
ଜୟପୁର, ୧୩ ଅଗଷ୍ଟ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ସହରର ଟ୍ରାଫିକ୍ ସମସ୍ୟା ନିୟନ୍ତ୍ରଣ ପାଇଁ ନିର୍ମାଣ ଚାଲିଛି ୨୬ ନମ୍ବର ଜାତୀୟ ରାଜପଥର ବାଇବାସ ରାସ୍ତା l ଯେଉଁ ବାଇପାସ୍ ରାସ୍ତା ସହରକୁ ଟ୍ରାଫିକ୍ ନିୟନ୍ତ୍ରଣ କରିବ l ସେହି ପ୍ରକଳ୍ପ ଏବେ ଅଧାରେ ଅଟକିଛି। ଜମି ଅଧିଗ୍ରହଣ ବିବାଦ ଯୋଗୁଁ କାମ ଆଗକୁ ବଢ଼ିପାରୁନାହିଁ। ଫଳରେ ପ୍ରତିଦିନ ସହରବାସୀଙ୍କୁ ସାମ୍ନା କରିବାକୁ ପଡ଼ୁଛି ଜାମ୍, ପ୍ରଦୂଷଣର ଏବଂ ଏଥି ସହିତ ଦୁର୍ଘଟଣାର ଭୟ ମଧ୍ୟ ରହିଛି l କୋରାପୁଟ ଜିଲ୍ଲାର ଜୟପୁର ସହର ହେଉଛି ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ବାଣିଜ୍ୟିକ ସହର। ପ୍ରତିଦିନ ହଜାର ହଜାର ଗାଡ଼ି ଏହି ରାସ୍ତା ଦେଇ ଯାଉଛି। ଶହ ଶହ ସଂଖ୍ୟାରେ ଭାରୀ ଯାନ, ଟ୍ରକ୍, ତେଲ ଟ୍ୟାଙ୍କର ଓ କଣ୍ଟେନର ଚଳାଚଳ କରୁଛି। ସହରର ସଂକୀର୍ଣ୍ଣ ରାସ୍ତାରେ ଏହି ଯାନବାହନ ଚଳାଚଳ ଯୋଗୁଁ ପ୍ରତିଦିନ ଲାଗୁଛି ଦୀର୍ଘ ଟ୍ରାଫିକ୍ ଜାମ୍। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆରମ୍ଭ ହୋଇଥିଲା ଜାତୀୟ ରାଜପଥ ନମ୍ବର ୨୬ର ଜୟପୁର ବାଇପାସ୍ ପ୍ରକଳ୍ପ। ଲକ୍ଷ୍ୟ ଥିଲା ସହର ବାହାରେ ଭାରୀ ଯାନବାହନକୁ ଚଳାଚଳ କରାଇବା। କିନ୍ତୁ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ ଶେଷ ହୋଇପାରିନି। ଏବେ ବି କାମ ପ୍ରାୟ ୪୦ ପ୍ରତିଶତରେ ସୀମିତ। ଏପଟେ ବାଇପାସ୍ କାମ ଶେଷ ନହେବାର ପ୍ରଭାବ ସିଧାସଳଖ ପଡ଼ୁଛି ସାଧାରଣ ଲୋକଙ୍କ ଉପରେ। ସହର ମଧ୍ୟରେ ଦିନରାତି ଭାରୀ ଯାନ ଚଳାଚଳ କରୁଛି। ଫଳରେ ବଢ଼ୁଛି ସଡ଼କ ଦୁର୍ଘଟଣାର ଆଶଙ୍କା। ସହରର ଟ୍ରାଫିକ ସମସ୍ଯା ଓ ଦୁର୍ଘଟଣାକୁ ରୋକିବା ପାଇଁ ୨୦୨୨ ରେ ବାଇପାସ ର ପରିକଳ୍ପନା କରାଯାଇଥିଲା। କିନ୍ତୁ ଆଜି ବି ଚାଲିଛି କାର୍ଯ୍ୟ ବିଳମ୍ବରେ ଓ ବିଳମ୍ବର ମୁଖ୍ୟ କାରଣ ଜମି ଅଧିଗ୍ରହଣ। କେତେକ ଜମିମାଲିକ ସରକାରଙ୍କ କ୍ଷତିପୂରଣ ଗ୍ରହଣ କରିନଥିବାରୁ ଅଟକିଛି କାମ।ଏବେ କ୍ଷତିପୂରଣ ରାଶିକୁ ସିଭିଲ କୋର୍ଟରେ ଜମା କରି ପ୍ରକଳ୍ପକୁ ଆଗକୁ ନେବାକୁ ଯୋଜନା କରୁଛି ପ୍ରଶାସନ। ଜମି ଅଧିଗ୍ରହଣର କିଛି ପ୍ରକ୍ରିୟା ବାକି ରହିଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କ୍ଷତିପୂରଣ ରାଶି କୋର୍ଟରେ ଜମା କରି ଆଇନଗତ ପ୍ରକ୍ରିୟା ଶେଷ କରାଯାଉଛି। ଶୀଘ୍ର ନିର୍ମାଣ କାମ ତ୍ୱରାନ୍ୱିତ ହେବ ବୋଲି କହିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପିକେପି