
ଜୟପୁର, 30 ସେପ୍ଟେମ୍ବର (ହି.ସ.) - କୋରାପୁଟ ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଇଥିବା ବେଳେ ଏଠାରେ ମଧ୍ୟବତ୍ତି ପରିବାର ଅଧିକା ରହୁଛନ୍ତି । କୋରାପୁଟ ଜିଲାରେ ଅନିୟନ୍ତ୍ରିତ ଦରଦାମ ବୃଦ୍ଧି ଆଜି କୋରାପୁଟ ଜିଲାର ମଧ୍ୟବିତ୍ତ ପରିବାରକୁ ନିମ୍ନଗାମୀ କରି ସାରିଲାଣି । ଟିଫିନ ଦର ଠାରୁ ଆରମ୍ଭ କରି ପନି ପରିବା, ସଉଦା ସବୁ ଦର ବଢି ଥିବାରୁ ନୟାନ୍ତ ହୋଇଛନ୍ତି ମଧ୍ୟବତ୍ତି ପରିବାର । ବଜାରକୁ ଗଲେ ମୁଣ୍ଡରେ ହାତ । ଯାହା ଧରିବ ତାହା ନିଆଁ । ଏହି ଦରବୃଦ୍ଧି କେବଳ ବିଳାସ ସାମଗ୍ରୀରେ ନୁହେଁ, ଦୈନନ୍ଦିନ ଜୀବନର ମୂଳ ଆବଶ୍ୟକତାରେ ଲାଗିଛି । ଠିକା କର୍ମଚାରି, ଆଉଟ ସୋର୍ସିଙ୍ଗ କର୍ମଚାରି, ଶ୍ରମିକ ଙ୍କ କଥା ଆସମ୍ଭାଳ ହୋଇ ପଡିଛି । ୪ ମାସ କୁ ଥରେ ଦରମା କୁ ଦରଦାମ । ରନ୍ଧନ ଗ୍ୟାସ୍
ହଜାର ଟପିଲାଣି । ମାଛ, ମାଂସ, ଅଣ୍ଡା, ଡାଲି, ତେଲ, ପିଆଜ, ପନିପରିବା ଯାଏଁ ସବୁର ଦର ଆକାଶ ଛୁଆଁ । ଜଣେ ଦିନ ମଜୁରିଆ ବା ମଧ୍ୟବିତ୍ତ କର୍ମଚାରୀ ଘରକୁ ପନିପରିବା ବ୍ୟାଗ୍ ଧରି ଫେରିବା ବେଳକୁ ପକେଟ୍ ଖାଲି ।କେବଳ ଖାଇବା ନୁହେଁ । ସ୍କୁଲ ଛାତ୍ରଛାତ୍ରୀଙ୍କ ଖାତା, କଲମ, ବହି, ଅଫିସ୍ ଷ୍ଟେସନାରୀର ଦର ମଧ୍ୟ ଦୁଇଗୁଣ ହେଲାଣି । ବିବାହ, ବ୍ରତ, ପୂଜା ଭଳି ସାମାଜିକ କାର୍ଯ୍ୟ ଆଜି ମଧ୍ୟବିତ୍ତ ପାଇଁ ଚିନ୍ତାର ବିଷୟ ପାଲଟିଛି । ଗୋଟିଏ ଛୋଟ ପୂଜା କରିବାକୁ
ଗଲେ ବି ୫ ହଜାର କୁଆଡେ ଉଡିଯାଉଛି ଜଣାପଡୁନି ।ସବୁଠୁ ବଡ଼ ଦୁଃଖର କଥା ହେଲା, ମଧ୍ୟବିତ୍ତ ପରିବାରରେ ଆଜି ବହୁ ସ୍ୱାଭିମାନୀ ଲୋକ ଅଛନ୍ତି । ଯେଉଁମାନେ ଘରର ଇଜ୍ଜତ, ପରମ୍ପରା ଭୟରେ ନିଜ ମା, ଭଉଣୀ, ସ୍ତ୍ରୀଙ୍କୁ
ବାହାରେ ରୋଜଗାର କରିବାକୁ ଛାଡନ୍ତି ନାହିଁ । ସେମାନଙ୍କ ସ୍ୱାଭିମାନକୁ ସମ୍ମାନ କରିବାକୁ ହେବ । ହେଲେ ବାସ୍ତବତା ହେଲା, ଜଣେ ବା ଦୁଇ ଜଣ ପୁରୁଷ ଏକାକୀ ୮/୧୦ ଜଣିଆ ପରିବାରର ଭରଣ ପୋଷଣ କରିବା ଆଜି ଅସମ୍ଭବ ହୋଇ ପଡ଼ିଛି । ଦରମା ବଢୁଛି ୫%, ଦରଦାମ ବଢୁଛି ୫୦% । ଅସନ୍ତୁଳନ ମଧ୍ୟବିତ୍ତକୁ ଧୀରେ ଧୀରେ ତଳକୁ ତଳକୁ ନେଇ ଯାଉଛି । ସରକାରୀ ସାହାଯ୍ୟ ମାଗି, ନ ପାରୁଛି ପେଟ ଭରି ଖାଇ । ସରକାର ଏବଂ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ଜରୁରୀ । ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଦର ନିୟନ୍ତ୍ରଣ, କଳାବଜାରୀ ରୋକିବା ଏବଂ ମଧ୍ୟବିତ୍ତ ପରିବାରର ରୋଜଗାର ବୃଦ୍ଧି ପାଇଁ ସ୍ୱତନ୍ତ୍ର ଯୋଜନା
ଆଜିର ସମୟର ଦାବି । ନହେଲେ ଯେଉଁ ମଧ୍ୟବିତ୍ତ ସମାଜର ମେରୁଦଣ୍ଡ, ସେ
ମେରୁଦଣ୍ଡ ଭାଙ୍ଗିଯିବ । ଦେଶର ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା ମଧ୍ୟବିତ୍ତ ପରିବାର ଆଜି ସବୁଠାରୁ ଅଧିକ ଚାପରେ । ମାସ ଶେଷ ହେବା ଆଗରୁ ଦରମା ସରିଯାଉଛି, କିନ୍ତୁ ଖର୍ଚର ଲିଷ୍ଟ ସରୁନାହିଁ । ଆୟ ଯେଉଁଠି ଅଛି ସେଇଠି ଅଟକି ରହିଛି, ହେଲେ ବ୍ୟୟ ଆକାଶ ଛୁଉଁଛି । ଏହାହିଁ ବର୍ତ୍ତମାନ ପ୍ରତି ମଧ୍ୟବିତ୍ତ ଘରର ସାଧାରଣ କାହାଣୀ । ମଧ୍ୟବିତ୍ତ ପରିବାରରେ ରୋଷେଇ ଘରୁ ଆରମ୍ଭ ମହଙ୍ଗା ଯନ୍ତ୍ରଣା ।ଗତ ଏକ ବର୍ଷ ଭିତରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଯେଭଳି ବଢିଛି, ତାହା ସାଧାରଣ ଲୋକଙ୍କ ବଜେଟକୁ ଦୋହଲାଇ ଦେଇଛି । ଖାଇବା
ତେଲ ୧୦୦ ରୁ ୧୭୦, ଡାଲି କିଲୋ ୯୦ ରୁ ୧୩୦, ପନିପରିବା ଦର ଦୁଇ ଗୁଣା । ଏଲପିଜି ସିଲିଣ୍ଡର ୮୫୦ ରୁ ୯୫୦ ଟପିଲାଣି । ପିଲାଙ୍କ ସ୍କୁଲ ଫି, ଟ୍ୟୁସନ ଫି, ଔଷଧ ଖର୍ଚ୍ଚ ଓ ଘର ଭଡା ସବୁ ମିଶାଇ ଜଣେ ମଧ୍ୟବିତ୍ତ ବ୍ୟକ୍ତିର ମାସିକ ଖର୍ଚ୍ଚ ୨୦ ରୁ ୩୦ ପ୍ରତିଶତ ବଢିଯାଇଛି, କିନ୍ତୁ ଆୟ ବୃଦ୍ଧି ୫ ରୁ ୮ ପ୍ରତିଶତରେ ଅଟକି ରହିଛି ।ସ୍ଥିର ଆୟ, ଅସ୍ଥିର ବଜାର: ଘରୋଇ କମ୍ପାନୀରେ ଚାକିରି କରୁଥିବା ଯୁବକ, ସରକାରୀ କର୍ମଚାରୀ କିମ୍ବା ଛୋଟ ବ୍ୟବସାୟୀ - ସମସ୍ତଙ୍କ ଆୟ ପ୍ରାୟ ସ୍ଥିର । କିନ୍ତୁ ମୁଦ୍ରାସ୍ଫୀତି ହାର ୬% ଉପରେ ରହିଛି ।
ଶିକ୍ଷା ଓ ସ୍ୱାସ୍ଥ୍ୟର ବୋଝ: ଭଲ ଶିକ୍ଷା ଓ ଭଲ ଚିକିତ୍ସା ପାଇଁ ମଧ୍ୟବିତ୍ତ ବାଧ୍ୟ ହୋଇ
ଘରୋଇ ସଂସ୍ଥା ଉପରେ ନିର୍ଭର କରୁଛି, ଯାହାର ଖର୍ଚ୍ଚ ସବୁଠାରୁ ଅଧିକ । ଘର, ଗାଡି, ମୋବାଇଲ୍, ପିଲାଙ୍କ ପାଠ ପଢା - ସବୁଥିରେ ଋଣ । ଦରମାର ୪୦% ରୁ ଅଧିକ ରେ ଚାଲିଯାଉଛି । ପୂର୍ବରୁ ମଧ୍ୟବିତ୍ତ ପରିବାର ମାସକୁ ୧୦-୧୫% ସଞ୍ଚୟ କରୁଥିଲେ, ଏବେ ସଞ୍ଚୟ ତ ଦୂରର କଥା, ସଞ୍ଚିତ ଅର୍ଥ ଭାଙ୍ଗି ଘର ଚଳାଇବାକୁ ପଡୁଛି । ଏହି ମହଙ୍ଗା ମାଡ଼ କେବଳ ପକେଟ୍ ଉପରେ
ନୁହେଁ, ମାନସିକ ଶାନ୍ତି ଉପରେ ମଧ୍ୟ ପଡିଛି । ପିଲାଙ୍କ ଆବଷ୍ୟକ ପୂରଣ କରିବା, ବୃଦ୍ଧ ବାପା-ମାଙ୍କ ଔଷଧ ଖର୍ଚ୍ଚ ଉଠାଇବା ଏବେ ଚିନ୍ତାର ବିଷୟ ପାଲଟିଛି । ପ୍ରତି ପରିବାର ନିଜ ବଜେଟ୍ ର ସଠିକ୍ ହିସାବ ରଖିବା, ଅଯଥା ଖର୍ଚ୍ଚ କମାଇବା ଏବଂ ସ୍ଥାନୀୟ ଉତ୍ପାଦକୁ ଗୁରୁତ୍ୱ ଦେବା ଆବଶ୍ୟକ । ମଧ୍ୟବିତ୍ତ ହସିଲେ ସମାଜ ହସିବ । ତେଣୁ ଏ ବର୍ଗକୁ ଅଣଦେଖା କଲେ ଚଳିବ ନାହିଁ । ଆୟ ଓ ବ୍ୟୟ ଭିତରେ ସନ୍ତୁଳନ ଆସିଲେ ହିଁ ମଧ୍ୟବିତ୍ତ ପରିବାର ପୁଣି ଥରେ ଖୋଲା
ନିଶ୍ୱାସ ନେଇପାରିବ । ଏହା ସହ ଜୟପୁର ସହରରେ ଟିଫିନ ଦର ବି କମ ନୁହଁ ୨୦ ଟଙ୍କା ରେ ୩ଟି ଇଡିଲି, ପୁରୀ, ଦୋଷା ୨୫ ,ବୋରା ୧୦, ଆଳୁଚପ ୧୦ ଟଙ୍କା ରେ ବିକ୍ରୟ ହେଉଛି । ରାସ୍ତା କଡରେ ଚଢା ଦରରେ ବିକ୍ରି ହେଉଥିଲେ ବି ପ୍ରଶାସନ ନିରବ ରହି ଦେଖୁଥିବା ଲକ୍ଷ୍ୟ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି