ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା; ଧାରଣା ଓ ଆମରଣ ଅନଶନ ସ୍ଥଗିତ
ପୁରୀ, ୧୮ ସେପ୍ଟେମ୍ବର (ହି.ସ.)- ପବିତ୍ର ଉତ୍କଳ ଦିବସରୁ ପୁରୀବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଓ ସ୍ଥାୟୀ ବ୍ୟବସ୍ଥା ଦାବିରେ ବଳଗଣ୍ଡି ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ପ୍ରତିଦିନ ଚାଲିଆସୁଥିବା ଶାନ୍ତିପୂ
ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା; ଧାରଣା ଓ ଆମରଣ ଅନଶନ ସ୍ଥଗିତ


ପୁରୀ, ୧୮ ସେପ୍ଟେମ୍ବର (ହି.ସ.)- ପବିତ୍ର ଉତ୍କଳ ଦିବସରୁ ପୁରୀବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଓ ସ୍ଥାୟୀ ବ୍ୟବସ୍ଥା ଦାବିରେ ବଳଗଣ୍ଡି ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ପ୍ରତିଦିନ ଚାଲିଆସୁଥିବା ଶାନ୍ତିପୂର୍ଣ୍ଣ ଓ ସଚେତନତା ପଦଯାତ୍ରାର ଗତକାଲି ୧୭ ସେପ୍ଟେମ୍ବର ସୁଦ୍ଧା ୧୭୦ ଦିନ ପୂରଣ ହୋଇଛି। ଦୀର୍ଘ ୧୭୦ ଦିନ ଧରି ଚାଲିଥିବା ଏହି ପଦଯାତ୍ରା କେବଳ ଏକ ଆନ୍ଦୋଳନ ନୁହେଁ, ଏହା ପୁରୀବାସୀଙ୍କ ହୃଦୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ଅଗାଧ ଭକ୍ତି, ଆସ୍ଥା, ପରମ୍ପରା ତଥା ଆତ୍ମୀୟ ସମ୍ପର୍କର ଏକ ନିରବ, ଶାନ୍ତିପୂର୍ଣ୍ଣ ଓ ଅହିଂସାମୂଳକ ପ୍ରକାଶ। ଏହି ଦୀର୍ଘ ଦିନର ଅବିରତ ପଦଯାତ୍ରା ପରେ ଆଜି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ସାକ୍ଷାତ କରି ପୁରୀବାସୀଙ୍କ ଦୀର୍ଘଦିନର ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସାକ୍ଷାତ ସମୟରେ ପୁରୀବାସୀଙ୍କ ଭାବନା, ଶ୍ରୀମନ୍ଦିର ସହ ସେମାନଙ୍କର ପାରମ୍ପରିକ ସମ୍ପର୍କ ଏବଂ ତ୍ୟାଗ ସମ୍ପର୍କରେ ଅବଗତ କରାଇଥିଲେ । ପୂର୍ବପରି ସହଜ, ସମ୍ମାନଜନକ ଓ ସ୍ୱତନ୍ତ୍ର ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରିବା ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ମହୋଦୟ ମଞ୍ଚର ସମସ୍ତ ସଦସ୍ୟା ଓ ସଦସ୍ୟବୃନ୍ଦଙ୍କ କଥା ଧୈର୍ଯ୍ୟର ସହ ଶୁଣିବା ସହ ଧାରଣା ଆମରଣ ଅନଶନ ଭଳି କଠୋର ପଦକ୍ଷେପ ନନେବାକୁ ଅନୁରୋଧ କରିଥିଲେ ଏବଂ ଖୁବ୍ ଶୀଘ୍ର ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ବ୍ୟବସ୍ଥା କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ଜିଲ୍ଲାପାଳଙ୍କ ସହ ହୋଇଥିବା ଆଲୋଚନା ସକାରାତ୍ମକ ଓ ଆଶାଜନକ ରହିଥିବା ମଞ୍ଚର ସଦସ୍ୟଙ୍କ ହୃଦବୋଧ ହୋଇଥିଲା । ମଞ ପକ୍ଷରୁ ତାଙ୍କର ସହାନୁଭୂତିଶୀଳ ଆଭିମୁଖ୍ୟ, ସମସ୍ୟାର ସମାଧାନ ପାଇଁ ଦେଇଥିବା ଆଶ୍ୱାସନା ନିମନ୍ତେ ଜିଲ୍ଲାପାଳଙ୍କୁ ମଞ୍ଚର ସଦସ୍ୟ ମାନେ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଜିଲ୍ଲାପାଳଙ୍କ ଆଶ୍ୱାସନାକୁ ସମ୍ମାନ ଜଣାଇ ମଞ୍ଚ ପକ୍ଷରୁ ନିଆଯାଇଥିବା ଆମରଣ ଅନଶନକୁ ସ୍ଥଗିତ ରଖାଯାଇଛି | ଦାବି ପୂରଣ ହେବା ପର୍ଯ୍ୟନ୍ତ ବଳଗଣ୍ଡି ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ପଦଯାତ୍ରା ଜାରି ରହିବ ବୋଲି ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି। ସେ କହିଛନ୍ତି, “୧୭୦ ଦିନ ଧରି ଆମେ ମହାପ୍ରଭୁଙ୍କ ଚରଣରେ ଆସ୍ଥା ରଖି ଅହିଂସାର ପଥରେ ଚାଲିଛୁ। ଜିଲ୍ଲାପାଳ ମହୋଦୟ ଆମର କଥା ଶୁଣିଛନ୍ତି, ଆଶ୍ୱାସନା ଦେଇଛନ୍ତି। ତାଙ୍କ ଆଶ୍ୱାସନକୁ ଆମେ ସମ୍ମାନ କରୁଛୁ। ତେଣୁ ଆମରଣ ଅନଶନ ସ୍ଥଗିତ କରିଛୁ; କିନ୍ତୁ ପୁରୀବାସୀଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମର ଶାନ୍ତିପୂର୍ଣ୍ଣ ପଦଯାତ୍ରା ଜାରି ରହିବ।”

ଏହି ସାକ୍ଷାତ ଓ ଦାବିପତ୍ର ପ୍ରଦାନ ସମୟରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ରମେଶ ଚନ୍ଦ୍ର ମହାନ୍ତି, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ଯାଦବାନନ୍ଦ ରାୟ, ଅରୁଣା ପଟ୍ଟନାୟକ, ସନ୍ଧ୍ୟାରାଣୀ ମିଶ୍ର, ନିହାରିକା ତ୍ରିପାଠୀ, ପ୍ରଣତୀ ରାୟ, ମମତା ସ୍ୱାଇଁ, ସନ୍ତୋଷ ସେନାପତି, ପ୍ରକାଶ ଚନ୍ଦ୍ର ନାୟକ, ବାପିନା ସାମନ୍ତରାୟ, ମାନସ ପଟ୍ଟନାୟକ ପ୍ରମୁଖ ମଞ୍ଚର ସଦସ୍ୟା ସଦସ୍ୟ ଗଣ ଉପସ୍ଥିତ ଥିଲେ। ମହାପ୍ରଭୁଙ୍କ ପ୍ରତି ଅଟୁଟ ଆସ୍ଥା, ହୃଦୟରେ ଅହିଂସାର ସଂକଳ୍ପ ଓ ପୁରୀବାସୀଙ୍କ ଦୀର୍ଘଦିନର ଆକାଂକ୍ଷାକୁ ହୃଦୟରେ ଧରି ଏହି ପଦଯାତ୍ରା ଆଗକୁ ଜାରି ରହିବ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande