ନୋଏଡାରେ ଓଡ଼ିଆ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ , ସ୍ୱାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ
ଭଦ୍ରକ, ୬ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଭଟ୍ଟସାହି ବାମଦେବପୁର ଗ୍ରାମର ରେବତୀଲତା ତ୍ରିପାଠୀଙ୍କ ବିବାହିତା ଝିଅ ଜ୍ୟୋତିର୍ମୟୀ ପଣ୍ଡା(୩୦)ଙ୍କର ଉତରପ୍ରଦେଶର ନୋଏଡାରେ ସନ୍ଦେହଜନକ ମୃତ୍ୟୁ ହୋଇଛି। ଝିଅର ମୃତ୍ୟୁ ପାଇଁ ତାଙ୍କ ସ୍ୱାମୀ ଭଦ୍ରକ ରାଣୀତଲ ନିକଟ ସରସତିଆ ଅଂଚଳର ସନ
ନୋଏଡାରେ ଓଡ଼ିଆ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ , ସ୍ୱାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ


ଭଦ୍ରକ, ୬ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଭଟ୍ଟସାହି ବାମଦେବପୁର ଗ୍ରାମର ରେବତୀଲତା ତ୍ରିପାଠୀଙ୍କ ବିବାହିତା ଝିଅ ଜ୍ୟୋତିର୍ମୟୀ ପଣ୍ଡା(୩୦)ଙ୍କର ଉତରପ୍ରଦେଶର ନୋଏଡାରେ ସନ୍ଦେହଜନକ ମୃତ୍ୟୁ ହୋଇଛି। ଝିଅର ମୃତ୍ୟୁ ପାଇଁ ତାଙ୍କ ସ୍ୱାମୀ ଭଦ୍ରକ ରାଣୀତଲ ନିକଟ ସରସତିଆ ଅଂଚଳର ସନ୍ଦୀପ କୁମାର ପୁହାଣଙ୍କୁ ଦାୟୀ କରି ମୃତା ମହିଳାଙ୍କ ମା' ଆଜି ଧୂଷୁରୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଜ୍ୟୋତିର୍ମୟୀ ତାଙ୍କ ସ୍ୱାମୀଙ୍କ ସହ ନୋଏଡାର ସେକ୍ଟର-୭୧ ଅଂଚଳରେ ରହୁଥିଲେ। ଗତ ଅଗଷ୍ଟ ୨୯ ତାରିଖ ସକାଳୁ ତାଙ୍କ ସ୍ୱାମୀ ଫୋନ୍ ଯୋଗେ ଶାଶୁ ରେବତୀଲତାଙ୍କୁ ଜ୍ୟୋତିର୍ମୟୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ସୂଚନା ଦେଇଥିଲେ। ତେବେ ଝିଅର ଏଭଳି ମୃତ୍ୟୁ ଖବରରେ ପରିବାର ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିବା ବେଳେ, ମା' ରେବତୀଲତା ଏହାକୁ ଆତ୍ମହତ୍ୟା ନୁହେଁ, ବରଂ ତାଙ୍କ ଝିଅକୁ ସ୍ୱାମୀ ସନ୍ଦୀପ ହତ୍ୟା କରି ରଶିରେ ଟାଙ୍ଗି ଦେଇ ଆତ୍ମହତ୍ୟା ରୂପ ଦେଉଥିବା ସନ୍ଦେହ କରିଛନ୍ତି। ଏହି ଅଭିଯୋଗରେ ସେ ତାଙ୍କ ଜ୍ୱାଇଁଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଦାବି କରିଛନ୍ତି। ଅଭିଯୋଗ ପାଇବା ପରେ ଧୁଷୁରୀ ପୋଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୮୫ ଏବଂ ୧୦୩(୧) ଅନୁଯାୟୀ ମାମଲା ରୁଜୁ କରିଛି। ଘଟଣାସ୍ଥଳ ନୋଏଡା ଅଂଚଳରେ ହୋଇଥିବାରୁ ଧୂଷୁରୀ ଥାନା ପକ୍ଷରୁ ଏହାକୁ ଜିରୋ ଏଫ୍ଆଇଆର୍ ଭାବେ ଗ୍ରହଣ କରାଯାଇଛି। ପରବର୍ତୀ ତଦନ୍ତ ଏବଂ ଆଇନଗତ ପ୍ରକ୍ରିୟା ପାଇଁ ମାମଲାଟିକୁ ଉତରପ୍ରଦେଶର ନୋଏଡାସ୍ଥିତ ଫେଜ୍-୩, ସେକ୍ଟର-୭୧ ଥାନାକୁ ହସ୍ତାନ୍ତର କରାଯାଇଛି। ତଦନ୍ତ ପରେ ଜ୍ୟୋତିର୍ମୟୀଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ତାହାର ପ୍ରକୃତ କାରଣ ସ୍ପଷ୍ଟ ହେବ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande