
ପୁରୀ, ୨୮ ଜୁଲାଇ (ହି.ସ.)- ଦୀର୍ଘ ବାର ଦିନର ଯାତ୍ରା ସାରି ମହାପ୍ରଭୁ ରତ୍ନ ସିଂହାସନକୁ ଫେରିଛନ୍ତି । ଯାତ୍ରା ଓ ପହଣ୍ଡି ଯୋଗୁ ମହାପ୍ରଭୁଙ୍କ ମୁଖମଣ୍ଡଳ ମଳିନ ପଡିଯାଇଛି । ଏଥିପାଇଁ ଆସନ୍ତା କାଲି ବୁଧବାର ଆଷାଢ ଶୁକ୍ଳ ବ୍ଯାସପୂର୍ଣିମା ତିଥିରେ ମହାପ୍ରଭୁଙ୍କୁ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସର୍ବସାଧାରଣ ଦର୍ଶନ ସନ୍ଧ୍ଯା ୬ଟା ରୁ ରାତି ୧୧ଟା ପର୍ଯ୍ୟନ୍ତ ୫ ଘଣ୍ଟା ଧରି ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣାଯାଇଛି ।
ଦତ୍ତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରିଥାନ୍ତି । ମଧ୍ଯାହ୍ନଧୂପ ସରିବା ପରେ ଗର୍ଭ ଗୃହ ବନ୍ଦ ହୋଇ ଏହି ନୀତି ସମ୍ପାଦନ କରାଯିବ । ଦତ୍ତ ମହାପାତ୍ର ସେବକ ରତ୍ନସିଂହାସନ ଉପରକୁ ଯାଇ ଶ୍ରୀବିଗ୍ରହଙ୍କ ମୁଖଶୃଙ୍ଗାର କରିବେ । ପ୍ରାକୃତିକ ରଙ୍ଗ ସହ କସ୍ତୁରୀ ଓ କେଶର ସୁବାସିତ ପଦାର୍ଥ ମିଶ୍ରଣ କରାଯିବ । ବନକଲାଗି ପ୍ରସ୍ତୁତି ପାଇଁ ବନକଲାଗି ଘର ରହିଛି । ଶଙ୍ଖକୁ ଚୂର୍ଣ୍ଣ କରି ଧଳା ରଙ୍ଗ, ହରିତାଳରୁ ହଳଦିଆ ରଙ୍ଗ, ହେଙ୍ଗୁଳରୁ କଳା ରଙ୍ଗ ପ୍ରସ୍ତୁତ ହୋଇଥାଏ । ଏହି ରଙ୍ଗରେ କସ୍ତୁରୀ ଓ କର୍ପୂର ମିଶା ଯାଇଥାଏ । ବନକଲାଗି ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ । ମହାପ୍ରଭୁଙ୍କ ମହାସ୍ନାନ ପରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ