
ନୂଆପଡ଼ା,୧୪ ଅଗଷ୍ଟ (ହି.ସ.)- ସ୍ୱାଧୀନତା ଦିବସ ପୂର୍ବରୁ ସମଗ୍ର ନୂଆପଡ଼ା ସହରରେ ଦେଖିବାକୁ ମିଳିଛି ଅଭୂତପୂର୍ବ ଦେଶପ୍ରେମ ଓ ଉତ୍ସାହ। ଆଜି ସ୍ଥାନୀୟ ପ୍ରତିଷ୍ଠିତ ନ୍ୟାସନାଲ କଲେଜ, ନୂଆପଡ଼ା ଆନୁକୂଲ୍ୟରେ ଏକ ବିଶାଳ ତଥା ଭବ୍ୟ ‘ହର ଘର ତ୍ରିରଙ୍ଗା’ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଲେଜ ପରିସରରୁ ବାହାରିଥିବା ଏହି ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ସମଗ୍ର ଅଂଚଳରେ ଏକ ଦେଶାତ୍ମବୋଧକ ପରିବେଶ ସୃଷ୍ଟି କରିଛି।
କଲେଜର ମାନ୍ୟବର ଅଧ୍ୟକ୍ଷ ହିତେଶ କୁମାର ସାହୁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଭୂମିକା ଗ୍ରହଣ କରି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।
କ୍ରୀଡ଼ା ଶିକ୍ଷକ ପ୍ରକାଶ ସାହୁ କାର୍ଯ୍ୟକ୍ରମକୁ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ପରିଚାଳନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ହାତରେ ତ୍ରିରଙ୍ଗା ପତାକା ଧରି, ‘ଭାରତ ମାତା କି ଜୟ’ ଏବଂ ‘ବନ୍ଦେ ମାତରମ୍’ ଧ୍ୱନିରେ ଗଗନପବନ ପ୍ରକମ୍ପିତ କରି ୧୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ରାଲିରେ ସାମିଲ ହୋଇଥିଲେ।
ଏହି ଶୋଭାଯାତ୍ରା ନ୍ୟାସନାଲ କଲେଜ ପରିସରରୁ ଆରମ୍ଭ ହୋଇ ନିକଟସ୍ଥ ସିଲଦା ଗ୍ରାମ ପର୍ଯ୍ୟନ୍ତ ପରିକ୍ରମା କରି ଗ୍ରାମବାସୀଙ୍କ ମଧ୍ୟରେ ଦେଶପ୍ରେମର ବାର୍ତା ବାଂଟିଥିଲା।
ଏହି ମହତ ଅବସରରେ ସ୍ଥାନୀୟ ବିଧାୟକ ଜୟ ଢୋଲାକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ।ଆଜିର ଯୁବପିଢ଼ି ହିଁ ଆସନ୍ତାକାଲିର ଦେଶ ନିର୍ମାତା। ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ତଥା ଯୁବସମାଜ ମଧ୍ୟରେ ରାଷ୍ଟ୍ରପ୍ରେମ, ଏକତା ଏବଂ ଜାତୀୟ ସଂହତିର ଭାବନା ଜାଗ୍ରତ କରିବାରେ ବେଶ୍ ସହାୟକ ହେବ। ଦେଶସେବା ପାଇଁ ପ୍ରତ୍ୟେକ ନାଗରିକ ଆଗେଇ ଆସିବା ଉଚିତ।
ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣ-ଶିକ୍ଷକ କର୍ମଚାରୀବୃନ୍ଦ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀମାନେ ମଧ୍ୟ ଛାତ୍ରଛାତ୍ରୀଙ୍କ ଏହି ଅଭିନବ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ