
ଝାରସୁଗୁଡ଼ା, ୧୮ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ରେଳ ଷ୍ଟେସନର ଭିତ୍ତିଭୂମିରେ ଆହୁରି ବିକାଶ ଆଣିବା ସହ ପ୍ଲାଟଫର୍ମ ସଂଖ୍ୟା ୫ରୁ ୧୦କୁ ବୃଦ୍ଧି କରାଯିବ। ଏଥିପାଇଁ ଅତିରିକ୍ତ ରେଳ ଲାଇନ୍ ନିର୍ମାଣ ସମେତ ବିଭିନ୍ନ ପ୍ରସ୍ତାବିତ ଯୋଜନାର ସମୀକ୍ଷା କରାଯାଇଛି। ଦକ୍ଷିଣ ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର ଅନିଲ କୁମାର ଜୈନ ଝାରସୁଗୁଡ଼ା ଗସ୍ତ କରି ଷ୍ଟେସନ ପରିସର, ରେଳ ୟାର୍ଡ ଓ ରେଳ ପରିଚାଳନା ବ୍ୟବସ୍ଥାର ବିସ୍ତୃତ ତଦାରଖ କରିଥିଲେ। ଗସ୍ତ ସମୟରେ ଯାତ୍ରୀ ସୁବିଧା, ରେଳ ସୁରକ୍ଷା ଓ ଭିତ୍ତିଭୂମି ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଷ୍ଟେସନର କଳେବର ବୃଦ୍ଧି ପାଇଁ ଅତିରିକ୍ତ ରେଳ ଲାଇନ୍ ନିର୍ମାଣ ଏବଂ ବର୍ତ୍ତମାନର ୫ଟି ପ୍ଲାଟଫର୍ମକୁ ୧୦ଟିକୁ ବୃଦ୍ଧି କରିବା ନେଇ ପ୍ରସ୍ତାବିତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଜିଏମ୍ ସମୀକ୍ଷା କରିଥିଲେ। ଏଥିସହ ରେଳ ୟାର୍ଡର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରି ରେଳ ଚଳାଚଳରେ ନିର୍ଦ୍ଧାରିତ ସୁରକ୍ଷା ମାନଦଣ୍ଡକୁ କଡ଼ାକଡ଼ି ଭାବେ ପାଳନ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅବସରରେ ଜିଏମ୍ ବିଏନଆର ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ବର୍ଜ୍ୟବସ୍ତୁର ସଠିକ୍ ପୃଥକୀକରଣ, ସଂଗ୍ରହ ଓ ବୈଜ୍ଞାନିକ ପରିଚାଳନା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।
ଏହି ଗସ୍ତରେ ଝାରସୁଗୁଡ଼ା-ସର୍ଡେଗା ସେକ୍ସନରେ ୱିଣ୍ଡୋ ଟ୍ରେଲିଂ ମାଧ୍ୟମରେ ରେଳପଥ ଓ ଏହାର ଭିତ୍ତିଭୂମିର ନିରୀକ୍ଷଣ ମଧ୍ୟ କରାଯାଇଥିଲା। ଏଥିସହ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ନିରବଚ୍ଛିନ୍ନ କୋଇଲା ଯୋଗାଣ ସୁନିଶ୍ଚିତ କରିବା ନେଇ ଜିଏମ୍ ଏମ୍ସିଏଲ୍ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କୋଇଲା ଲୋଡିଂ କ୍ଷମତା ବୃଦ୍ଧି ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୋଇଲା ପରିବହନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ