



ସମ୍ବଲପୁର, ୧୪, ଅଗଷ୍ଟ (ହି.ସ.) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ତିରୁମୂଳପୁର ପଞ୍ଚାୟତ ଅନ୍ତର୍ଗତ ସାନ ଖଜୁରୀଝରଣ ଗ୍ରାମର ଜରାଜୀର୍ଣ୍ଣ ମାଟି ରାସ୍ତାର ତୁରନ୍ତ ନିର୍ମାଣ ଦାବିରେ ଗ୍ରାମବାସୀ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ଗ୍ରାମବାସୀଙ୍କ କହିବାନୁଯାୟୀ, ଗ୍ରାମରେ ୫୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରୁଛନ୍ତି। ଗ୍ରାମକୁ ସଂଯୋଗ କରୁଥିବା ମାଟି ରାସ୍ତାଟି ଖାଲଖମାରେ ଭରିଯାଇଥିବାରୁ ଯାତାୟାତ ଅତ୍ୟନ୍ତ ଦୁର୍ବିଷହ ହୋଇପଡ଼ିଛି। ଏହି ରାସ୍ତାରେ ନିୟମିତ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି।
ରାସ୍ତାର ଦୁରବସ୍ଥା ଯୋଗୁଁ ସ୍କୁଲ ଛାତ୍ରଛାତ୍ରୀଙ୍କ ଯାତାୟାତରେ ସମସ୍ୟା ହେଉଥିବା ବେଳେ ବୃଦ୍ଧ ଓ ଗର୍ଭବତୀ ମହିଳାମାନେ ଜରୁରୀ ସମୟରେ ଡାକ୍ତରଖାନା ଯିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଗ୍ରାମବାସୀଙ୍କ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ