ଶାହଙ୍କୁ ଭେଟିଲେ ଝାରସୁଗୁଡ଼ା ବିଧାୟକ, ଉପହାର ଦେଲେ ମା’ ସମଲେଶ୍ଵରୀଙ୍କ ଫଟୋଚିତ୍ର
Jharsuguda MLA meets Amit saha
Jharsuguda MLA meets Amit saha


ଝାରସୁଗୁଡ଼ା, ୧୪ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସରକାରୀ ବାସଭବନରେ ଶାହଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ବିଧାୟକ ଶ୍ରୀ ତ୍ରିପାଠୀ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ଗତ ଦୁଇ ବର୍ଷ ମଧ୍ୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ରିପୋର୍ଟ କାର୍ଡ ଗୃହମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

ବୈଠକରେ ଝାରସୁଗୁଡ଼ାର ଆଞ୍ଚଳିକ ବିକାଶ ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ, ଭିତ୍ତିଭୂମିର ସୁଧାର ଏବଂ ବିକାଶ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏଥିସହ ଭାରତୀୟ ଜନତା ପାର୍ଟିର ସାଂଗଠନିକ ବିଷୟ ଏବଂ କେନ୍ଦ୍ରୀୟ ନେତୃତ୍ୱ ସହ ସମନ୍ୱୟ ବୃଦ୍ଧି ନେଇ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା। ଝାରସୁଗୁଡ଼ାକୁ ବିକାଶର ଶୀର୍ଷସ୍ତରକୁ ନେବା ପାଇଁ ବିଧାୟକ ଶ୍ରୀ ତ୍ରିପାଠୀ କେନ୍ଦ୍ରର ସହଯୋଗ ଲୋଡ଼ିବା ସହ ନିର୍ବାଚନମଣ୍ଡଳୀ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ସାକ୍ଷାତ ସମୟରେ ବିଧାୟକ ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପବିତ୍ର ଫଟୋଚିତ୍ର ଅମିତ ଶାହଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ଏହି ଭେଟଘାଟ ଝାରସୁଗୁଡ଼ାର ଆଗାମୀ ବିକାଶ ସହ କେନ୍ଦ୍ରୀୟ ନେତୃତ୍ୱ ସହ ସାଂଗଠନିକ ସମନ୍ୱୟକୁ ଆହୁରି ମଜବୁତ କରିବ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande