ଆମେରିକୀୟ ହାଉସ୍ ପାସ୍ କଲା ରୁଷ୍-ଇରାନ ପ୍ରତିବନ୍ଧକ ବିଲ୍ , ଭାରତ, ଚୀନ୍ ଉପରେ 100 ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ପ୍ରସ୍ତାବ
ୱାଶିଂଟନ୍, ସେପ୍ଟେମ୍ବର 17(ହି.ସ) : ଆମେରିକାର ପ୍ରତିନିଧି ସଭା ରୁଷ ଓ ଇରାନ ବିରୋଧରେ କଠୋର ଆର୍ଥିକ କଟକଣା ଲଗାଇବା ସମ୍ବନ୍ଧୀୟ ‘ଲିଣ୍ଡସେ ଓ. ଗ୍ରାହାମ୍ ସାଙ୍କସନିଂ ରୁଷିଆ ଆଣ୍ଡ ଇରାନ୍ ଆକ୍ଟ ଅଫ୍ ୨୦୨୬’କୁ ୨୬୨-୧୫୯ ଭୋଟରେ ଅନୁମୋଦନ କରିଛି। ଏହି ବିଲ୍‌କୁ ବର୍ତ୍ତମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍
सांकेतिक


ୱାଶିଂଟନ୍, ସେପ୍ଟେମ୍ବର 17(ହି.ସ) :

ଆମେରିକାର ପ୍ରତିନିଧି ସଭା ରୁଷ ଓ ଇରାନ ବିରୋଧରେ କଠୋର ଆର୍ଥିକ କଟକଣା ଲଗାଇବା ସମ୍ବନ୍ଧୀୟ ‘ଲିଣ୍ଡସେ ଓ. ଗ୍ରାହାମ୍ ସାଙ୍କସନିଂ ରୁଷିଆ ଆଣ୍ଡ ଇରାନ୍ ଆକ୍ଟ ଅଫ୍ ୨୦୨୬’କୁ ୨୬୨-୧୫୯ ଭୋଟରେ ଅନୁମୋଦନ କରିଛି। ଏହି ବିଲ୍‌କୁ ବର୍ତ୍ତମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦସ୍ତଖତ ପାଇଁ ପଠାଯାଇଛି।

ରୁଷର ଅନ୍ତର୍ଜାତୀୟ ସମ୍ବାଦ ଟେଲିଭିଜନ ନେଟୱର୍କ ରଶିଆ ଟୁଡେ (ଆର୍‌ଟି) ଏବଂ ତୁର୍କିଏର ସରକାରୀ ସମ୍ବାଦ ସଂସ୍ଥା ଅନାଡୋଲୁ ଅନୁସାରେ, ବିଲ୍‌ର ସମର୍ଥନରେ ୨୦୩ ଜଣ ରିପବ୍ଲିକାନ୍ ଏବଂ ୫୮ ଜଣ ଡେମୋକ୍ରାଟିକ୍ ସାଂସଦ ଭୋଟ ଦେଇଥିଲେ। ଅନ୍ୟପକ୍ଷରେ, ୭ ଜଣ ରିପବ୍ଲିକାନ୍ ଏବଂ ୧୫୨ ଜଣ ଡେମୋକ୍ରାଟିକ୍ ସାଂସଦ ବିଲ୍‌କୁ ବିରୋଧ କରିଥିଲେ। ଏହା ପୂର୍ବରୁ ଆମେରିକାର ସିନେଟ୍ ୮୬-୧୧ର ବଡ଼ ଦ୍ୱିଦଳୀୟ ଅଧିକ୍ୟତାରେ ଏହି ବିଲ୍‌କୁ ପାରିତ କରିସାରିଛି।

ବିଲ୍‌ଟି ଆଇନରେ ପରିଣତ ହେବା ପରେ, ରୁଷରୁ ବିପୁଳ ପରିମାଣର ତେଲ କିମ୍ବା ଗ୍ୟାସ୍ କିଣୁଥିବା ଅଥବା ରୁଷକୁ କଟକଣା ଏଡ଼ାଇବାରେ ସହାୟତା କରୁଥିବା ଦେଶଗୁଡ଼ିକରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ (ଟାରିଫ୍) ଲଗାଇବାର ଅଧିକାର ରାଷ୍ଟ୍ରପତିଙ୍କୁ ମିଳିବ।

ଏହି ବ୍ୟବସ୍ଥାର ପ୍ରଭାବ ଭାରତ ଓ ଚୀନ୍ ଉପରେ ପଡ଼ିବାର ସମ୍ଭାବନାକୁ ନେଇ ବିଶେଷ ଆଲୋଚନା ହେଉଛି। କାରଣ, ଉଭୟ ଦେଶ ରୁଷରୁ ବିପୁଳ ପରିମାଣରେ ଅଶୋଧିତ ତୈଳ କିଣୁଛନ୍ତି। ତେବେ ବିଲ୍‌ରେ କିଛି ବିଶେଷ ପରିସ୍ଥିତିରେ ଛାଡ଼ ଏବଂ ଟାରିଫ୍‌ରୁ ରକ୍ଷା ପାଇବାର ବ୍ୟବସ୍ଥା ମଧ୍ୟ ସାମିଲ ରହିଛି।

ପ୍ରସ୍ତାବିତ ଆଇନରେ ରୁଷ ସହ ଜଡ଼ିତ ଅଧିକାରୀ, ଓଲିଗାର୍କ (ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି), ସେମାନଙ୍କ ପରିବାର ସଦସ୍ୟ, ବିଦେଶୀ ବ୍ୟକ୍ତିବିଶେଷ ଏବଂ ରୁଷୀୟ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକ ଉପରେ ପ୍ରାଥମିକ ଓ ଦ୍ୱିତୀୟକ ଆର୍ଥିକ କଟକଣା ଲଗାଇବାର ବ୍ୟବସ୍ଥା ରହିଛି। ଏହାର ଉଦ୍ଦେଶ୍ୟ ରୁଷର ଅର୍ଥନୀତି ଏବଂ ୟୁକ୍ରେନ୍ ଯୁଦ୍ଧକୁ ଆର୍ଥିକ ସମର୍ଥନ ଦେଉଥିବା ନେଟୱର୍କ ଉପରେ ଚାପ ବଢ଼ାଇବା।

ଏହି ବିଲ୍‌ରେ ଇରାନ୍ ବିରୋଧରେ ରହିଥିବା ବର୍ତ୍ତମାନର କଟକଣାକୁ ଆଗକୁ ବଢ଼ାଇବାର ବ୍ୟବସ୍ଥା ମଧ୍ୟ ରହିଛି। ଏହା ଅନୁସାରେ, ଇରାନ୍‌ର ଶକ୍ତି ଓ ଅସ୍ତ୍ର କ୍ଷେତ୍ର ସହ ଜଡ଼ିତ କଟକଣାର ଅବଧି ବଢ଼ାଯାଇପାରେ।

ବିଲ୍‌କୁ ବିରୋଧ କରୁଥିବା କିଛି ଡେମୋକ୍ରାଟିକ୍ ସାଂସଦ ରାଷ୍ଟ୍ରପତିଙ୍କୁ ମିଳୁଥିବା ବ୍ୟାପକ ଟାରିଫ୍ ଅଧିକାରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେମାନଙ୍କ ଯୁକ୍ତି ହେଉଛି, ଏହା ରାଷ୍ଟ୍ରପତିଙ୍କୁ ବାଣିଜ୍ୟ ନୀତିରେ ବହୁତ ବ୍ୟାପକ ଅଧିକାର ପ୍ରଦାନ କରିପାରେ ଏବଂ ଏହାର ପ୍ରଭାବ ଆମେରିକାର ଅର୍ଥନୀତି ଉପରେ ପଡ଼ିପାରେ।

ଅନ୍ୟପକ୍ଷରେ, ବିଲ୍‌ର ସମର୍ଥକମାନଙ୍କ କହିବା ଅନୁସାରେ, ରୁଷ ସହ ସମ୍ପର୍କ ରଖୁଥିବା ଦେଶଗୁଡ଼ିକ ଉପରେ ଆର୍ଥିକ ଚାପ ବଢ଼ାଇବା ପାଇଁ ଟାରିଫ୍ ଏକ ଅତିରିକ୍ତ ପ୍ରଭାବଶାଳୀ ମାଧ୍ୟମ ହୋଇପାରେ।

--------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande