
ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.)- ରାଜଧାନୀ
ଭୁବନେଶ୍ୱରର ନୀଳାଦ୍ରି ବିହାର ଅଞ୍ଚଳରେ ମଙ୍ଗଳବାର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି
ହୋଇଥିଲା। ଭୁବନେଶ୍ୱର ମହାନଗର ନିଗମ (ବିଏମସି)
ଏବଂ ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ) ପକ୍ଷରୁ
୩୩୦ଟି ଟ୍ରାନ୍ଜିଟ୍ ହାଉସ୍ ହଟାଇବା ପାଇଁ ପର୍ଯ୍ୟାୟକ୍ରମେ ଅଭିଯାନ ଆରମ୍ଭ କରାଯିବା ପରେ ଏହି
ଉତ୍ତେଜନା ଦେଖାଦେଇଥିଲା। ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ ବହୁ ସଂଖ୍ୟାରେ ସ୍ଥାନୀୟ
ବାସିନ୍ଦା । ଘର ଭାଙ୍ଗିବା ପୂର୍ବରୁ ପୁନର୍ବାସ ଏବଂ ବିକଳ୍ପ ଆବାସ ବ୍ୟବସ୍ଥା କରିବାକୁ ସେମାନେ
ଦାବି କରିଥିଲେ।
ନୀଳାଦ୍ରି ବିହାରର ଫେଜ୍-୧, ଫେଜ୍-୨
ଏବଂ ଫେଜ୍-୩ରେ ଏହି ଅଭିଯାନ ଚାଲିଛି। ଏହି ଅଞ୍ଚଳରେ ପ୍ରାୟ ୮୯୦ଟି ଟ୍ରାନ୍ଜିଟ୍ ହାଉସ୍
ରହିଛି। ସେଥିମଧ୍ୟରୁ ବର୍ତ୍ତମାନର ଅଭିଯାନରେ ୩୩୦ଟି ଘରକୁ ହଟାଇବା ପାଇଁ ଚିହ୍ନଟ କରାଯାଇଛି।
ସୂଚନା ଅନୁଯାୟୀ, ବୁଦ୍ଧ
ବିହାର ଆବାସ ପ୍ରକଳ୍ପ ଅଧୀନରେ ହିତାଧିକାରୀମାନଙ୍କୁ ଏହି ଟ୍ରାନ୍ଜିଟ୍ ହାଉସ୍ଗୁଡ଼ିକ ଯୋଗାଇ
ଦିଆଯାଇଥିଲା। ଅନେକ ହିତାଧିକାରୀଙ୍କୁ କଥିତ ଭାବେ ସ୍ଥାୟୀ ଆବାସ ଆବଣ୍ଟନ କରାଯାଇସାରିଛି।
କିନ୍ତୁ କିଛି ଲୋକ ଏବେ ମଧ୍ୟ ଟ୍ରାନ୍ଜିଟ୍ ହାଉସ୍ରେ ରହୁଛନ୍ତି। ଅନ୍ୟପକ୍ଷରେ, କିଛି
ବାସିନ୍ଦା ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କହିଛନ୍ତି ଯେ ସେମାନେ ଯୋଗ୍ୟ ହିତାଧିକାରୀ, କିନ୍ତୁ
ଏପର୍ଯ୍ୟନ୍ତ ସେମାନଙ୍କୁ ସ୍ଥାୟୀ ଆବାସ ମିଳିନାହିଁ।
ବିକ୍ଷୋଭ ପ୍ରଦର୍ଶନ କରୁଥିବା
ଲୋକମାନେ ଦାବି କରିଥିଲେ ଯେ ଯୋଗ୍ୟ ପରିବାରଗୁଡ଼ିକୁ ପ୍ରଥମେ ବିକଳ୍ପ ଆବାସ ଯୋଗାଇ ଦିଆଯାଉ ଏବଂ
ପୁନର୍ବାସ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଉ। ଏହା ପରେ ହିଁ ଟ୍ରାନ୍ଜିଟ୍ ହାଉସ୍ ହଟାଇବାର
କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ସେମାନେ ଦାବି କରିଥିଲେ।
ବିରୋଧ ପ୍ରଦର୍ଶନ ଏବଂ
ସମ୍ଭାବ୍ୟ ସଂଘର୍ଷ ଆଶଙ୍କାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।
ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ୩ ପ୍ଲାଟୁନ୍ ପୁଲିସ କର୍ମଚାରୀ ନିୟୋଜିତ ହୋଇଥିଲେ।
ଏଥିରେ ନନ୍ଦନକାନନ, ଚନ୍ଦ୍ରଶେଖରପୁର,
ଚନ୍ଦକା ଏବଂ ଇନ୍ଫୋସିଟି ଥାନାର ପୁଲିସ ଟିମ୍ ସାମିଲ ଥିଲେ।
ମହିଳା ବାସିନ୍ଦା, ସ୍ଥାନୀୟ
ଯୁବକ ଏବଂ ପରିବାର ସଦସ୍ୟମାନେ ମଧ୍ୟ ବିରୋଧରେ ସାମିଲ ହୋଇଥିଲେ। ସେମାନେ ପୁନର୍ବାସ ଏବଂ
ସ୍ଥାନାନ୍ତରଣ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହି ସମୟରେ ବିଏମସିଏବଂ ବିଡିଓଅଧିକାରୀମାନେ
ଘଟଣାସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟାନୁଷ୍ଠାନ ଜାରି ରଖିଥିଲେ।
ଟ୍ରାନ୍ଜିଟ୍ ହାଉସ୍
ହଟାଇବାର କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଅଞ୍ଚଳର ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଥିଲା। ତେବେ
ପୁଲିସର ଉପସ୍ଥିତି ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣରେ ରହିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା