
ନୂଆଦିଲ୍ଲୀ, ସେପ୍ଟେମ୍ବର 16 (ହି.ସ): ୟୁନିଫାଏଡ୍ ପେମେଣ୍ଟସ୍
ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ ୨,୦୦୦ ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ ପେମେଣ୍ଟ ଉପରେ ଶୁଳ୍କ ଲାଗୁ କରିବାର ବାଟ ଖୋଲିଥିବା
ନିଷ୍ପତ୍ତିକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ନିନ୍ଦା କରିଛି। ଆମେରିକୀୟ କମ୍ପାନୀଗୁଡ଼ିକର
ଚାପରେ ଆସି ସରକାର ଦେଶର ସାଧାରଣ ନାଗରିକ, ଯୁବବର୍ଗ ଓ ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦିବାକୁ
ଚାହୁଁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଦଳ ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା
ସହ ୟୁପିଆଇକୁ ପୂର୍ବପରି ସମ୍ପୂର୍ଣ୍ଣ ମାଗଣା ରଖିବାକୁ ଦାବି କରିଛି।
କଂଗ୍ରେସର ସୋସିଆଲ ମିଡିଆ ଓ
ଡିଜିଟାଲ ପ୍ଲାଟଫର୍ମ ବିଭାଗର ମୁଖ୍ୟ ସୁପ୍ରିୟା ଶ୍ରୀନେତ ବୁଧବାର ଏଠାରେ ଦଳୀୟ ମୁଖ୍ୟାଳୟରେ
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସରକାରଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ୨,୦୦୦ ଟଙ୍କାରୁ ଅଧିକ ପ୍ରତ୍ୟେକ ମର୍ଚ୍ଚାଣ୍ଟ ୟୁପିଆଇ ପେମେଣ୍ଟ ଉପରେ
୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମ୍ଡିଆର୍) ଆଦାୟ କରାଯିବ। ଏହି ଶୁଳ୍କ ଗ୍ରାହକ
ନୁହେଁ,
ବରଂ ବ୍ୟବସାୟୀ ପ୍ରଦାନ କରିବେ ବୋଲି ସରକାର ଦେଉଥିବା ଯୁକ୍ତି
ସମ୍ପୂର୍ଣ୍ଣ ଅର୍ଥହୀନ। କାରଣ ଶେଷରେ ବ୍ୟବସାୟୀମାନେ ସାମଗ୍ରୀ ଓ ସେବାର ମୂଲ୍ୟ ବଢ଼ାଇ ଏହି
ଆର୍ଥିକ ବୋଝ ସାଧାରଣ ଲୋକଙ୍କ ଉପରେ ହିଁ ଲଦିବେ।
ଶ୍ରୀନେତ ଦାବି କରିଛନ୍ତି ଯେ, ଦେଶରେ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୬୦୪.୮ କୋଟି ପି୨ଏମ୍ (ବ୍ୟକ୍ତିଙ୍କଠାରୁ ବ୍ୟବସାୟୀଙ୍କୁ)
ୟୁପିଆଇ କାରବାର ହୋଇଥାଏ, ଯାହାର
ମୋଟ ମୂଲ୍ୟ ୬୬.୨୨ ଲକ୍ଷ କୋଟି ଟଙ୍କା। ଭାରତର ଡିଜିଟାଲ ପେମେଣ୍ଟ ବଜାରରେ ଫୋନ୍ପେର ୪୮.୯
ପ୍ରତିଶତ ଏବଂ ଗୁଗଲ୍ପେର ୩୭.୭ ପ୍ରତିଶତ ଅଂଶୀଦାରିତା ରହିଛି। ଫୋନ୍ପେରେ ଆମେରିକାର
ୱାଲମାର୍ଟର ୭୨ ପ୍ରତିଶତ ଅଂଶୀଦାରିତା ଥିବାବେଳେ ଗୁଗଲ୍ପେ ସମ୍ପୂର୍ଣ୍ଣ ଭାବେ ଆମେରିକୀୟ
କମ୍ପାନୀ ଗୁଗଲ୍ ଏଲ୍ଏଲ୍ସିର ମାଲିକାନାରେ ରହିଛି। ମହଙ୍ଗାଇରେ ଜୁଝୁଥିବା ଜନସାଧାରଣଙ୍କ
ପକେଟରୁ ଟଙ୍କା ନେଇ ଏହି ବିଦେଶୀ କମ୍ପାନୀଗୁଡ଼ିକର ଆୟ ବଢ଼ାଇବା ସହ ଫୋନ୍ପେର ଆଗାମୀ ଆଇପିଓ
ପାଇଁ ମୂଲ୍ୟାୟନ ବଢ଼ାଇବାର ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି।
ୟୁପିଆଇକୁ ଆର୍ଥିକ ଭାବେ
ସୁଚାରୁ ରୂପେ ଚଳାଇ ରଖିବା ପାଇଁ ଶୁଳ୍କ ଆବଶ୍ୟକ ବୋଲି ସରକାର ଦେଇଥିବା ଯୁକ୍ତିକୁ ମଧ୍ୟ ସେ
ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ସମଗ୍ର ୟୁପିଆଇ ବ୍ୟବସ୍ଥାକୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ବାର୍ଷିକ ପ୍ରାୟ ୨୦,୭୦୦ କୋଟି ଟଙ୍କା ଆବଶ୍ୟକ ହୋଇଥାଏ। ୨୦୨୫-୨୬ ଆର୍ଥିକ ବର୍ଷରେ
ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଟଙ୍କାର ସରପ୍ଲସ୍ ଟ୍ରାନ୍ସଫର
କରିଛି। ଅନ୍ୟପକ୍ଷରେ, ତାଲିକାଭୁକ୍ତ
ବ୍ୟାଙ୍କଗୁଡ଼ିକର ଲାଭ ୪.୧୧ ଲକ୍ଷ କୋଟି ଟଙ୍କା ଏବଂ ଏନ୍ପିସିଆଇର କର ପୂର୍ବ ସରପ୍ଲସ୍ ୧,୮୮୮ କୋଟି ଟଙ୍କା ରହିଛି। ଆର୍ବିଆଇରୁ ମିଳିଥିବା ସରପ୍ଲସ୍ର ମାତ୍ର
୭.୨ ପ୍ରତିଶତ ଅର୍ଥରେ ସମଗ୍ର ୟୁପିଆଇ ବ୍ୟବସ୍ଥାର ଖର୍ଚ୍ଚ ବହନ କରାଯାଇପାରିଥାନ୍ତା। କିନ୍ତୁ
ସରକାର ଜନସାଧାରଣଙ୍କଠାରୁ ଶୁଳ୍କ ଆଦାୟ କରିବାର ରାସ୍ତା ବାଛିଛି ବୋଲି ସେ କହିଛନ୍ତି।
ସଂସଦ ଓ ଜନସାଧାରଣଙ୍କ
ସମ୍ମୁଖରେ ମିଥ୍ୟା ତଥ୍ୟ ଦେଇ ଏହି ନିଷ୍ପତ୍ତି ଲାଗୁ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।
ଅଗଷ୍ଟ ୬ ଓ ୧୦ ତାରିଖରେ ଅର୍ଥମନ୍ତ୍ରୀ ସଂସଦରେ କହିଥିଲେ ଯେ, ଏମ୍ଡିଆର୍ ସମ୍ପର୍କରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି କିମ୍ବା
ଢାଞ୍ଚା ନିର୍ଦ୍ଧାରଣ ହୋଇନାହିଁ। କିନ୍ତୁ ସେପ୍ଟେମ୍ବର ୧୪ ତାରିଖରେ ଚୁପଚାପ୍ ବିଜ୍ଞପ୍ତି ଜାରି
କରି ଶୁଳ୍କ ଲାଗୁ କରିବାର ବାଟ ସଫା କରାଯାଇଛି।
ୟୁପିଆଇର ଭିତ୍ତି କଂଗ୍ରେସ
ନେତୃତ୍ୱାଧୀନ ୟୁପିଏ ସରକାରଙ୍କ ସମୟରେ ସ୍ଥାପିତ ହୋଇଥିଲା। ଏନ୍ପିସିଆଇ ଓ ଡିବିଟି ଭଳି
ବ୍ୟବସ୍ଥା ମଧ୍ୟ କଂଗ୍ରେସ ଶାସନ କାଳରେ ପ୍ରସ୍ତୁତ କରାଯାଇଥିଲା ବୋଲି ସେ କହିଛନ୍ତି।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା