
ନୂଆଦିଲ୍ଲୀ, ୬ ଜୁଲାଇ (ହି.ସ.)- କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସୋମବାର ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡଃ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ୧୨୫ ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ମୁଖାର୍ଜୀ ନ ଥିଲେ କାଶ୍ମୀର ଆଜି ଭାରତର ଅଂଶ ହୋଇନଥାନ୍ତା ଏବଂ ଆସାମ ଓ ପଶ୍ଚିମବଙ୍ଗର ଏକ ବଡ଼ ଅଂଶ ପାକିସ୍ତାନକୁ ଚାଲି ଯାଇଥାନ୍ତା । ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧାରା ୩୭୦ ଉଚ୍ଛେଦ କରି ଡଃ. ମୁଖାର୍ଜୀଙ୍କ ସ୍ୱପ୍ନକୁ ସାକାର କରିଛନ୍ତି ।
ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର ପଂଚମ ପ୍ରତିଷ୍ଠା ଦିବସକୁ ସମ୍ବୋଧିତ କରି ଶାହା କହିଛନ୍ତି ଯେ, ଡକ୍ଟର ମୁଖାର୍ଜୀ କୋଟି କୋଟି କାର୍ଯ୍ୟକର୍ତାଙ୍କ ଜୀବନରେ ଭାରତୀୟତା, ଭାରତ ମାତା ପ୍ରତି ଶ୍ରଦ୍ଧା ଏବଂ ଭାରତୀୟ ସଂସ୍କୃତିର ଗୁରୁତ୍ୱ ଜାଗ୍ରତ କରିବା ପାଇଁ ତାଙ୍କ ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ ।
ସେ କହିଥିଲେ ଯେ, ଡଃ. ମୁଖାର୍ଜୀ ଗୋଟିଏ ଦେଶରେ ଦୁଇଟି ଆଇନ, ଦୁଇଟି ମୁଖ୍ୟ ଓ ଦୁଇଟି ଚିହ୍ନ ଚାଲିପାରିବ ନାହିଁର ସିଦ୍ଧାନ୍ତକୁ ନେଇ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଏବଂ ଏଥିପାଇଁ ନିଜ ଜୀବନକୁ ମଧ୍ୟ ବଳିଦାନ ଦେଇଥିଲେ । ଶାହା କହିଛନ୍ତି ଯେ, ଧାରା ୩୭୦ ଉଚ୍ଛେଦ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ସେହି ସଂକଳ୍ପକୁ ପୂରଣ କରିଛନ୍ତି ।
ଗୃହ ମନ୍ତ୍ରୀ କହିଥିଲେ ଯେ, ଯେଉଁମାନେ ଦେଶ ବିଭାଜନର ଇତିହାସକୁ ବୁଝନ୍ତି, ସେମାନେ ଜାଣନ୍ତି ଯେ ଯଦି ଡଃ. ମୁଖାର୍ଜୀ ତତ୍କାଳୀନ କଂଗ୍ରେସ ନେତୃତ୍ୱକୁ ଚ୍ୟାଲେଞ୍ଜ କରିନଥାନ୍ତେ, ତେବେ ଆଜି ଆସାମ ଏବଂ ପଶ୍ଚିମବଙ୍ଗର ଏକ ବଡ଼ ଭାଗ ପାକିସ୍ତାନରେ ରହିଥାଆନ୍ତା । ମୁଖାର୍ଜୀଙ୍କ ଉଦ୍ୟମ ଯୋଗୁଁ ଆସାମ ଏବଂ ପଶ୍ଚିମବଙ୍ଗ ଭାରତର ଗର୍ବିତ ଅଂଶ ହୋଇ ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ