
ନୂଆଦିଲ୍ଲୀ, ୬ ଅଗଷ୍ଟ (ହି.ସ.)- କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖର୍ଗେ ବିକ୍ଷୋଭକାରୀ ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ଆକ୍ରମଣ କରି କହିଛନ୍ତି ଯେ, ସଂସଦ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ କେବଳ ଦୁଇଟି ଦାବି ରହିଛି । ପ୍ରଥମତଃ, ପ୍ରଧାନମନ୍ତ୍ରୀ ଛାତ୍ରମାନଙ୍କୁ କ୍ଷମା ମାଗିବା ଉଚିତ୍ ଏବଂ ଦ୍ୱିତୀୟତଃ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୃହକୁ ଆସି ସମଗ୍ର ଘଟଣା ଉପରେ ଏକ ବିବୃତି ଦିଅନ୍ତୁ । ସେ ଅଭିଯୋଗ କରିଛନ୍ତି ଯେ ସରକାର ଏହି ଦାବିଗୁଡ଼ିକୁ ଏଡ଼ାଇ ଯାଉଛନ୍ତି, ଯାହାଫଳରେ ସଂସଦରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।
ଗୁରୁବାର ଦିନ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଖର୍ଗେ କହିଛନ୍ତି ଯେ, ଛାତ୍ର ଆନ୍ଦୋଳନ ସମୟରେ କିଏ ଲାଠିଚାର୍ଜ, ପେଲେଟ ଗନ୍, ଲୁହବୁହା ଗ୍ୟାସ୍ ଏବଂ ଅନ୍ୟାନ୍ୟ ବଳ ପ୍ରୟୋଗ କରିବାକୁ ନିର୍ଦ୍ଦେଶ ଦେଇଛି ବୋଲି ବିରୋଧୀମାନେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀ, ବିଶେଷ କରି ଛାତ୍ରୀମାନଙ୍କ ପ୍ରତି ଯେଉଁ ପ୍ରକାରର ବ୍ୟବହାର କରାଯାଉଛି, ତାହା ଗ୍ରହଣୀୟ ନୁହେଁ ।
ଖର୍ଗେ କହିଛନ୍ତି ଯେ, ବିରୋଧୀଙ୍କ ଏକମାତ୍ର ଦାବି ହେଉଛି ଗୃହମନ୍ତ୍ରୀ ସଂସଦକୁ ଆସନ୍ତୁ ଏବଂ କେଉଁ ପର୍ଯ୍ୟାୟରେ ଲାଠିଚାର୍ଜ, ପେଲେଟ ବନ୍ଧୁକ ଏବଂ ଲୁହବୁହା ଗ୍ୟାସ ବ୍ୟବହାର କରିବାର ନିଷ୍ପତି ନିଆଯାଇଥିଲା ତାହା ସ୍ପଷ୍ଟ କରନ୍ତୁ । କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସି. ଆର. ପି. ଏଫ୍.), ରାପିଡ୍ ଆକ୍ସନ୍ ଫୋର୍ସ (ଆର. ଏ. ଏଫ୍.) ଏବଂ ଦିଲ୍ଲୀ ପୋଲିସ୍ ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରନ୍ତି, ତେଣୁ ଏହି କାର୍ଯ୍ୟ ପାଇଁ ଉତରଦାୟିତ୍ୱ ସ୍ଥିର କରାଯିବା ଆବଶ୍ୟକ ।
ସେ ଅଭିଯୋଗ କରିଛନ୍ତି ଯେ, ଗତ ୧୫ ଦିନ ଧରି ଗୃହମନ୍ତ୍ରୀ ଗୃହକୁ ଆସୁ ନାହାଁନ୍ତି କିମ୍ବା ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ କୌଣସି ବିବୃତି ଦେଉ ନାହାଁନ୍ତି । ଏହାର କେବଳ ଦୁଇଟି ଅର୍ଥ ହୋଇପାରେ, ସରକାର ସଂସଦକୁ ଗୁରୁତ୍ୱ ଦେଉନାହାନ୍ତି କିମ୍ବା ଉତରକୁ ଏଡ଼ାଇ ଯାଉଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ, ଯଦି ସରକାର ଚାହୁଁଥିଲେ ଯେ ଛାତ୍ରଛାତ୍ରୀମାନେ ସେମାନଙ୍କ ଆନ୍ଦୋଳନ ଶେଷ କରନ୍ତୁ, ତେବେ ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀ ସଂସଦରେ ଆବେଦନ କରି ସମାଧାନର ପ୍ରତିଶ୍ରୁତି ଦେଇପାରିଥାନ୍ତେ, କିନ୍ତୁ ତାହା କରାଯାଇ ନଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ