କନ୍ଧମାଳରେ କ୍ରୀଡା ପ୍ରତିଭାର ମହାମିଳନ ଜିଲ୍ଲାସ୍ତରୀୟ ବିଦ୍ୟାଳୟ କ୍ରୀଡ଼ାରେ ୬୫୦ ଛାତ୍ରଛାତ୍ରୀଙ୍କର ଅଂଶଗ୍ରହଣ
Kandhmal District Level Sports Meet
ଫୋଟ


କନ୍ଧମାଳ , ୩୦ ସେପ୍ଟେମ୍ବର (ହି.ସ.)

କ୍ରୀଡା ପ୍ରତିଭା ଅନ୍ଵେଷଣ ଓ ବିକାଶର ଲକ୍ଷ୍ୟ ନେଇ ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଜେଶ କୁମାର ସ୍ଵାଇଁଙ୍କ ସଭାପତିତ୍ୱରେ ୨୦୨୬-୨୭ ଶିକ୍ଷାବର୍ଷର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଅଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶମ୍ଭୁନାଥ ନନ୍ଦି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସତ୍ୟଜିତ ଦାଶ ଯୋଗ ଦେଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୬୫୦ ଜଣ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିବା ବେଳେ ୭୫ ଜଣ ଅଧିକାରୀ ଶାରୀରିକ ଶିକ୍ଷକ ଓ ପ୍ରଶିକ୍ଷକ ପରିଚାଳନାରେ ସାମିଲ ହୋଇଥିଲେ । ଏଥିରେ ଫୁଟବଲ, ଆଥଲେଟିକ୍ସ, ତିରନ୍ଦାଜୀ, ରଗବୀ ଓ ସାଇକିଲିଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଫୁଟବଲରେ ୧୪ ଓ ୧୭ ବର୍ଷର କମ୍ ବାଳକ ଏବଂ ୧୭ ବର୍ଷରୁ କମ୍ ବାଳିକା ବିଭାଗ ରହିଥିଲା । ଆଥଲେଟିକ୍ସ ଓ ତିରନ୍ଦାଜୀ ୧୪ ଓ ୧୭ ବର୍ଷରୁ କମ୍ ବାଳକ ବାଳିକା ବିଭାଗରେ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ସେହିପରି ରଗବୀରେ ୧୪ ବର୍ଷରୁ କମ୍ ଏବଂ ସାଇକିଲିଂରେ ୧୭ ବର୍ଷରୁ କମ୍ ବୟସର ବର୍ଗରେ ପ୍ରତିଯୋଗିତା ହୋଇଥିଲା । ବିଭିନ୍ନ ଇଭେନ୍ଟରେ ଛାତ୍ରଛାତ୍ରୀମାନେ ନିଜର କ୍ରୀଡା ଦକ୍ଷତା ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟସ୍ତରୀୟ କ୍ରୀଡା ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ଉଚିତ ପ୍ରଶିକ୍ଷଣ ଓ ପ୍ରତିଯୋଗିତାର ସୁଯୋଗ ଦେବା ଏହି ଆୟୋଜନର ପ୍ରମୁଖ ଉଦ୍ଦେଶ୍ୟ । କ୍ରୀଡା ମାଧ୍ୟମରେ ଛାତ୍ରଛାତ୍ରୀଙ୍କର ଶାରୀରିକ ଦକ୍ଷତା ସହ ପ୍ରତିଯୋଗିତାମୂଳକ ମନୋଭାବ ଶୃଙ୍ଖଳାଓ ଦଳଗତ ଭାବନା ବିକାଶ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି । କନ୍ଧମାଳର କ୍ରୀଡା ପ୍ରତିଭା ଶ୍ରାବଣୀ ନନ୍ଦଙ୍କ ଅଲମ୍ବିକସ୍ ସଫଳତା ଜିଲ୍ଲାର ଉଦୟମାନ କ୍ରୀଡାବିତବ ମାନଙ୍କ ପାଇଁ ପ୍ରେରଣାର ଉତ୍ସାହ ହୋଇଛି । ଆବଶ୍ୟକ ପ୍ରଶିକ୍ଷଣ ଭିତ୍ତିଭୂମିକୁ ସୁଯୋଗ ମିଳିଲେ କନ୍ଧମାଳଋ ଆଗାମୀ ଦିନରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଭା ଉଦୟ ହେବ ବୋଲି ଆଶା ପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମାନସ ରଞ୍ଜନ ଦାଶ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ସିମାଞ୍ଚଳ ସ୍ଵାଇଁ, ପର୍ଯ୍ୟବେକ୍ଷକ ପ୍ରଶାନ୍ତ କୁମାର ଦାଶ ଯୋଗ ଦେଇଥିଲେ । ଏହାକୁ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ସଞ୍ଜୟ କୁମାର ପାତ୍ର ପରିଚାଳନା କରିଥିବା ବେଳେ ଶାରୀରିକ ଶିକ୍ଷକ, ଶିକ୍ଷିକା, ପ୍ରଶିକ୍ଷକ, ରେଫରୀ, ବିଚାରକ ଓ ସ୍ଵେଚ୍ଛାସେବୀମାନଙ୍କ ସହଯୋଗ କରିଥିଲେ । ବିଭିନ୍ନ ବ୍ଲକରୁ ଆସିଥିବା ପ୍ରତିଭା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଆଗାମୀ ଉଚ୍ଚସ୍ତରୀୟ ପ୍ରତିଯୋଗୀତା ପାଇଁ ପ୍ରତିଭା ଚୟନ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande