
ପୁରୀ, ୨୨ ସେପ୍ଟେମ୍ବର (ହି.ସ.)- ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରୁ ପାର୍ଶ୍ୱ ପରିବର୍ତନ ଯାତ୍ରା ଅନ୍ୟତମ । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଏହି ଯାତ୍ରା ଅନୁଷ୍ଠିତ ହୋଇଛି । ମହାପ୍ରଭୁ ୪ ମାସ ଶୟନ କାଳରେ ୨ ମାସରେ ପାର୍ଶ୍ୱ ପରିବର୍ତନ କରିଥାନ୍ତି । ଧାର୍ମିକ ମାନ୍ୟତା ଅନୁଯାୟୀ ଆଜି ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ରହି ନିଜର ପାଶ୍ୱର୍ ପରିବର୍ତନ କରିଛନ୍ତି । ବର୍ଷକୁ ପଡୁଥିବା ୪ଟି ବଡ ଏକାଦଶୀ ମଧ୍ୟରୁ ଏହି ଏକାଦଶୀ ଅନ୍ୟତମ ।
ମଙ୍ଗଳବାର ଭୋଗମଣ୍ଡପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ମହାସ୍ନାନ ହୋଇ ନୂଆ ଲୁଗା ଲାଗି ହୋଇଥିଲା । ତତ୍ପରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକ ଘଟୁଆରୀ ଘରୁ ଆସିଥିବା ଚନ୍ଦନ ଶ୍ରୀଅଙ୍ଗରେ ଲାଗି କରିଥିଲେ । ଏହାପରେ ଶ୍ରୀମଦନମୋହନଙ୍କୁ ମହାଜନ ସେବକ ରତ୍ନସିଂହାସନ ବିଜେ କରାଇଥିଲେ । ସେଠାରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ମୁକ୍ତିମଣ୍ଡପ ନିକଟରେ ଥିବା ପାଲିଙ୍କିକୁ ବିଜେ କରିଥିଲେ । ଏହାପରେ ବିମାନ ବଡୁ ସେବକ ଉକ୍ତ ପାଲିଙ୍କିଟିକୁ ସ୍କନ୍ଧରେ ବହନ କରି ବଡଦେଉଳର ୧ ଥର ପରିକ୍ରମା କରି ପୁଣି ମୁକ୍ତିମଣ୍ଡପ ନିକଟରେ ରଖିଥିଲେ । ପରେ ଶ୍ରୀମଦନମୋହନ ଜୟ ବିଜୟ ଦ୍ୱାର ନିକଟରେ ବିଜେ କରିଥିଲେ ଓ ସେଠାରେ ଏକାଦଶୀ ଭୋଗ ଏବଂ ବନ୍ଦାପନା ଅନୁଷ୍ଠିତ ହୋଇଥିଲା । ତତ୍ପରେ ଶ୍ରୀମଦନମୋହନ ଦକ୍ଷିଣୀ ଘରକୁ ବିଜେ କରିଥିଲେ ।
ସନ୍ଧ୍ୟା ଧୂପ ଶେଷ ହେବା ପରେ ଅନନ୍ତ ପୁରୁଷୋତମ ମନ୍ଦିର ଭିତରେ ଦେଉଳ ପୁରୋହିତ ପବିତ୍ର ଅଧିବାସ ନିମନ୍ତେ ଆଚାର୍ଯ୍ୟ ବ୍ରହ୍ମା ବରଣ ହୋଇ ହୋମ କରିଥିଲେ । ପ୍ରଥମ ବଡ଼ସିଂହାର ବେଶ ଓ ଭୋଗ ଶେଷ ହେବାପରେ ଖଟ ଶେଜ ଘର ଧୋପଖାଳ ହୋଇ ଦେଉଳ ପୁରୋହିତ ଏହି ଘରେ ପଂଚ ମୁରୁଜରେ ୩ଟି ମଣ୍ଡଳ କାଟିଥିଲେ ଓ ଏହା ଉପରେ ପୂର୍ଣ୍ଣ କୁମ୍ଭ ପ୍ରତିଷ୍ଠା କରିଥିଲେ । ଏହାପରେ ଭଣ୍ଡାର ମେକାପ ଏହି ମଣ୍ଡଳ ଉପରେ ୯ମୂର୍ତି ପବିତ୍ରା, କୁର୍ବନ୍ତିମାଳ ୩ ମୂର୍ତିକୁ ପତନୀ ଘୋଡେଇ ରଖିଥିଲେ । ତତ୍ପରେ ଦେଉଳ ପୁରୋହିତ ବରୁଣ ପୂଜା କରି ଉକ୍ତ ପବିତ୍ରାଟିକୁ ୩ ବାଡ଼ରେ ମନ୍ତ୍ର ଉଚ୍ଚାରଣ କରି ଅଧିବାସ କରାଇବା ପରେ ଖଟ ଶେଜ ଘର ମୁଦ ଦିଆଯାଇଥିଲା । ଭିତର ମଇଲମ ସରି ମହାସ୍ନାନ ସରିବା ପରେ ପାଳିଆ ପୁଷ୍ପାଳକ ନୂଆ ଲୁଗା ଲାଗି କରାଇଥିଲେ । ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ଘଂଟ, ଛତ୍ର, କାହାଳୀରେ ୩ଟି ରୂପା ପିଙ୍ଗଣରେ ଚନ୍ଦନ ବିଜେ କରାଇ ତାହା ଶ୍ରୀଅଙ୍ଗରେ ସର୍ବାଙ୍ଗ ଲାଗି କରାଇଥିଲେ । ଏହାପରେ ବଲ୍ଲଭ ବଡ଼ସିଂହାର ବେଶ ହୋଇ ୬ ମୂର୍ତି ଅଳଙ୍କାର ଲାଗି ହେବା ପରେ ଘଂଟ, ଛତ୍ର, କାହାଳୀ ସହ ତଳୁଚ୍ଛ ମହାପାତ୍ର ଓ ପ୍ରଧାନୀ ସେବକ ପଟୁଆରରେ ବଲ୍ଲଭ ବଡ଼ସିଂହାର ଭୋଗ ଛାମୁକୁ ଆଣିଥିଲେ । ଏହି ବିଶେଷ ତିଥିରେ ଆଜି ଶ୍ରୀମନ୍ଦିରରେ ୨ ଥର ବଡ଼ସିଂହାର ବେଶ ଓ ଭୋଗ ଅନୁଷ୍ଠିତ ହୋଇଛି ।
ଷୋଡଶ ଉପଚାର ପୂଜା ଶେଷ ହୋଇ କର୍ପୁର ଆଳତି ହେବା ପରେ ପାର୍ଶ୍ୱ ପରିବର୍ତନ ନୀତି ଅନୁଷ୍ଠିତ ହୋଇଛି । ମୁଦିରସ୍ତ, ବେହେରା ଖୁଂଟିଆ, ଗରାବଡୁ, ପାଳିଆ ମେକାପ, ଅଖଣ୍ଡ ମେକାପ ଓ ତଢ଼ାଉ କରଣ ସେବକ ଖଟ ଶେଜ ଉପରକୁ ନିଶୁଣି ମାଧ୍ୟମରେ ଯାଇ ମୁଦ ଭାଙ୍ଗିବା ପରେ ଶୟନ ଠାକୁରଙ୍କୁ ପେଡାକୁ ମୁଦିରସ୍ତ ଖୋଲି ଗରାବଡୁ ଠାରୁ ହାତୁଆଣି ନେଇ ରୂପା ପିଙ୍ଗଣରେ ବେହେରା ଖୁଂଟିଆ ଦେଇଥିବା ଶୁକ୍ଳ ପୁଷ୍ପ ୩ ଥର ପୁଷ୍ପାଞ୍ଜଳି ଦେବାପରେ ଶୟନ ଦେବତାଙ୍କ କଡ଼ ଲେଉଟା ନୀତି କରାଯାଇଛି । ଏହି ସମୟରେ ମୁଦିରସ୍ତ ବନ୍ଦାପନା କରିଥିଲେ । ଏହାପରେ ପେଡା ବନ୍ଦ କରି ଦୁଆରମାନ ମୁଦ ଦେଇ ତଳକୁ ଓହ୍ଲାଇ ଆସିଥିଲେ । ରତ୍ନସିଂହାସନସ୍ଥ ଶ୍ରୀଜୀଉମାନଙ୍କୁ ଲାଗି ହୋଇଥିବା ୬ ମୂର୍ତି ସ୍ୱର୍ଣ୍ଣ ଅଳଙ୍କାର ମଇଲମ କରାଯାଇ ବିଡ଼ିଆ, ଘଷା, ପଇଡ଼ ମଣୋହି କରାଯାଇ ଖଟସେଜ ବିଜେ ପୂର୍ବକ ପହୁଡ଼ ହୋଇଛି ।
ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଯାୟୀ, ମଙ୍ଗଳବାର ସକାଳ ୬ଟା ୧୭ ରେ ସିଂହଦ୍ୱାର ଫିଟା ନୀତି, ୬ଟା ୫୫ରେ ମଙ୍ଗଳ ଆଳତି ସମ୍ପୂର୍ଣ୍ଣ, ୮ଟା ୧୧ରେ ଅବକାଶ, ୮ଟା ୫୩ ରେ ବେଶ ସମ୍ପୂର୍ଣ୍ଣ ହୋଇଅଛି । ପରେ ୯ଟା ୨୯ରେ ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ସମ୍ପୂର୍ଣ୍ଣ, ୧୦ଟା ୦୧ରେ ଗୋପାଳବଲ୍ଲଭ ପୂଜା ସମ୍ପୂର୍ଣ୍ଣ, ୧୦ଟା ୧୪ରେ ସକାଳ ଧୂପ ଡାକିଗଲେ, ୧୨ଟା ୨୩ରେ ସକାଳ ଧୂପ ପୂଜା ସମ୍ପୂର୍ଣ୍ଣ, ଅପରାହ୍ନ ୧ଟା ୫୦ରେ ଭୋଗ ମଣ୍ଡପ ପୂଜା ସମ୍ପୂର୍ଣ୍ଣ, ଅପରାହ୍ନ ୩ଟା ୨୧ରେ ଘଂଟ ଛତା ସର୍ବାଙ୍ଗ ସମ୍ପୂର୍ଣ୍ଣ ହୋଇଛି । ପରେ ୪ଟା ୧୬ରେ ମଧ୍ୟାହ୍ନ ଧୂପ ଏବଂ ୫ଟା ୨୪ରେ ଦ୍ୱିତୀୟ ଭୋଗ ମଣ୍ଡପ ଉଠିଛି । ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ