
ଜୟପୁର, 01 ସେପ୍ଟେମ୍ବର (ହି.ସ.) -କୋରାପୁଟ ଜିଲାରେ ଦରଦାମ ବୃଦ୍ଧି ଏବେ ସାଧାରଣ ଲୋକଙ୍କ ପାଇଁ ଏକ ନିରବ ଆଘାତରେ ପରିଣତ ହୋଇଛି । କୋରାପୁଟ ଜିଲା ଜୟପୁର ସହର ସେମିଳିଗୁଡା, ବୋରିଗୁମ୍ମା, କୋଟପାଡ, କୋରାପୁଟ, ବୈପାରିଗୁଡା ରେ ଦିନକୁ ଦିନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ିଚାଲିଥିବା ବେଳେ ଏହାର ସିଧାସଳଖ ପ୍ରଭାବ ପଡ଼ୁଛି ଗରିବ, ମଧ୍ୟବିତ୍ତ ଓ ଖଟିଖିଆ ପରିବାର ଉପରେ । ଡାଲି, ଚାଉଳଠାରୁ ଆରମ୍ଭ କରି ତେଲ, ମସଲା, ଚିନି, ସର୍ଫ ଓ ଅନ୍ୟାନ୍ୟ ଦୈନନ୍ଦିନ ସାମଗ୍ରୀ—ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଦର ବୃଦ୍ଧି ଖାଉଟିଙ୍କ ଘରୋଇ ବଜେଟ୍ କୁ ଦୋହଲାଇ ଦେଉଛି । ଦରଦାମ ନିୟନ୍ତ୍ରଣ କରିବାରେ ପ୍ରଶାସନ ସମ୍ପୁଣ୍ଣ ବିଫଳ ହୋଇଛି । ସାଧାରଣ ଖାଉଟିଙ୍କ ଅଭିଯୋଗ ଅନୁଯାୟୀ, ଗୋଟିଏ ସାମଗ୍ରୀ କିଣିବା ପାଇଁ ଆଜି ଦୋକାନକୁ ଗଲେ ଯେଉଁ ଦର ଦେବାକୁ ପଡ଼ୁଛି, ଦୁଇ ଦିନ ପରେ ସେହି ସାମଗ୍ରୀ ପାଇଁ ଆଉ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି । ଏପରି ସ୍ଥିତିରେ ଦୋକାନୀ ଓ ଖାଉଟିଙ୍କ ମଧ୍ୟରେ ବାଦବିବାଦ ମଧ୍ୟ ବଢ଼ୁଥିବା ଦେଖାଯାଉଛି । ଅଭିଯୋଗ ଆହୁରି ଗୁରୁତର ଯେ, କେତେକ ବ୍ୟବସାୟୀ ଡିଲରଙ୍କଠାରୁ ବଡ଼ ପରିମାଣରେ ସାମଗ୍ରୀ ଷ୍ଟକ୍ ଆଣି ରଖୁଛନ୍ତି । ସେହି ସମୟରେ କିଣାଯାଇଥିବା ଷ୍ଟକ୍ ର ପ୍ୟାକେଟ୍ ଉପରେ ମୁଦ୍ରିତ ମୂଲ୍ୟ ଥିଲେ ମଧ୍ୟ ଦର ବଢ଼ିଯାଇଛି ବୋଲି କହି ଅଧିକ ଦାମରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି । ଯଦି ଏହି ଅଭିଯୋଗ ସତ୍ୟ, ତେବେ ଏହା କେବଳ ବ୍ୟବସାୟିକ ଅନିୟମିତତା ନୁହେଁ, ବରଂ ଖାଉଟିଙ୍କ ଅଧିକାର ପ୍ରତି ଖୋଲା ଅବହେଳା । ଚିନି ଠାରୁ ପେ ଟ୍ରୋଲ `ାଏ ଦର ଦାମ ପ୍ରତେକ ଦିନ ବୃଦ୍ଧି ପାଉଛି । ଏପଟେ ମଜୁରିଆଙ୍କ ମଜୁରୀ ବଢ଼ିବା ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ୁଛି । କିନ୍ତୁ ବଜାରରେ ଜିନିଷପତ୍ରର ଦର ବଢ଼ିବାକୁ ଯେପରି କୌଣସି ସମୟସୀମା ନାହିଁ । ଆୟ ବଢ଼ୁନାହିଁ, କିନ୍ତୁ ଖର୍ଚ୍ଚ ଲଗାତାର ବଢ଼ୁଛି । ଫଳରେ ଗରିବ ପରିବାର ପାଇଁ ଦୁଇବେଳାର ଖାଦ୍ୟ ଯୋଗାଡ଼ କରିବା ମଧ୍ୟ ଦିନକୁ ଦିନ କଷ୍ଟକର ହେଉଛି । ଦୋକାନୀଙ୍କ ଉପରେ ଯାଞ୍ଚ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ଏହି ପ୍ରଶ୍ନର ଉତ୍ତର ଖାଉଟି ଜାଣିବାକୁ ଚାହୁଁଛନ୍ତି ।
ସାଧାରଣ ଲୋକଙ୍କ ଦାବି କେବଳ କାଗଜପତ୍ରରେ ନୁହେଁ, ବଜାରରେ ନିୟମିତ ଯାଞ୍ଚ ହେଉ । ଦୋକାନୀମାନେ କେଉଁ ଦରରେ ସାମଗ୍ରୀ କିଣୁଛନ୍ତି, କେଉଁ ଦରରେ ବିକ୍ରି କରୁଛନ୍ତି, ପ୍ୟାକେଟ୍ ଉପରେ ଥିବା ମୂଲ୍ୟ ଓ ବିକ୍ରୟ ମୂଲ୍ୟ ମଧ୍ୟରେ ଅନିୟମ ଅଛି କି ନାହିଁ ଏସବୁର ଯାଞ୍ଚ ହେବା ଆବଶ୍ୟକ । ପନି ପରିବା ଠାରୁ ଚେଜରାତି ଜିନିଷ `ାଏ ଦର ଦାମ ନିୟନ୍୍ରଣ କରିବାର ଆବଷକତି ରହିଛି । ନଚେତ୍ ଦରଦାମ ବୃଦ୍ଧିର ଚକ୍ରରେ ପିଶି ହେଉଥିବା ଖାଉଟିଙ୍କ ପାଇଁ “ଲୋକଙ୍କ ସରକାର” କେବଳ ଭାଷଣର ଏକ ସୁନ୍ଦର ବାକ୍ୟ ହୋଇ ରହିଯିବ । କାର୍ଯ୍ୟାନୁଷ୍ଠାନ ନ ହେଲେ ନିୟମ, ନିରୀକ୍ଷଣ ଓ ପ୍ରଶାସନ—ସବୁକିଛି ଖାଉଟିଙ୍କ ପାଇଁ ଅର୍ଥହୀନ । ଖାଉଟିଙ୍କ ପକେଟ୍ ଖାଲି ହେବା ପର୍ଯ୍ୟନ୍ତ ପ୍ରଶାସନ ଅପେକ୍ଷା କରିବ, ନା ଏବେଠାରୁ ବଜାରରେ ଲଗାମ କଷିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି