଣ୍ଡ ଆର୍) ଏବଂ ସମୁଦାୟ ବିକାଶ କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।
ଏହି ପର୍ଯ୍ୟାୟରେ ତରେଇକେଲା, କୁମ୍ଭାରୀ, ତୁମ୍ବେକେଲା ଏବଂ ହ୍ୱିର୍ମା ପଂଚାୟତର ବିଭିନ୍ନ ଗ୍ରାମର ୬୦ ଜଣ ଯୁବତୀ ଓ ମହିଳା ମାନଙ୍କୁ ସେଲ୍ଫ ଏମ୍ପ୍ଲଏଡ୍ ଟେଲର ଟ୍ରେଡ୍ ରେ ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନସ୍ଥ ଆପାରେଲ୍, ମେଡ୍-ଅପ୍ସ ଆଣ୍ଡ ହୋମ୍ ଫର୍ନିସିଂ ସେକ୍ଟର ସ୍କିଲ୍ କାଉନ୍ସିଲ୍ ସହଯୋଗରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
ଏହି ଅବସରରେ ଆୟୋଜିତ ସମାବର୍ତ୍ତନ ଓ ସିଲାଇ ମେସିନ୍ ବଣ୍ଟନ ଉତ୍ସବରେ ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଫଳ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ଓ ସିଲାଇ ମେସିନ୍ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ଏନ୍ଟିଟିପିପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ପ୍ରକଳ୍ପ ମୁଖ୍ୟ ସନ୍ତୋଷ ସି.ଏସ୍.ଙ୍କ ସମେତ ଏନ୍ଏଲ୍ସି ତାଲାବିରା ତାପଜ ବିଦ୍ୟୁତ ପ୍ରକଳ୍ପର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଜିଲ୍ଲାପାଳ ପ୍ରଶିକ୍ଷାର୍ଥୀମାନଙ୍କୁ ତାଲିମରୁ ଅର୍ଜିତ ଦକ୍ଷତାର ସଠିକ୍ ବ୍ୟବହାର କରି ଆର୍ଥିକ ସ୍ୱାବଲମ୍ବୀ ହେବା ସହ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ପ୍ରକଳ୍ପ ପ୍ରଭାବିତ ଗ୍ରାମର ଆଉ ୬୦ ଜଣ ଯୁବକ-ଯୁବତୀଙ୍କୁ ସେଲ୍ଫ ଏମ୍ପ୍ଲଏଡ୍ ଟେଲର ପ୍ରଶିକ୍ଷଣର ନୂତନ ବ୍ୟାଚ୍ ରେ ସାମିଲ କରାଯାଇଥିଲା। ନବନାମଲେଖା ପ୍ରଶିକ୍ଷାର୍ଥୀଙ୍କୁ ସ୍ୱାଗତ କିଟ୍ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ କହିଥିଲେ ଯେ, ଜିଲ୍ଲା ପ୍ରଶାସନ ବିଭିନ୍ନ ସରକାରୀ ବିଭାଗ ଓ ଅନୁଷ୍ଠାନରୁ ସିଲାଇ କାମର ଅର୍ଡର ଯୋଗାଇ ଦେବା ପାଇଁ ପ୍ରୟାସ କରିବ, ଯାହା ଦ୍ୱାରା ପ୍ରଶିକ୍ଷାର୍ଥୀମାନେ ସ୍ୱରୋଜଗାର ଓ ସ୍ଥାୟୀ ଆୟର ସୁଯୋଗ ପାଇପାରିବେ। ନୂତନ ବ୍ୟାଚ୍ ଆରମ୍ଭ ସହିତ ଏନ୍ଏଲ୍ସିଆଇଏଲ୍ ବର୍ତ୍ତମାନର କାର୍ଯ୍ୟକ୍ରମରେ ମୋଟ ୩୦୦ ଜଣ ଯୁବକ-ଯୁବତୀଙ୍କୁ ସେଲ୍ଫ ଏମ୍ପ୍ଲଏଡ୍ ଟେଲର ଟ୍ରେଡ୍ ରେ ପ୍ରଶିକ୍ଷଣ ଦେବା ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛି। ଏପର୍ଯ୍ୟନ୍ତ ୩୦ ଜଣ ଇଣ୍ଡଷ୍ଟ୍ରିଆଲ୍ ଇଲେକ୍ଟ୍ରିସିଆନ୍ ଏବଂ ୧୮୦ ଜଣ ସେଲ୍ଫ ଏମ୍ପ୍ଲଏଡ୍ ଟେଲର ପ୍ରଶିକ୍ଷାର୍ଥୀ ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରିଥିବା ବେଳେ, ଏହି ପଦକ୍ଷେପ ଯୁବପିଢ଼ିଙ୍କ ଆର୍ଥିକ ସଶକ୍ତୀକରଣ, ଉଦ୍ୟମିତା ବିକାଶ ଓ ରୋଜଗାର ସୃଷ୍ଟି ଦିଗରେ ଏନ୍ଏଲ୍ସିଆଇଏଲ୍ ର ଦୀର୍ଘମିଆଦି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି ଦକ୍ଷତା ବିକାଶ ପଦକ୍ଷେପ ମାଧ୍ୟମରେ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ ପ୍ରକଳ୍ପ ପ୍ରଭାବିତ ପରିବାରଙ୍କ ପାଇଁ ଅର୍ଥପୂର୍ଣ୍ଣ ଜୀବିକା ସୁଯୋଗ ସୃଷ୍ଟି କରିବା ସହ ସମୁଦାୟ ବିକାଶ ଏବଂ ପୁନର୍ବାସ-ପୁନଃସ୍ଥାପନ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରୁଛି। ଏହା ଦେଶର 'ସ୍କିଲ୍ ଇଣ୍ଡିଆ', 'ଆତ୍ମନିର୍ଭର ଭାରତ' ଏବଂ ସମାବେଶୀ ଓ ସ୍ଥାୟୀ ବିକାଶର ଜାତୀୟ ଲକ୍ଷ୍ୟ ସହ ସାମଞ୍ଜସ୍ୟ ରକ୍ଷା କରୁଛି।
କାର୍ଯ୍ୟକ୍ରମ ପରେ ଜିଲ୍ଲାପାଳ ହିର୍ମାସ୍ଥିତ ନବନିର୍ମିତ ଡିସ୍ପେନସାରୀ ପରିଦର୍ଶନ କରିଥିଲେ। ଏହାସହ ଏନ୍ଏଲ୍ସିଆଇଏଲ୍ ର ତାପଜ ବିଦ୍ୟୁତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ସେ ସମୀକ୍ଷା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ