
ଭୁବନେଶ୍ୱର, 28 ଜୁଲାଇ (ହି.ସ.)- ଫୁଲବାଣୀସ୍ଥିତ
ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମିତ
କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ
ପାଣିଗ୍ରାହୀ ।
ସୋସିଆଲ ମିଡିଆ ଏକ୍ସରେ ଏକ
ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଜୀଙ୍କୁ
କନ୍ଧମାଳବାସୀଙ୍କ ପକ୍ଷରୁ ହୃଦୟସ୍ପର୍ଶୀ ଧନ୍ୟବାଦ ଜଣାଉଛି । କନ୍ଧମାଳର ଜନଜାତି ଭାଇ-ଭଉଣୀଙ୍କ
ପାଇଁ ଆଜୀବନ ସେବା ଓ ତ୍ୟାଗ କରିଥିବା ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅମ୍ଳାନ
ସୃତିକୁ ଚିରସ୍ମରଣୀୟ କରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ମହୋଦୟ ଫୁଲବାଣୀସ୍ଥିତ ସରକାରୀ ଭେଷଜ
ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ତାଙ୍କ ନାମରେ ନାମିତ କରିବାର ନିଷ୍ପତ୍ତି କନ୍ଧମାଳର ପ୍ରତ୍ୟେକ
ନାଗରିକଙ୍କ ପାଇଁ ଏକ ଗର୍ବର ବିଷୟ । ଏହା ସ୍ୱାମୀଜୀଙ୍କ ଆଦର୍ଶ ଓ ସେବା ଭାବନାକୁ ଏକ ଉପଯୁକ୍ତ
ସମ୍ମାନ ।
ସେ କହିଛନ୍ତି ଯେ, ଏହା ସହିତ
ଜଲେଶପଟ୍ଟା ଆଶ୍ରମର ଐତିହ୍ୟ ସୁରକ୍ଷା ପାଇଁ ସିଏମଏସଏପାଣ୍ଠିରୁ
୧୩ କୋଟି ଟଙ୍କାର ମଞ୍ଜୁରୀ ମଧ୍ୟ ଅତ୍ୟନ୍ତ ପ୍ରଶଂସନୀୟ । ୩୦୦ ଆସନ ବିଶିଷ୍ଟ ନୂତନ ଛାତ୍ରୀ
ନିବାସ, ମେଗା
ରିଭର ଲିଫ୍ଟ ଜଳ ଯୋଗାଣ ପ୍ରକଳ୍ପ, ଆଶ୍ରମ ସ୍ଥଳର ସଂରକ୍ଷଣ ଏବଂ ଶ୍ରେଣୀଗୃହ-ହଷ୍ଟେଲର ନବୀକରଣ ଜରିଆରେ
ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମର ଛାତ୍ରୀମାନେ ଆଗାମୀ ଦିନରେ ଉନ୍ନତ ସୁବିଧା ପାଇବେ । କନ୍ଧମାଳର
ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ସଂବେଦନଶୀଳ ଓ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ପାଇଁ ପୁଣି
ଥରେ କୃତଜ୍ଞତା ଜ୍ଞାପନ କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା